ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ୨୪ ବର୍ଷ ପରେ ଫେରିବ କ୍ରିକେଟ୍‌, ଭାରତ ପାଖରେ ପଦକ ଜିତିବାର ସୁଯୋଗ

ଦୁବାଇ: କମନୱେଲଥ ଗେମସ୍‌ ଫେଡେରେସନ୍‌ (ସିଜିଏଫ୍‌) ୨୦୨୨ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ୍‌କୁ ସାମିଲ କରିବା ନେଇ ମଙ୍ଗଳବାର ଘୋଷଣା କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ ଇଂଲଣ୍ଡର ବର୍ମିଂହାମ୍‌ରେ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି କ୍ରୀଡ଼ା ୨୦୨୨ ଜୁଲାଇ ୨୭ରୁ ଆରମ୍ଭ ହୋଇ ଅଗଷ୍ଟ ୭ ଯାଏଁ ଚାଲିବ। ଏଥିରେ ୧୮ଟି ଖେଳରେ ପାଖାପାଖି ୪୫ ହଜାର ଖେଳାଳି ଅଂଶଗ୍ରହଣ କରିବେ। କ୍ରିକେଟରେ ଭାରତୀୟ ମହିଳା ଟିମ୍‌ ପାଖରେ ପଦକ ଜିତିବାର ସୁଯୋଗ ଅଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ର ସମସ୍ତ କ୍ରିକେଟ ମ୍ୟାଚ୍‌ ବର୍ମିଂହାମ୍‌ର ଏଜବେଷ୍ଟନ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିରେ ୮ଟି ମହିଳା କ୍ରିକେଟ୍‌ ଟିମ୍‌ ଭାଗ ନେବେ ଏବଂ ଏହା ୮ ଦିନ ଧରି ଚାଲିବ। ସିଜିଏଫ ମହିଳା କ୍ରିକେଟ ବ୍ୟତୀତ ଭଲିବଲ ଓ ପାରା ଟେବୁଲ ଟେନିସ୍‌ଙ୍କୁ ମଧ୍ୟ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରିବାକୁ ମଂଜୁରୀ ଦେଇଛି।

ବର୍ଷ ୧୯୯୯ ପରେ କ୍ରିକେଟକୁ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଛି। କ୍ୱାଲାଲମପୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକାର ପୁରୁଷ ଟିମ ୫୦ ଓଭର ଫର୍ମାଟରେ ସ୍ୱର୍ଣ୍ଣପଦକ ଜିତିଥିଲା। ଭାରତକୁ କୌଣସି ପଦକ ମିଳି ନ ଥିଲା। ସଚିନ ତେନ୍ଦୁଲକର, ଜ୍ୟାକସ୍‌ କାଲିସ ଓ ରିକି ପଣ୍ଟିଙ୍ଗ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର