ରାଜ୍ୟଗୋଷ୍ଠୀ : ଗୋଲ୍‌ଡକୋଷ୍ଟକୁ ବିଦାୟ

ଗୋଲ୍‌ଡକୋଷ୍ଟ୍‍ : ରବିବାର ଦିନ ଉଦ୍‌ଯାପିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତୃତୀୟ ସ୍ଥାନ ଦଖଲ କରିଛି। ୨୬ ସ୍ୱର୍ଣ୍ଣ ସହିତ ଭାରତ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ସର୍ବକାଳିନ ସଫଳତାରେ ମଧ୍ୟ ତୃତୀୟ ଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ଭାରତ ପୂର୍ବରୁ କେବଳ ୨୦୧୦ ନୂଆଦିଲ୍ଲୀ ଏବଂ ୨୦୦୨ ମାଞ୍ଚେଷ୍ଟର୍‌ ସଂସ୍କରଣରେ ଅଧିକ ପଦକ ଜିତିଥିଲା। ନୂଆଦିଲ୍ଲୀରେ ୩୮ ସ୍ୱର୍ଣ୍ଣ ସହ ୧୦୧ ଏବଂ ମାଞ୍ଚେଷ୍ଟର୍‌ରେ ୩୦ ସ୍ୱର୍ଣ୍ଣ ସହ ମୋଟ ୬୯ ପଦକ ଜିତିଥିଲା। ରବିବାର ଶେଷ ଦିବସରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତିିଥିଲେ ସାଇନା ନେହ୍ଵାଲ। ବ୍ୟାଡ୍‌ମିଣ୍ଟନର ମହିଳା ଏକକ ଫାଇନାଲରେ ସେ ଅନ୍ୟତମ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ରଙ୍ଗାରଙ୍ଗ ଉଦ୍‌ଯାପନୀ ଉତ୍ସବରେ ବିଶ୍ୱ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଏମସି ମେରିକମ୍‌ ତ୍ରିରଙ୍ଗା ଧରିଥିଲେ। ମେରିକମ୍‌ ମଧ୍ୟ ପ୍ରଥମ ଥର ଏଠାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥି ସହ ଦୁଇ ସପ୍ତାହ ଧରି ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମାପିତ ହୋଇଛି। ୪ ବର୍ଷ ପରେ ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ଇଂଲଣ୍ଡର ବର୍ମିଂହାମ୍‌ (୨୦୨୨) ନଗରୀରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର