ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୪୮ କିଲୋ ଓଜନର ଚାନୁ ୧୯୬ କିଲୋ ଉଠାଇ ଜିତିଲେ ସ୍ୱର୍ଣ୍ଣ

ଗୋଲଡ୍‌କୋଷ୍ଟ: ଭାରତର ଷ୍ଟାର େଓ୍ଵଟ୍‌ଲିଫ୍ଟର ମୀରାବାଇ ଚାନୁ ଗୁରୁବାର ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୮ କିଲୋଗ୍ରାମ ଭାରବର୍ଗରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ମଣିପୁରର ଚାନୁ ଏହି ପ୍ରତିଯୋଗିତାରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ସେ ପ୍ରତିଦ୍ୱନ୍ଦୀଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି।

ଚାନୁ ଏକା ଥରକେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି। ସେ ସ୍ନେଚରେ ୮୬ ଓ କ୍ଲିନ ଆଣ୍ଡ ଜର୍କରେ ୧୧୦ ସ୍କୋର କରି ସମୁଦାୟ ୧୯୬ ସ୍କୋର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସ୍ନେଚ ଓ କ୍ଲିନ ଆଣ୍ଡ ଜର୍କରେ ଚାନୁଙ୍କ ଏହା ହେଉଛି ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥି ସହିତ ସେ ଉଭୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରେକର୍ଡ ନିଜ ନାମରେ କରିଛନ୍ତି।

ଏହି ପ୍ରତିଯୋଗିତାରେ ମରିସସର ମେରି ହେନିତ୍ରା ରୌପ୍ୟ ପଦକ ଜିତିଛନ୍ତି। ସେ ସମୁଦାୟ ୧୭୦ କିଲୋଗ୍ରାମ ଉଠାଇଛନ୍ତି। ସେହିଭଳି ଶ୍ରୀଲଙ୍କାର ଦିନୁଶା ଗୋମେଜ ୧୫୫ କିଲୋଗ୍ରାମ ଭାର ଉଠାଇ କାଂସ୍ୟ ପଦକ ଜିତିଛନ୍ତି।

ଚାନୁ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଉଦ୍ୟମରେ ୮୦ କିଲୋଗ୍ରାମ ଉଠାଇଛନ୍ତି। ଏହା ପରେ ସେ ୮୪ କିଲୋଗ୍ରାମ ଓ ୮୬ କିଲୋଗ୍ରାମ ଉଠାଇ ନିଜର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହାସିଲ କରିଛନ୍ତି।

କ୍ଲିନ ଓ ଜାର୍କରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ଉଦ୍ୟମରେ ୧୦୩ କିଲୋଗ୍ରାମ ଉଠାଇଥିଲେ। ଏହା ପରେ ୧୦୭ କିଲୋଗ୍ରାମ ଭାର ଉଠାଇ ସଫଳତା ପାଇଥିଲେ।

ଶେଷରେ ୧୧୦ କିଲୋଗ୍ରାମ ଉଠାଇ ଚାନୁ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ସମ୍ବନ୍ଧିତ ଖବର