ଭୁବନେଶ୍ୱର: ଥାଇଲାଣ୍ଡ୍ର ବ୍ୟାଙ୍କକ୍ ସହରରେ ଜୁନ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଥାଇଲାଣ୍ଡ୍ ଓପନ୍ ଜୁ ଜୁତ୍ସୁ ପ୍ରତିଯୋଗିତାରେ ଭାଗ ନେଇ ଅନ୍ତର୍ଜାତୀୟ ପଦାର୍ପଣ କରିବେ ଦୁଇ ଓଡ଼ିଆ ଝିଅ ଅନୁପମା ସ୍ୱାଇଁ ଏବଂ ପ୍ରି୍ରୟଦର୍ଶିନୀ ଘଟୁଆରି। ଉଭୟଙ୍କୁ ମଙ୍ଗଳବାର ଉତ୍କଳ କରାଟେ ସ୍କୁଲ୍ ପରିସରରେ ବିଦାୟୀ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଗତ ଏପ୍ରିଲ୍ ମାସରେ କେରଳରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ପୁଲିସ୍ରେ ନିଯୁକ୍ତ ଅନୁପମା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏମ୍ବିଏସ୍ ପବ୍ଲିକ୍ ସ୍କୁଲ୍ରେ କାର୍ଯ୍ୟରତ ପ୍ରିୟଦର୍ଶିନୀ ରୌପ୍ୟ ପଦକ ଜିତିଥିଲେ। ଥାଇଲାଣ୍ଡ୍ ପ୍ରତିଯୋଗିତା ବିଶ୍ୱମାନ୍ୟତା ବିଶିଷ୍ଟ ହୋଇଥିବାରୁ ଉଭୟଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ମିଳିବ ବୋଲି ଶୁଭେଚ୍ଛା ପ୍ରଦାନ ଉତ୍ସବ ଅବସରରେ କହିଥିଲେ ରାଜ୍ୟ ସଂଘ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ। ସମ୍ପାଦିକା ଗୌରୀ ମହାନ୍ତିଙ୍କ ସହିତ ସନ୍ଦୀପ ମହାନ୍ତି ଉପସ୍ଥିତ ଥିଲେ। ଉଭୟ ୪୯ କିଲୋଗ୍ରାମରେ ଭାଗନେବାକୁ ଯାଉଥିଲେ ମଧ୍ୟ ଅନୁପମା ଅତିରିକ୍ତ ଭାବେ କଣ୍ଟାକ୍ଟ ବର୍ଗରେ ଭାଗନେବେ ବୋଲି ସୂଚନା ଦିଆଯାଇଛି। ପଦକ ଜିତନ୍ତୁ ବା ନଜିତନ୍ତୁ ଉଭୟଙ୍କୁ ବଡ଼ ଅଭିଜ୍ଞତା ମିଳିବ ବୋଲି କହିଥିଲେ ଡକ୍ଟର ପଟ୍ଟନାୟକ। ଆବଶ୍ୟକ ଅନୁସାରେ ସେମାନଙ୍କୁ ଅଭ୍ୟାସ ମିଳିନାହିଁ। ଆମେ ନିଯୁକ୍ତ କରିଥିବା ବ୍ରାଜିଲୀୟ ପ୍ରଶିକ୍ଷକ ଏବେ ଭିସା ନବୀକରଣ ପାଇଁ ସ୍ୱଦେଶ ଯାଇଥିବାରୁ ଅସୁବିଧା ହୋଇଛି। ତଥାପି ଆମେ ନିଜ ଚେଷ୍ଟା କରିଛୁ। ପଦକ ଜିତିବେ ବୋଲି ମୁ ବଢ଼ାଇ ଚଢ଼ାଇ କହିବି ନାହିଁ। ପ୍ରଥମ ରାଉଣ୍ଡ୍ ଜିତିଲେ ବଡ଼ କଥା ହେବ। ଏହି ସାମରିକ କଳାର ଖେଳ ଭାରତକୁ ବିଶେଷ କରି ଓଡ଼ିଶାକୁ ବିଳମ୍ବରେ ଆସିଛି। ଅନ୍ୟ ଦେଶ ଗୁଡ଼ିକ ଅଧିକ ଅଭିଜ୍ଞ ଥିବାରୁ ଆମକୁ ଅନେକ ବାଟ ଯିବାକୁ ଅଛି ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ। ପ୍ରି୍ରୟଦର୍ଶିନୀଙ୍କ ଭଳି ବାଙ୍ଗାଲୋର୍ରେ ପ୍ରଶିକ୍ଷିତ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ସତ୍ୟପ୍ରିୟ ବେଉରିଆ ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ଏସୀୟ କ୍ରୀଡ଼ା ପାଇଁ ଅଭିଜ୍ଞତା ମିଳିବ’
ଜୁ ଜିତ୍ସୁରେ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ଲାଗି ଯାଉଥିବାରୁ ବହୁତ ଖୁସୀ ଲାଗୁଛି। ତଥାପି ମନ ଭିତରେ ଭୟ ଓ ନର୍ଭସ ରହିଛି। ପ୍ରତିଦ୍ୱନ୍ଦ୍ୱୀମାନେ ନିଶ୍ଚିତ ଭଲ ପ୍ରସ୍ତୁତ କରିଥିବେ ଏବଂ ସେମାନଙ୍କ ଷ୍ଟାମିନା ଅଧିକ ଥିବ। ତଥାପି କରାଟେ ଓ ଗ୍ରାପ୍ଲିଙ୍ଗରୁ ପାଇଥିବା ଅଭିଜ୍ଞତା ଆତ୍ମବିଶ୍ୱାସ ଦେଇଛି। ଉତ୍କଳ କରାଟେ ସ୍କୁଲ୍ ପରିସରରେ ଅନୁପମାଙ୍କ ସହିତ ଥିବା ୨୦ ଜଣଙ୍କ ସହ ଅଭ୍ୟାସ ଏବଂ ବ୍ରାଜିଲୀୟ ପ୍ରଶିକ୍ଷକ ଦେଇଥିବା ପରାମର୍ଶକୁ ଉପଯୋଗ କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ ପ୍ରିୟଦର୍ଶିନୀ ଘଟୁଆରି। ଏସୀୟ କ୍ରୀଡ଼ା ପାଇଁ ମିଳିଥିବା ଯୋଗ୍ୟତା ପୂର୍ବରୁ ଏହି ପ୍ରତିଯୋଗିତାରୁ ମୋତେ ଅଭିଜ୍ଞତା ମିଳିବ। ଅନ୍ୟର ଶକ୍ତି ଓ ସାମର୍ଥ୍ୟ ତଉଲିବାର ସୁଯୋଗ ଦେବ ବୋଲି କହିଥିଲେ ପ୍ରିୟଦର୍ଶିନୀ।
ଏସୀୟ ଶକ୍ତି ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଥିବା ଅନୁପମା ଏବେ ଆଉ ଏକ ସାମରିକ କଳାର କ୍ରୀଡ଼ାରେ ଅନ୍ତର୍ଜାତୀୟ ପଦାର୍ପଣ ଲାଗି ଯାଉଛନ୍ତି। ଏଥି ପାଇଁ ମୁଁ ଭଲ ପ୍ରସ୍ତୁତି କରିଛି। ସଫଳତା ପାଇବା ପୂର୍ବରୁ ଏଭଳି ବଡ଼ ବଡ଼ ପ୍ରତିଯୋଗିତାରେ ଖେଳିବାର ଆବଶ୍ୟକତା ରହିଛି। ପ୍ରତିଦ୍ୱଦ୍ୱୀର ଶକ୍ତି ଓ ସାମର୍ଥ୍ୟକୁ ଦେଖିବା ପରେ ନିଜକୁ ଅଧିକ ପ୍ରସ୍ତୁତି କରିବାର ଅବସର ମିଳିବ। ଜୁ ଜିତ୍ସୁରେ ସଫଳତା ପାଇବାକୁ ଶକ୍ତି ଓ କୌଶଳର ମିଶ୍ରିତ କଳା ଆବଶ୍ୟକ। ଥାଇଲାଣ୍ଡ ଓପନ୍ ନିଶ୍ଚିତ ମୋତେ ଏକ ନୂଆ ଅଭିଜ୍ଞତା ଦେବ ବୋଲି କହିଥିଲେ ଅନୁପମା ସ୍ୱାଇଁ। ସୂଚନାଯୋଗ୍ୟ, କରାଟେ, ଗ୍ରାପଲିଂ, ଶକ୍ତିଉତ୍ତୋଳନ, ଓ୍ଵାଲ୍କ୍ଲାଇମ୍ବିଂ ପରେ ଅନୁପମା ଏବେ ଆଉ ଏକ ଖେଳରେ ନିଜ ଉତ୍କର୍ଷତା ଦେଖାଇବାର ସୁଯୋଗ ପାଇଛନ୍ତି। ୫୦ କିଲୋ ଓଜନର ଏହି ଝିଅ ନିଜେ ୧୫୦ କିଲୋ ଉଠାଇ ପାରୁଥିବାରୁ ତା ନିକଟରେ ଅସମ୍ଭବ ଦକ୍ଷତା ରହିଛି। ଆଗାମୀ ୧/୨ ବର୍ଷ ଭିତରେ ସେ ଶାଣିତ ହୋଇଗଲେ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ରହିଥିବା କହିଥିଲେ ତାଙ୍କ ଗୁରୁ ତଥା ମାର୍ଗଦର୍ଶନ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ।