ସେଞ୍ଚୁରିଅନ୍: ଦିନିକିଆ ଶୃଙ୍ଖଳାକୁ ୧-୫ରେ ହାରିଥିବା ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଜୀବୀତ ରଖିଛି। ସେପଟେ ପ୍ରଥମ ଟେ୍ଵଣ୍ଟି-୨୦କୁ ଜିତି ବୁଧବାର ଶୃଙ୍ଖଳା ବିଜୟର ସ୍ୱପ୍ନ ଦେଖିଥିବା ଭାରତର ଆଶା ଆଶାରେ ରହି ଯାଇଛି। ଆଜି ଜବରଦସ୍ତ ଓ ଧମାକାଦାର ବ୍ୟାଟିଂର ନମୁନା ଦେଖାଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେ୍ଵଣ୍ଟି-୨୦କୁ ୮ ବଲ୍ ପୂର୍ବରୁ ୬ ଓ୍ଵିକେଟ୍ରେ ଜିତି ନେଇଛି। ଫଳରେ ତିନି ଟିକିଆ ଶୃଙ୍ଖଳାକୁ ୧-୧ରେ ସମାନ ସ୍ତରକୁ ନେଇ ଆସିଛି। ସେଥିପାଇଁ ଶନିବାର ଖେଳା ଯିବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ସେଞ୍ଚୁରିଅନ୍ର ସୁପରସ୍ପୋର୍ଟସ ପଡ଼ିଆରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୧୮୯ ରନ୍ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ଓ୍ଵିକେଟ୍ ରକ୍ଷକ ହେନରିକ କ୍ଲାସେନ (୬୯ ରନ୍, ୩୦ ବଲ୍, ୩ ଚୌକା, ୭ ଛକା)ଙ୍କ ଛକା ବର୍ଷା ସହ ଅଧିନାୟକ ଜେପି ଡୁମିନି (୬୪* ରନ୍, ୪୦ ବଲ୍, ୪ ଚୌକା, ୩ ଛକା)ଙ୍କ ଦାୟିତ୍ୱବାନ ଓ ଦ୍ରୁତ ଅର୍ଧଶତକ ପାଇଁ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ମାତ୍ର ୪ ଓ୍ଵିକେଟ୍ ହରାଇ ବିଜୟର ସ୍ୱାଦ ଚାଖିଥିଲା। ଜୟଦେବ ଉନାଦକଟଙ୍କୁ ଲଗାତାର ଛକା ମାରି ଡୁମିନି ବିଜୟ ମୁଣ୍ଡି ମାରିଥିଲେ। ଭାରତୀୟ ବୋଲର ସାର୍ଦୁଲ ଠାକୁର ବୁଧବାର ତାଙ୍କ ଟେ୍ଵଣ୍ଟି-୨୦ ଜୀବନ ଆରମ୍ଭ କରିଥିଲେ। ହେଲେ ଏହାକୁ ସ୍ମରଣୀୟ କରି ପାରି ନଥିଲେ। କ୍ଲାସେନ ତାଙ୍କ ଧୂଆଁଧାର ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମ୍ୟାଚ୍ ବେଳେ ଦୁଇ ଥର ବର୍ଷା ହୋଇଥିଲା। ହେଲେ ଏହା ଦକ୍ଷିଣ ଆଫ୍ରିକା ବିଜୟକୁ ରୋକି ପାରି ନଥିଲା। ସେହିଭଳି ବ୍ରହ୍ମାସ୍ତ୍ର ୟୁଜବେନ୍ଦ୍ର ଚହଲ (୪-୦-୬୪-୪) ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବା ଭାରତ ପରାଜୟର ଅନ୍ୟତମ କାରଣ ହୋଇଥିଲା।
ଦକ୍ଷିଣ ଆଫ୍ରିକା ଅଧିନାୟକ ଜେପି ଡୁମୁନି ବୁଧବାର ଲଗାତାର ଦ୍ୱିତୀୟ ଥର ପାଇଁ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ କିନ୍ତୁ ତିନିଟି ଭାଗୀଦାରି ବଳରେ ୧୮୮/୪ର ସମ୍ମାନଜନକ ସ୍କୋର କରି ନେଇଥିଲା। ଦ୍ୱିତୀୟ ଓଭରର ପ୍ରଥମ ବଲ୍ରେ ରୋହିତ ଶର୍ମା (୦) ଏବଂ ଅଧିନାୟକ ବିରାଟ କୋହଲି (୧) ଓ ଶିଖର ଧାଓ୍ଵନ (୩୧ ରନ୍, ୨୪ ବଲ୍, ୫ ଚୌକା) ୭ ବଲ୍ ଭିତରେ ପାଭିଲିୟନ ଫେରିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ପୂରା ଭାରି ପଡ଼ିଥିଲେ। ବିଶେଷ କରି ଯୁବ ତାରକା ମନୀଷ ପାଣ୍ଡେ (୭୯* ରନ୍, ୪୮ ବଲ୍, ୬ ଚୌକା, ୩ ଛକା) ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୨ ରନ୍, ୨୮ ବଲ୍, ୪ ଚୌକା, ୩ ଛକା)ଙ୍କ ମଧ୍ୟରେ ହୋଇଥିବା ୯୮* ରନ୍ର ଅବିଭାଜିତ ଭାଗୀଦାରି ଭାରତୀୟ ପାଳିର ମେରୁଦଣ୍ଡ ଥିଲା। ଦୀର୍ଘ ଦିନ ପରେ ଧୋନିଙ୍କ ବ୍ୟାଟ୍ କଥା କହିବା ସହ ଟେ୍ଵଣ୍ଟି-୨୦ରେ ସେ ଆଜି ନିଜ ଦ୍ୱିତୀୟ ଅର୍ଧଶତକ ପୂରଣ କରିଥିଲେ। ସେପଟେ ପାଣ୍ଡେ ଗୌତମ ଗମ୍ଭୀର (୭୫)ଙ୍କୁ କାଟି ଦକ୍ଷିଣ ଆଫ୍ରିକାରେ ଭାରତର ସର୍ବାଧିକ ଟେ୍ଵଣ୍ଟି-୨୦ ରନ୍ ହାସଲକାରୀ ହୋଇଥିଲେ। ଉଭୟ ନିଜ ବିସ୍ଫୋରକ ବ୍ୟାଟିଂରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଚକିତ କରି ଦେଇଥିଲେ। ଲମ୍ବା ସଟ୍ ଖେଳି ଶେଷ ୪ ଓଭରରୁ ୫୫ ରନ୍ ଅମଳ କରିଥିଲେ। ଧୋନି-ପାଣ୍ଡେ ଯୋଡ଼ିଥିବା ୯୮ ରନ୍ ମଧ୍ୟ ଭାରତର ଦ୍ୱିତୀୟ ସର୍ବାଧିକ ପଞ୍ଚମ ଓ୍ଵିକେଟ୍ ଭାଗୀଦାରି ଥିଲା। ଧୋନି ୨୭ ବଲ୍ରୁ ଓ ପଣ୍ଡେ ୩୩ ବଲ୍ରୁ ଅର୍ଧଶତକ ପୂରଣ କରିଥିଲେ।