ଜୟନ୍ତୀଙ୍କ ନିଲମ୍ବନକୁ ନେଇ ବିବାଦ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାରେ ବି ଏକଛତ୍ରବାଦୀ, ଅହଂକାରୀ ଓ ସ୍ୱାର୍ଥନେ୍ଵଷୀ ଶାସନ ଚାଲିଛି। ଏହାର ଏକାଧିକ ଉଦାହରଣ ରହିଥିଲେ ମଧ୍ୟ ପଦାକୁ ଆସିଥିବା ସଦ୍ୟତମଟି ହେଉଛି ଓଡ଼ିଶା ପାରା ସ୍ପୋର୍ଟସ ଆସୋସିଏସନ (ଓପିଏସ୍‌ଏ)। ଗୁରୁବାର ‘ସମ୍ବାଦ’କୁ ଓପିଏସ୍‌ଏ ପକ୍ଷରୁ ପ୍ରେରିତ ଇ ମେଲ୍‌ ଓ ହ୍ଵାଟ୍‌ସଆପ୍‌ରେ ଦୁଇଟି ସୂଚନା ଥିଲା। ଗୋଟିଏ ଥିଲା ଏହାର ଜାତୀୟ ସଂଘ ‘ପାରାଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ’ (ପିସିଆଇ) ବିରୋଧରେ ଦୁର୍ନୀତି ଓ ପ୍ରିୟାପ୍ରୀତି ଅଭିଯୋଗ। ଅନ୍ୟଟି ଥିଲା ରାଜ୍ୟର ଉଦୀୟମାନ ଅନ୍ତର୍ଜାତୀୟ ପାରା ଆଥ୍‌ଲେଟ୍‌ ଜୟନ୍ତୀ ବେହେରାଙ୍କ ୫ ବର୍ଷ ନିଲମ୍ବନ। ଉଭୟର ପ୍ରେରକ ଥିଲେ ଓପିଏସ୍‌ଏର ସାଧାରଣ ସମ୍ପାଦକ ବିଷ୍ଣୁଚରଣ ସାହୁ। ପ୍ରଥମ ପ୍ରସଙ୍ଗରେ ଶ୍ରୀ ସାହୁ ପିସିଆଇରେ କିଭଳି ଅନିୟମିତତା, ଦୁର୍ନୀତି, ଖେଳାଳିଙ୍କୁ ପକ୍ଷପାତ, ପ୍ରମାଣପତ୍ର ବଣ୍ଟନରେ ଆର୍ଥିକ କାରବାର, ପ୍ରତିଶ୍ରୁତି ମୁତାବକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ନଥିବାର ଅଭିଯୋଗ ଆଣିଥିଲେ। ଏହା ଜାତୀୟ ପ୍ରସଙ୍ଗ ହୋଇଥିବାରୁ ଓଡ଼ିଶାର ସ୍ୱାର୍ଥ କେତେ ଜଡ଼ିତ ଆମ ପାଇଁ ବିଶେଷ ଗୁରୁତ୍ୱ ରଖିନଥିଲା।

କିନ୍ତୁ ଦ୍ୱିତୀୟଟିରେ ରାଜ୍ୟର ପ୍ରତିଭାସମ୍ପନ୍ନ ପାରା ଆଥ୍‌ଲେଟ୍‌ ଜୟନ୍ତୀ ବେହେରାଙ୍କୁ ୫ ବର୍ଷ ପାଇଁ ଓଡ଼ିଶାରୁ ନିଲମ୍ବିତ କରାଗଲା ବୋଲି ଘୋଷଣା କରାଯିବା କଥାଟିକୁ ଆମେ ସହଜରେ ଗ୍ରହଣ କରି ପାରିନଥିଲୁ। କାରଣ ବି ଥିଲା ଅଜବ ଏବଂ ଏହା ଶ୍ରୀ ସାହୁଙ୍କ ପାଇଁ ବୁମେରାଂ ହୋଇଥିଲା। ରାଜ୍ୟ ସଂଘ (ଓପିଏସ୍‌ଏ) ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ଜୟନ୍ତୀଙ୍କୁ କୌଣସି ସୁଯୋଗ ନ ଦେଇ ଏଭଳି ଏକଛତ୍ରବାଦ ଘୋଷଣା କରାଯାଇଥିଲା। ଜୟନ୍ତୀଙ୍କ ଆଚରଣ ନିଷ୍ଠାହୀନ, ଦୁଷ୍ଟାମୀ, ବିଦ୍ରୋହୀ, ବେଆଇନ ଏବଂ କୃତଘ୍ନଙ୍କ ଭଳି ଥିବାରୁ ତାଙ୍କୁ ତୁରନ୍ତ ଆଜିଠାରୁ ୫ ବର୍ଷ ପାଇଁ ନିଲମ୍ବିତ କରାଗଲା ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି। ତୁରନ୍ତ ଜୟନ୍ତୀଙ୍କ ନିକଟକୁ ଆଇନଗତ ନୋଟିସ ପଠାଯିବ ଏବଂ ରାଜ୍ୟ ସଂଘ ନିୟମ କାନୁନକୁ ମାନିବାକୁ ହେବ। ଜଣେ ଖେଳାଳି ଯେତେ ପ୍ରତିଭାସମ୍ପନ୍ନ ହେଲେ ବି ରାଜ୍ୟ ସଂଘଠାରୁ ଊର୍ଧ୍ୱରେ ନୁହେଁ। ତୁମେ ଓଡ଼ିଶା ବାହାରକୁ ଚାଲିଗଲେ ବି ଆମେ ଛାଡ଼ିବୁ ନାହିଁ ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଥିଲେ।
ଜାତୀୟ ପାରା ଅଲିମ୍ପିକ୍ସରେ ନିଜ ବର୍ଗରେ ପ୍ରାଧାନ୍ୟ ବିସ୍ତାର କରିଥିବା ଜୟନ୍ତୀ ଗତବର୍ଷ ବିଶ୍ୱ କନିଷ୍ଠ ପାରା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚମତ୍କତ କରିଥିଲେ। ଇତିମଧ୍ୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପଦକ ଜିତି ସାରିଛନ୍ତି ଏହି କୁନି ଝିଅଟି। କନିଷ୍ଠ ବର୍ଗରେ ଥିବା ଏହି ଖେଳାଳିଙ୍କୁ ପକ୍ଷ ରଖିବାକୁ କୌଣସି ଦ୍ୱିତୀୟ ସୁଯୋଗ ନ ଦେଇ ଏଭଳି ନିଲମ୍ବନ କରାଯିବା ସମ୍ପର୍କରେ ‘ସମ୍ବାଦ’ ଶ୍ରୀ ସାହୁଙ୍କଠାରୁ ଜାଣିବାକୁ ଚାହିଁଥିଲା। ତାଙ୍କ ଯୁକ୍ତିଥିଲା ଅଜବ। ଜୟନ୍ତୀ ରାଜ୍ୟ ସଂଘ ବିରୋଧରେ ଯାଇଥିବାରୁ ଆମେ ଏଭଳି ନିଷ୍ପତ୍ତି ନେଇଛୁ। କିନ୍ତୁ ଏହା ସଂଘର ନିଷ୍ପତ୍ତି ନୁହେଁ ସମ୍ପାଦକ ବିଷ୍ଣୁ ଚରଣ ସାହୁଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଥିବା କଥା ଧରାପଡ଼ିଯାଇଥିଲା। ସଭାପତି ନବରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଥିଲେ। କିନ୍ତୁ ପରେ ଭୁଲ ହୋଇଗଲା କହି କ୍ଷମାମାଗି ନେଇଥିଲେ। ଆମ ସଭାପତି ଦିଲୀପ ରାୟ ବୋଲି ସଂଶୋଧନ କରି କହିଥିଲେ। ଅନ୍ୟପକ୍ଷରେ ବିଗତ ୫/୬ ବର୍ଷ ହେବ କୌଣସି କାର୍ଯ୍ୟକ୍ରମ ନ ହେବାରୁ ମୁଁ ପାରା ଆସୋସିଏସନ୍‌ଠାରୁ ଦୂରେଇ ଯାଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ବାସ୍ତବରେ ଜୟନ୍ତୀଙ୍କୁ ଶ୍ରୀ ସାହୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା ଏବଂ ବିଭିନ୍ନ ପ୍ରତିଯୋଗିତା ଲାଗି ଅର୍ଥମାଗିବାରୁ ସେ ପିସିଆଇ ନିକଟରେ ଅଭିଯୋଗ କରିଥିଲେ। ଭବିଷ୍ୟତରେ ମୋତେ ଶ୍ରୀ ସାହୁ ହଇରାଣ କରିବେ ବୋଲି ଆଶଙ୍କା ପ୍ରକଟ କରିଥିଲେ। ଜୟନ୍ତୀଙ୍କ ଏହି ଦୁଇଟି ନିବେଦନ ପତ୍ରକୁ ଶ୍ରୀ ସାହୁ ଚଞ୍ଚକତାପୂର୍ବକ ହାତେଇଥିଲେ। ରାଜ୍ୟ ସଂଘ ବିରୋଧରେ ଯାଇଥିବାରୁ ଜୟନ୍ତୀଙ୍କୁ ଏବେ କୌଣସି ଦ୍ୱିତୀୟ ସୁଯୋଗ ନ ଦେଇ ୫ ବର୍ଷ ପାଇଁ ନିଲମ୍ବିତ କରାଗଲା। ସେ ଆଉ କୌଣସି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିବା କଥାକୁ କିନ୍ତୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି। ଅନ୍ୟପକ୍ଷରେ ଜାତୀୟ ସଂଘ ଉପ ସଭାପତିଙ୍କ ମେଲରୁ ସେ କିଭଳି ଜୟନ୍ତୀଙ୍କ ଚିଠିକୁ ଚୋରି କରିଛନ୍ତି ଏ ପ୍ରତିନିଧିଙ୍କ ଆଗରେ ସ୍ୱୀକାର କରିଥିଲେ। ଜୟନ୍ତୀ ସତ କହିଥିବାରୁ ଏବେ ନିଲମ୍ବିତ ହୋଇଛନ୍ତି। କିନ୍ତୁ ଶ୍ରୀ ବିଷ୍ଣୁ ଚରଣ ସାହୁ ନିଜେ ଏହି ପ୍ରସଙ୍ଗରେ ମିଛ କହି ନିଜ ଅହଂକାରକୁ ଲୁଚାଇବାକୁ କାର୍ଯ୍ୟାନୁଷ୍ଠାନର ସହାୟତା ନେଇଛନ୍ତି। ଏ ସମ୍ପର୍କରେ ଜୟନ୍ତୀଙ୍କ ପ୍ରତିକି୍ରୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର