ସିଲିକ୍‌ଙ୍କ କଷ୍ଟସାଧ୍ୟ ବିଜୟ

ନାଦାଲ, ହାଲେପ୍‌, ମୁଗୁରୁଜା ତୃତୀୟ ରାଉଣ୍ଡ୍‌ରେ

ପ୍ୟାରିସ୍‌: କ୍ରୋଏସିଆ ତାରକା ମାରିନ୍‌ ସିଲିକ୍‌ କଷ୍ଟାସାଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ ବିଜୟ ସହ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ର ପୁରୁଷ ଏକକ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ପୂର୍ବତନ ୟୁଏସ୍‌ ଓପନ୍‌ ବିଜେତା ତଥା ଏଠାରେ ତୃତୀୟ ମାନ୍ୟତା ସିଲିକ୍‌ ଗୁରୁବାର ଦ୍ୱିତୀୟ ରାଉଣ୍ଡ୍‌ରେ ପୋଲାଣ୍ଡ୍‌ ଯୋଗ୍ୟତାପର୍ଯ୍ୟାୟ ତଥା ବିଶ୍ୱ ମାନ୍ୟତାର ୧୮୮ ହୁବର୍ଟ ହୁର୍‌କାଜ୍‌ଙ୍କୁ ୬-୨, ୬-୨, ୬-୭ ଓ ୭-୫ ସେଟ୍‌ରେ ପରାସ୍ତ କରି ଦେଇଛନ୍ତି। ଏଥି ସହିତ ସିଲିକ୍‌ ଅଷ୍ଟମ ଥର ପାଇଁ ରୋଲାଁ ଗ୍ୟାରସ୍‌ରେ ତୃତୀୟ ରାଉଣ୍ଡ୍‌ ପ୍ରବେଶ କରିଛନ୍ତି। ଗତବର୍ଷ ସିଲିକ୍‌ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲେ। ତେବେ ଶୀର୍ଷ ମାନ୍ୟତା ରାଫେଲ ନାଦାଲ ଏବଂ ସପ୍ତମ ମାନ୍ୟତା ଡୋମିନିକ୍‌ ଥିମ୍‌ ମଧ୍ୟ ତୃତୀୟ ରାଉଣ୍ଡ୍‌ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ପେନ୍‌ ତାରକା ନାଦାଲ ସିଧାସଳଖ ୬-୨, ୬-୧, ୬-୧ ସେଟ୍‌ରେ ଗୁଇଡୋ ପେଲାଙ୍କୁ ହରାଇଥିଲା ବେଳେ ଅଷ୍ଟ୍ରିଆର ଥିମ୍‌ ଗ୍ରିସ୍‌ର ଯୁବ ତାରକା ଷ୍ଟିଫାନୋସ୍‌ ସିସିପାସ୍‌ଙ୍କୁ ୬-୨, ୨-୬, ୬-୪ ଓ ୬-୪ ସେଟ୍‌ରେ ପରାସ୍ତ କରି କ୍ରମାଗତ ତୃତୀୟ ବର୍ଷ ପାଇଁ ରୋଲାଁ ଗ୍ୟାରସ୍‌ରେ ତୃତୀୟ ରାଉଣ୍ଡ୍‌ ସ୍ଥାନ ପକ୍କା କରିଛନ୍ତି। ପୁରୁଷ ଏକକରେ ଅନ୍ୟ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ କେଭିନ୍‌ ଆଣ୍ଡରସନ୍‌, କେଲି ଏଡ୍‌ମଣ୍ଡ୍‌, ରିଚାର୍ଡ ଗାସ୍‌କ୍ୱେଟ୍‌, ଫାବିଓ ଫୋଗ୍‌ନିନି ମଧ୍ୟ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତିି। ତେବେ ମହିଳା ଏକକରେ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌ ଏବଂ ତୃତୀୟ ମାନ୍ୟତା ଗାର୍ବିନେ ମୁଗୁରୁଜା ନିଜ ନିଜର ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ଗୁରୁବାର ରୋମାନିଆ ଲଳନା ହାଲେପ୍‌ ସିଧାସଳଖ ୬-୩ ଓ ୬-୧ ସେଟ୍‌ରେ ଟେଲର ଟାଉନ୍‌ସେଣ୍ଡ୍‌ଙ୍କୁ ଏବଂ ସ୍ପେନ୍‌ ଲଳନା ମୁଗୁରୁଜା ଫ୍ରାନ୍‌ସର ଫିଓନା ଫେରୋଙ୍କୁ ସିଧାସଳଖ ୬-୪ ଓ ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୨୦୧୬ରେ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ହୋଇଥିବା ମୁଗୁରୁଜା ପୂର୍ବରୁ ଆଦୌ ଫେରୋଙ୍କ ସହ ମୁହାଁମୁହିଁ ହୋଇନଥିଲେ। ଅନ୍ୟ ମହିଳା ଏକକ ବର୍ଗରେ ଦ୍ୱାଦଶ ମାନ୍ୟତା ଆଞ୍ଜେଲିକ୍‌ କେର୍ବର, ୧୬ତମ ମାନ୍ୟତା ଏଲିସେ ମର୍ତେନ୍‌ସ, ୧୯ତମ ମାନ୍ୟତା ମ୍ୟାକ୍‌ଡେଲୋନା ରିଭାରିକୋଭା, ୨୪ତମ ମାନ୍ୟତା ଦାରିଆ ଗାଭ୍ରିଲୋଭା, ୨୮ତମ ମାନ୍ୟତା ତଥା ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭା ଏବଂ ସାମନ୍ଥା ସ୍ତୋସୁର ନିଜ ନିଜର ଦ୍ୱିତୀୟ ରାଉଣ୍ଡ୍‌ ବିଜୟ ସହ ତୃତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧିତ ଖବର