କବାଡ଼ି ଖେଳାଳିଙ୍କ କରୁଣ ନିବେଦନ ବିବାହ ପାଇଁ ବାଧ୍ୟ କରୁଛନ୍ତି; ନିର୍ଯ୍ୟାତନା ବି ଦେଉଛନ୍ତିି

ପରିବାର ବିରୋଧରେ ଅଭିଯୋଗ

ରୋହତକ: ଜାତୀୟ ସ୍ତରର ଜଣେ ମହିଳା କବାଡ଼ି ଖେଳାଳି ନିଜ ପରିବାର ତଥା ପିତାମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅନିଛା ସତ୍ତ୍ୱେ ବିବାହ ପାଇଁ ତାଙ୍କୁ ପରିବାର ସଦସ୍ୟ ବାଧ୍ୟ କରୁଥିବା ଏବଂ ନିର୍ଯ୍ୟାତନା ମଧ୍ୟ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତିି। ଏହି କବାଡ଼ି ଖେଳାଳି ଜଣକ ହେଲେ ପ୍ରୀତି। ପାନିପତର ମହାବତୀ ଗ୍ରାମରେ ତାଙ୍କ ଘର। ଏବେ କିନ୍ତୁ ସେ ରୋହତକରେ ରହି ବୈଶ ମହାବିଦ୍ୟାଳୟରେ କଳାରେ ସ୍ନାତକ ପଢ଼ୁଛନ୍ତି। ତାଙ୍କ ପରିବାର ୪ ବର୍ଷ ଧରି କର୍ନଲରେ ରହୁଛନ୍ତି। ପ୍ରୀତି ନିଜର ପାଠପଢ଼ା ସହିତ କ୍ରୀଡ଼ାରେ ଧ୍ୟାନ ଦେବା ପାଇଁ ଚାହୁଁଛନ୍ତି। ହେଲେ ପିତାମାତା ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଛନ୍ତି। ହେଲେ ଗତବର୍ଷ ସେପ୍ଟେମ୍ବରରେ ତାଙ୍କ ପିତା ରୋହତକ ଆସି ତାଙ୍କୁ ଜୋରଜବରଦସ୍ତ କର୍ନଲ ନେଇ ଯାଇଥିଲେ ବୋଲି ପ୍ରୀତି ଅଭିଯୋଗ କରିଛନ୍ତି। ସେଠାରେ ତାଙ୍କଠୁ ଯଥେଷ୍ଟ ଅଧିକ ବୟସର ଜଣେ ବ୍ୟକ୍ତି ସହ ସଂପର୍କ ରଖିବାକୁ ତଥା ବିବାହ କରିବାକୁ ମଧ୍ୟ ବାପା ବାଧ୍ୟ କରିଥିଲେ। ହେଲେ ପ୍ରୀତି ବିବାହ କରିବାକୁ ମନା କରିଦେବାରୁ ପିତାମାତା ତାଙ୍କୁ ଗୋଟିଏ ନିବୁଜ ଘରେ ଅନେକ ଦିନ ଧରି ତାଲା ପକାଇ ବନ୍ଦ କରି ରଖିଥିଲେ। ଏହାକୁ ନେଇ ପ୍ରୀତି ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରୀତି ହରିଆନା ମହିଳା କମିଶନଙ୍କୁ ଭେଟି ନିଜ ଅଭିଯୋଗ ଦାଖଲ କରିଛନ୍ତି। ସେ ମଧ୍ୟ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର, ହରିଆନା ପୁଲିସ ମହାନିର୍ଦେଶକ (ଡିଜିପି) ଏବଂ କର୍ନଲ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କୁ ଲିଖିତ ଅଭିଯୋଗ କରି ସହାୟତା ପାଇଁ ନିବେଦନ କରିଛନ୍ତି। ନିଜ ଭବିଷ୍ୟତ ସଜାଡ଼ିବା ପାଇଁ ମୁଁ ଚାହୁଁଥିଲା ବେଳେ ପରିବାର ସଦସ୍ୟ ମୋତେ ବିବାହ ପାଇଁ ବାଧ୍ୟ କରୁଛନ୍ତି। ସେମାନେ ମଧ୍ୟ ମୋତେ କୌଣସି ପ୍ରତିଯୋଗିତା ନଖେଳିବା ପାଇଁ ଶାରୀରିକ ନିର୍ଯ୍ୟାତନା ଦେବାକୁ ପଛାଉନାହାନ୍ତି। ପୁଣି ପିତାମାତ ମଧ୍ୟ ମୋତେ କଲେଜ ଯିବାକୁ ଦେଉନାହାନ୍ତି। ଏପରିସ୍ଥଳେ କିପରି ମୁ ପରୀକ୍ଷା ଦେଇପାରିବି ଏବଂ ଖେଳ ଜୀବନକୁ ଆଗକୁ ବଢ଼ାଇପାରିବି ସେ ନେଇ ସହାୟତା ଯୋଗାଇ ଦେବାକୁ ପ୍ରୀତି ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଡିଜିପି, ଏସ୍‌ପି ଓ ମହିଳା କମିଶନଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିବା ଖବର ପାଇବା ପରେ ପରିବାର ସଦସ୍ୟ ମୋ ଭାବନା ସହ ଖେଳିବା ସାଙ୍ଗକୁ ମୋତେ ଧମକଚମକ ମଧ୍ୟ ଦେଉଛନ୍ତି। ମୁଁ ସେମାନଙ୍କ ସହ ଯୁଝିବାକୁ ଚାହୁଁନି। ମାତ୍ର ଯଦି କୌଣସି ମତେ ଦୁର୍ଭାଗ୍ୟବଶତଃ ମୋ ସହିତ କିଛି ବି ଘଟିଯାଏ, ତେବେ ସେଥିପାଇଁ ମୋ ବାପା ହିଁ ଏକାକୀ ଦାୟୀ ରହିବେ ବୋଲି ପ୍ରୀତି ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏଭଳି ଗୁରୁତର ଅଭିଯୋଗ ନେଇ ପ୍ରୀତି ତାଙ୍କୁ ଭେଟିଥିବା ହରିଆନା ମହିଳା କମିଶନ ଅଧ୍ୟକ୍ଷା ପ୍ରତିଭା ସୁମନ କହିଛନ୍ତି। ତାଙ୍କ ପରିବାର ବିଶେଷକରି ବାପାମା ତାଙ୍କୁ ପାଠପଢ଼ା ଓ ଖେଳ ଜୀବନ ଗଢ଼ିବା ଦିଗରେ ପ୍ରୀତିଙ୍କୁ ସମର୍ଥନ କରୁନଥିବା ଅଧ୍ୟକ୍ଷା କହିଛନ୍ତି। ପ୍ରୀତିଙ୍କ ପରିବାରର ଆର୍ଥିକ ଅବସ୍ଥା ବେଶ୍‌ ସ୍ୱଚ୍ଛଳ। ତେଣୁ ପ୍ରୀତିଙ୍କୁ ପାଠ ପଢ଼ାଇବା ଏବଂ ଖେଳିବା ନେଇ ଉତ୍ସାହିତ କରିବାରେ ପରିବାରର କୌଣସି ଅସୁବିଧା ମଧ୍ୟ ନାହିଁ। ତଥାପି ଆର୍ଥିକ ଦୃଷ୍ଟିକୋଣରୁ ଯଦି ପରିବାର ପାଇଁ ଏହା କଷ୍ଟକର ହୁଏ, ତେବେ ହରିଆନା ମହିଳା କମିଶନ ଏକ୍ଷେତ୍ରରେ ପ୍ରୀତିଙ୍କୁ ସହାୟତା ଯୋଗାଇଦେବ ବୋଲି ପ୍ରତିଭା ସୁମନ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର