ଗୋଲଡ୍‌କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ, ତ୍ରିରଙ୍ଗା ଧରିଲେ ପିଭି ସିନ୍ଧୁ

ଖେଳ ମହାକୁମ୍ଭରେ ୭୧ଟି ଦେଶ, ଭାରତରୁ ୨୨୧ ଖେଳାଳି

ଗୋଲଡ୍‌କୋଷ୍ଟ: ବହୁପ୍ରତୀକ୍ଷିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବୁଧବାର ଉଦ୍‌ଘାଟିତ ହୋଇ ଯାଇଛି। ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟଠାରେ ଏପ୍ରିଲ ୧୫ ଯାଏ ଚାଲିବାକୁ ଥିବା ଖେଳ ମହାକୁମ୍ଭରେ ଭାରତୀୟ ତ୍ରିରଙ୍ଗାକୁ ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଧରିଥିଲେ। ଏଥିରେ ଭାରତର ସମୁଦାୟ ୨୨୧ ଜଣ ଖେଳାଳି ଭାଗ ନେଉଛନ୍ତି।

ରଂଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆତଶବାଜି ପ୍ରଦର୍ଶନ ମଧ୍ୟ ହୋଇଛି। ଏହାରି ଭିତରେ ମୂଷଳଧାରରେ ବର୍ଷା ମଧ୍ୟ ହୋଇଛି। ବର୍ଷା ସତ୍ତ୍ୱେ ମଧ୍ୟ ଷ୍ଟାଡିୟମରେ ଦର୍ଶକ ପୂରା ଥିଲେ। ଉଦ୍‌ଘାଟନି ଅବସରରେ ଅଷ୍ଟ୍ରେଲିଆର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଉଦ୍‌ଘାଟନ ସମାରୋହର ଥିମ୍‌ ‘ହ୍ୟାଲୋ ଆର୍ଥ’ ରଖାଯାଇଛି। ନୀଳ ରଙ୍ଗର ଆତାଶବାଜିକୁ ପ୍ରାଥମିକତା ଦିଆଯାଇଥିଲା।

ଅଷ୍ଟ୍ରେଲିଆର ପ୍ରତିରକ୍ଷା ବାହିନୀ ସଦସ୍ୟଙ୍କ ଦ୍ୱାରା ଅଷ୍ଟ୍ରେଲିଆ, ଏବରିଜନାଲ ଓ ଟୋରେସ ଷ୍ଟ୍ରେଟ ଦୀପ ଧ୍ୱଜାରୋହଣ କରିଥିଲେ। ମଞ୍ଚରେ ବ୍ରିଟେନ୍‌ର ପ୍ରିନ୍ସ ଚାଲର୍ସ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମେଲକମ୍‌ ଟର୍ଣ୍ଣବୁଲ ମଧ୍ୟ ଉପସ୍ଥିତ ଥିଲେ।

ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ଅଷ୍ଟ୍ରେଲିଆର ଗୋଲ୍‌କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାଠୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଆଉ ମାତ୍ର ଗୋଟିଏ ବାଉଟ୍‌ ଜିତିଗଲେ ମେରି କମ୍‌ ଭାତର ପାଇଁ ରାଜ୍ୟଗୋଷ୍ଠୀ ପଦକ ନିଶ୍ଚିତ କରିବେ। ମଙ୍ଗଳବାର ଏଠାରେ ମୁଷ୍ଟିଯୁଦ୍ଧ ଡ୍ର’ ଉଠାଣ ହୋଇଥିଲା ବେଳେ ମହିଳା ମୁଷ୍ଟିଯୁଦ୍ଧ ବର୍ଗରେ ମାତ୍ର ୮ ପ୍ରତିଯୋଗୀ ରହିଛନ୍ତି। ଫଳରେ ମେରି କମ୍‌ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରୁ ହିଁ ଅଭିଯାନ ଆରମ୍ଭ କରିବେ। ଆଉ କ୍ୱାର୍ଟର ଫାଇନାଲ୍‌ରେ ୩୫ ବର୍ଷ ବୟସ୍କା ମେରି କମ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ସ୍କଟ୍‌ଲାଣ୍ଡ୍‌ର ମେଗାନ୍‌ ଗର୍ଡନ୍‌। ମେରି କମ୍‌ ଓ ଗର୍ଡନ୍‌ଙ୍କ ମଧ୍ୟରେ ଲଢ଼େଇ ୮ ତାରିଖରେ ହେବ। ଏଠାରେ ସ୍ୱର୍ଣ୍ଣ ପଦକ ଜିତିବାର ପ୍ରମୁଖ ଦାବିଦାର ଥିବା ମେରି କମ୍‌ କ୍ୱାର୍ଟର ଫାଇନାଲ୍‌ ଜିତିନେଲେ ଅତି କମ୍‌ରେ କାଂସ୍ୟ ଜିତିବା ନିଶ୍ଚିତ ହୋଇଯିବ। ତେବେ ନିଜର ପ୍ରଥମ ଓ ଶେଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୮ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମେରି କମ୍‌ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେନି ବୋଲି କହିଛନ୍ତି। ସେହିପରି ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ପିଙ୍କି ଜାଙ୍ଗ୍ରା (୫୧ କେଜି) ମଧ୍ୟ କ୍ୱାର୍ଟର ଫାଇନାଲ୍‌ରୁ ଲଢ଼େଇ ଆରମ୍ଭ କରିବେ। ସେ ଏହି ପର୍ଯ୍ୟାୟରେ ଇଂଲଣ୍ଡର ଲିସା ହ୍ଵାଇଟ୍‌ସାଇଡ୍‌ଙ୍କୁ ପରାସ୍ତ କରିଦେଲେ ଭାରତ ପାଇଁ ପଦକ ନିଶ୍ଚିତ କରିବେ। ପିଙ୍କି ଓ ଲିସାଙ୍କ ଲଢ଼େଇ ୧୧ ତାରିଖରେ ହେବ। ତେବେ ଏକମାତ୍ର ଭାରତୀୟ ମହିଳା ଭାବେ ଇଣ୍ଡିଆ ଓପନ୍‌ ସ୍ୱର୍ଣ୍ଣ ବିଜୟିନୀ ଲଭ୍‌ଲିନା ବୋର୍ଗୋହେଁ (୬୯ କେଜି) ପ୍ରଥମ ରାଉଣ୍ଡ୍‌ ବାଇ ପାଇ କ୍ୱାର୍ଟରରେ ପହଞ୍ଚିଛନ୍ତି। କ୍ୱାର୍ଟରରେ ତାଙ୍କର ମୁକାବିଲା ଇଂଲଣ୍ଡର ସାଣ୍ଡି ର‍୍ୟାନ୍‌ଙ୍କ ସହ ହେବ। ପୂର୍ବତନ ବିଶ୍ୱ ଓ ଏସୀୟ ବିଜୟିନୀ ଏଲ୍‌ ସରିତା ଦେବୀ (୬୦ କେଜି) କିମ୍ବର୍ଲି ଗିଟେନ୍‌ସଙ୍କ ସହ ଲଢ଼ି ଅଭିଯାନ ଆରମ୍ଭ କରିବେ।
ଅନ୍ୟପକ୍ଷରେ ପୁରୁଷ ବର୍ଗରେ ବିକାଶ କୃଷ୍ଣନ୍‌, ସତୀଶ କୁମାର ଏବଂ ମନୀଷ କୌଶିକ୍‌ ମଧ୍ୟ ବାଇ ପାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଯୁବ ଭାରତୀୟ ନମନ ତନ୍‌ଓ୍ଵାର (୧୯ ବର୍ଷ) ୯୧ କେଜି ବର୍ଗରେ ୬ ତାରିଖ ଦିନ ପ୍ରଥମ ରାଉଣ୍ଡ୍‌ ଲଢ଼େଇରେ ଅବତୀର୍ଣ୍ଣ ହେବେ। ସେ ତାଞ୍ଜାନିଆର ହରୁନା ମାଣ୍ଡୋଙ୍କ ସହ ଲଢ଼ି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିବେ। ତାଙ୍କ ପୂର୍ବରୁ ୫ ତାରିଖରେ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ମନୋଜ କୁମାର (୬୯ କେଜି) ଭାରତ ପାଇଁ ଅଭିଯାନ ଆରମ୍ଭ କରିବେ। ସେ ପ୍ରଥମ ରାଉଣ୍ଡ୍‌ରେ ନାଇଜେରିଆର ଓସିତା ଉମେଶଙ୍କ ସହ ଲଢ଼ିବେ। ୭ ତାରିଖରେ ମହମ୍ମଦ ହୁସାମୁଦ୍ଦିନ୍‌ (୫୬ କେଜି) ବନତୁସ୍‌ର ବୋଏ ଓ୍ଵାରାଓ୍ଵାରାଙ୍କ ସହ ଏବଂ ୯ ତାରିଖରେ ଗୌରବ ସୋଲାଙ୍କି ଘାନାର ଅନଙ୍ଗ ଅମ୍ପିଆସ୍‌ଙ୍କ ସହ ଲଢ଼ିବେ। ସେହିପରି ଇଣ୍ଡିଆ ଓପନ୍‌ ସ୍ୱର୍ଣ୍ଣ ବିଜେତା ଅମିତ ପଙ୍ଗଲ୍‌ (୪୯ କେଜି) ଘାନାର ଟେଟେ ସୁଲେମାନୁଙ୍କ ସହ ଲଢ଼ି ଅଭିଯାନ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର