ବିସିସିଆଇ ପ୍ରତିବାଦକୁ ସିଓଏର ନାକଚ:ଲୋଧା ସଂସ୍କାର ପ୍ରଣୟନ ନିଶ୍ଚିତ

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆର ବହୁ ଚର୍ଚିତ ଲୋଧା ସମିତି ସୁପାରିସର ପ୍ରଣୟନ ଏକ ପ୍ରକାର ନିଶ୍ଚିତ ହୋଇଛି। ଯେଉଁ ଯେଉଁ ପ୍ରସଙ୍ଗରେ ବିସିସିଆଇ ପ୍ରତାବାଦ ଜଣାଇଥିଲା ତାହାକୁ ପ୍ରଶାସନିକ ସମିତି (ସିଓଏ) ପ୍ରତ୍ୟାଖାନ କରି ଦେଇଛି। ବରଂ ଲୋଧା ସୁପାରିସ୍‌କୁ ଅଧିକ ସମର୍ଥନ ଓ ଦୃଢ଼ତା ପ୍ରଦାନ କରିଛି ସିଓଏ। ବିସିସିଆଇ ଏହାର ନୂଆ ପ୍ରଣିତ ସମ୍ବିଧାନର ଚିଠା ପ୍ରସ୍ତାବରେ ଯେଉଁ ପ୍ରସଙ୍ଗ ଗୁଡ଼ିକ ପ୍ରତିବାଦ କରିଥିଲା ତାହାକୁ ସିଓଏ ନାକଚ କରିଦେବାରୁ ଏବେ ବୋର୍ଡ କର୍ମକର୍ତା ମାନେ ଅଧିକ ହରଡ଼ଘଣାରେ ପଡ଼ିଛନ୍ତି। ବରଂ ସିଓଏ ବିସିସିଆଇରେ ପ୍ରମୁଖ ପଦ ପଦବୀ ଗୁଡ଼ିକରେ କ୍ଷମତାକୁ ସଙ୍କୁଚିତ କରିବାକୁ ପରାମର୍ଶ ରଖିଛି। ଲୋଧା ସୁପାରିସ୍‌ରେ ବିସିସିଆଇର ମୁଖ୍ୟ ଅଭିଯୋଗ ଥିଲା ପ୍ରଶାସନିକ ପରିବର୍ତନକୁ ନେଇ। ଗୋଟିଏ ରାଜ୍ୟ ଗୋଟିଏ ଭୋଟ, ପ୍ରଶାସକଙ୍କ ପାଇଁ ୩ ବର୍ଷିଆ ଶୀତଳୀକରଣ ଏବଂ ୩ ଜଣିଆ ଚୟନ ସମିତି ଗଠନ। ଏହି ତିନୋଟିରୁ ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌ ଏବଂ ଚୟନ ସମିତି ଆକାର ପ୍ରସଙ୍ଗରେ ସିଓଏ ଉଚ୍ଚତ୍ତମ ନ୍ୟାୟାଳୟଙ୍କୁ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଛାଡ଼ି ଦେଇଛି। ବିସିସିଆଇର ଦୁଇ ପ୍ରଭାବୀ ପଦ ସମ୍ପାଦକ ଓ କୋଷାଧ୍ୟକ୍ଷରେ କ୍ଷମତା ସଙ୍କୋଚନ ଲାଗି ସିଓଏ ପରାମର୍ଶ ଦେଇଛି।
ବିଜ୍ଞାପନକୁ ନେଇ ଅମିତାଭ-ଜୋହରି ବିବାଦ
ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରବଂଧକ ନିଯୁକ୍ତିକୁ ନେଇ ପ୍ରକାଶିତ ବିଜ୍ଞାପନ ବିସିସିଆଇ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷରର କାରଣ ହୋଇଛି। ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାହୁଲ ଜୋହରି ଏହି ବିଜ୍ଞାପନକୁ ଅନୁମୋଦିତ କରିଥିଲେ ମଧ୍ୟ କାମଚଳା ସମ୍ପାଦକ ଅମିତାଭ ଚୌଧୁରୀଙ୍କୁ ପଚାରିନଥିବାରୁ ସେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମ୍ପାଦକଙ୍କୁ ଅନୁମୋଦନ ଲାଗି ବିସିସିଆଇ ସମ୍ବିଧାନରେ ବ୍ୟବସ୍ଥା ରହିଥିଲେ ମଧ୍ୟ ସେ ଏହା କରିନଥିବା ଅଭିଯୋଗ ହୋଇଛି। ନଭେମ୍ବର ୨୮ ତାରିଖରେ ଏହି ବିଜ୍ଞାପନ ପ୍ରକାଶିତ ହୋଇଥିଲା। ମୁଁ ପୂର୍ବଦିନ (ନଭେମ୍ବର ୨୭) କ୍ରିକେଟ୍‌ କେନ୍ଦ୍ର (ବିସିସିଆଇ)ରେ ଥିଲି, କିନ୍ତୁ ମୋତେ କେହି ଏ ସମ୍ପର୍କରେ ଅବଗତ କରାଇନଥିଲେ। ମହିଳା ଦଳର ପରବର୍ତୀ କାର୍ଯ୍ୟସୂଚୀ ୨୦୧୮ ଫେବ୍ରୁଆରିରେ ଅଛି, ତରତରରେ ଏହା କରାଯିବାର କିଛି କାରଣ ନଥିଲା। ଏହା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ଅମିତାଭ ପ୍ରକାଶ କରିଛନ୍ତି। କିନ୍ତୁ ଅକ୍ଟୋବର ୨୪ ଓ ୨୫ ତାରିଖରେ ବସିଥିବା ପ୍ରଶାସନିକ ସମିତିରେ ଏହି ନିଷ୍ପତ୍ତି ହୋଇଥିବାରୁ ସମ୍ପାଦକଙ୍କଠାରୁ ଅନୁମୋଦନର ଅତିରିକ୍ତ ଆବଶ୍ୟକତା ନ ଥିଲା ବୋଲି କୁହଯାଇଛି।

ସମ୍ବନ୍ଧିତ ଖବର