ଅମୀମାଂସିତ ମ୍ୟାଚ୍‌ରେ ରାଜେଶ, ଦେବାଶିଷଙ୍କ ଶତକ

ସିକେ ନାୟୁଡୁ ଟ୍ରଫି: ଛତିଶଗଡ଼କୁ ୩, ଓଡ଼ିଶାକୁ ୧, ରାଜେଶ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଛତିଶଗଡ଼ ସିକେ ନାୟୁଡୁ ଟ୍ରଫି ଶେଷ ଦିନରେ ଅମୀମାଂସିତ ରହିଛି। ଘରୋଇ ଦଳର ପ୍ରଥମ ପାଳିକୁ ମାତ୍ର ୧୧୧ ରନ୍‌ରେ ସୀମିତ ରଖିଦେବା ପରେ ମଙ୍ଗଳବାର ୫ ଓ୍ଵିକେଟ୍‌ ବିନିମୟରେ ୨୪୭ ରନ୍‌ କରିଥିବା ଛତିଶଗଡ଼ ବୁଧବାର ଚତୁର୍ଥ ତଥା ଶେଷ ଦିନ ଆଉ ୩୬ ରନ୍‌ ଯୋଡ଼ି ୭/୨୮୩ ରନ୍‌ରେ ପାଳି ଘୋଷଣା କରିଥିଲା। ପୂର୍ବଦିନର ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ସାହବନ୍‌ ଖାନ୍‌ (୮୬) ଓ ସାକିବ୍‌ ଅହମ୍ମଦ (୫୦) ଆଉଟ୍‌ ହେବା ପରେ ପରେ ଛତିଶଗଡ଼ ପାଳି ଘୋଷଣା କରିଦେଇଥିଲା। ଫଳରେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୧୭୨ ରନ୍‌ର ଅଗ୍ରଣୀ ନେଇ ଓଡ଼ିଶା ଉପରେ ଚାପ ପକାଇବା ଲକ୍ଷ୍ୟ ରଖିଥିଲା। ହେଲେ ପ୍ରଥମ ପାଳିରେ ଦୟନୀୟ ପ୍ରଦର୍ଶନ କରିଥିବା ଓଡ଼ିଶା ବ୍ୟାଟ୍‌ସମ୍ୟାନ୍‌ମାନେ ଦ୍ୱିତୀୟ ପାଳିରେ ଆଉ ସେଭଳି ଭୂଲ୍‌ କରିନଥିଲେ। ବିଶେଷକରି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରାଜେଶ ଧୂପର ଓ ଦେବାଶିଷ ସାମନ୍ତରାୟ ଶତକୀୟ ପାଳି ଖେଳି ଛତିଶଗଡ଼ର ବିଜୟ ଆଶାରେ ପାଣି ଢାଳି ଦେଇଥିଲେ। ରାଜେଶ ୧୨୩ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଦେବାଶିଷ ୧୦୬ ରନ୍‌ରେ ଅପରାଜିତ ରହିଥିଲେ। ରାଜେଶଙ୍କ ବ୍ୟତୀତ ଅବିନାଶ ନାୟକ (୩୦) ଓ ଦେବେନ୍ଦ୍ର କଅଁର (୦) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଭେଙ୍କଟେଶ ଭାଣ୍ଡେ ୯ ରନ୍‌ରେ ଅପରାଜିତ ରହିଥିଲେ। ଯାହାଫଳରେ ଓଡ଼ିଶା ଦ୍ୱିତୀୟ ପାଳିରେ ୮୪ ଓଭର ଖେଳି ୩ ଓ୍ଵିକେଟ୍‌ ବିନିମୟରେ ୨୭୨ ରନ୍‌ କରି ନେଇଥିଲା। ଛତିଶଗଡ଼ ପକ୍ଷରୁ ପ୍ରଥମ ପାଳିରେ ୬ ୱିକେଟ ନେଇଥିବା ଅଜୟ ମଣ୍ଡଳ ଦ୍ୱିତୀୟ ପାଳିରେ ୨ ଓ ଶୁଭମ୍‌ ବିଜୟ ଠାକୁର ଗୋଟିଏ ୱିକେଟ୍‌ ଅକ୍ତିଆର୍‌ କରିଥିଲେ। ମ୍ୟାଚ୍‌ ଅମୀମାଂସିତ ରଖି ସାନ୍ତ୍ୱନା ପାଇଥିବା ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲା ବେଳେ ପ୍ରଥମ ପାଳି ଆଗୁଆ ଭିତ୍ତିରେ ଛତିଶଗଡ ୩ ପଏଣ୍ଟ ହାତେଇନେଇଛି। ପୂର୍ବତନ ଖେଳାଳି ଲଳିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜେଶ ଧୂପର୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ମଧ୍ୟପ୍ରଦେଶ ମ୍ୟାଚ୍‌ ପାଇଁ ଦଳରେ ୨ ପରିବର୍ତନ
ଶୁଭ୍ରାଂଶୁ, ସନ୍ଦୀପ ସାମିଲ; ଅମ୍ରିତ୍‌, ଅୟସକାନ୍ତ ବାଦ୍‌
କଟକ: ଆସନ୍ତା ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଇନ୍ଦୋରରେ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତନ କରାଯାଇଛି। ରଣଜୀ ଦଳରେ ସାମିଲ ଥିବା ଶୁଭ୍ରାଂଶୁ ସେନାପତି ଓ ସନ୍ଦୀପ ପଟ୍ଟନାୟକଙ୍କୁ ବୁଧବାର ଘୋଷିତ ଦଳରେ ସାମିଲ କରାଯାଇଥିଲା ବେଳେ ଅମ୍ରିତ ଖଟୁଆ ଓ ଅୟସକାନ୍ତ ପଣ୍ଡାଙ୍କୁ ବାଦ୍‌ ଦିଆଯାଇଛି। ଓଡ଼ିଶାର ଦ୍ୱିତୀୟ ରଣଜୀ ମ୍ୟାଚ୍‌ ଆସନ୍ତା ୨୪ ତାରିଖରୁ ଆନ୍ଧ୍ର ପ୍ରଦେଶରେ ଖେଳାଯିବାକୁ ଥିବାରୁ ଏହି ସମୟ ମଧ୍ୟରେ ଉଭୟ ଶୁଭ୍ରାଂଶୁ ଓ ସନ୍ଦୀପଙ୍କୁ ସିକେ ନାୟୁଡୁ ଟ୍ରଫିରେ ଖେଳାଇବାକୁ ଚୟନକର୍ତ୍ତାମାନେ ଉଚିତ୍‌ ମଣିଛନ୍ତି। ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ ଶେଷ ହେବା ପରେ ପୁଣି ଥରେ ଉଭୟଙ୍କୁ ରଣଜୀ ଦଳରେ ସାମିଲ କରାଯିବାକୁ ଯୋଜନା ରହିଛି।
ଓଡ଼ିଶା ଦଳ: ଦେବେନ୍ଦ୍ର କୁଅଁର (ଅଧିନାୟକ), ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ସନ୍ଦୀପ ପଟ୍ଟନାୟକ, ଅବିନାଶ ନାୟକ, ସତ୍ୟଜିତ ସାବତ, ରାଜେଶ ଧୂପର, ସର୍ବେଶ୍ୱର ମହାନ୍ତି, ଭେଙ୍କଟେଶ ଭାଣ୍ଡେ, ଦେବବ୍ରତ ପ୍ରଧାନ, ପ୍ରୀତ୍‌ ସିଂହ ଚୌହାନ, ଆଶୁତୋଷ ଦାସ, ପପୁ ରଏ, ଜାମେଲା ଭଞ୍ଜନ ମହାପାତ୍ର, ଶୁଭମ୍‌ ନାୟକ।

ସମ୍ବନ୍ଧିତ ଖବର