ବିଶ୍ବକପ୍ ବ୍ୟାଟିଂକୁ ନେଇ ବଢ଼ୁଛି ବିତର୍କ, କୋହଲି, ଧୋନିଙ୍କୁ ନେଇ ବିଶେଷଜ୍ଞ ଦି’ଫାଳ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌ରେ ଭାରତୀୟ ବ୍ୟାଟିଂକ୍ରମକୁ ନେଇ ଜୋରସୋର ଚର୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ୩, ୪ ଓ ୫ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ? ତାହା ଏବେ ମୁଖ୍ୟ ଚର୍ଚାର ବିଷୟ ହୋଇଛି। ବିଶେଷଜ୍ଞମାନେ ମଧ୍ୟ ଏହାକୁ ନେଇ ଦୁଇ ଫାଳ ହୋଇଛନ୍ତି। କିଛି ପୂର୍ବତନ କ୍ରିକେଟର ‌କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବା ସପକ୍ଷରେ ଥିଲା ବେଳେ ଆଉ କେତେକ ଅମ୍ବାତି ରାୟୁଡୁଙ୍କୁ ଏହି ସ୍ଥାନ ପାଇଁ ବାଛିଛନ୍ତି। ସବୁଠୁ ବେଶୀ ମତପାର୍ଥକ୍ୟ କିନ୍ତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଦେଖିବାକୁ ମିଳୁଛି। ଧୋନି ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ବ୍ୟାଟିଂ କଲେ ଭଲ ହେବ ବୋଲି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ଅନୀଲ କୁମ୍ବଲେ ମତ ଦେଇଛନ୍ତି। ମାହି ଚତୁର୍ଥ ସ୍ଥାନରେ ଖେଳିବାକୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ମଧ୍ୟ ଦୃଢ଼ ସମର୍ଥନ ଦେଇଛନ୍ତି। ତେବେ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏଥିରେ ଏକମତ ନଥିବା ଜଣାପଡ଼ିଛି। ବିଶ୍ବକପ୍‌ରେ କୋହଲି ତୃତୀୟ ପରିବର୍ତେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିପାରନ୍ତି ବୋଲି ସେ କହିଛନ୍ତି। ଏହା ହେଲେ ରାୟୁଡୁଙ୍କୁ କୋହଲି ନିଜ ସ୍ଥାନ ଛାଡ଼ିବେ। କୋହଲି ଓ ଧୋନିଙ୍କ ପ୍ରଦର୍ଶନକୁ ତର୍ଜମା କଲେ କିନ୍ତୁ ଜଣାପଡ଼େ ଯେ କୋହଲି ତୃତୀୟ ସ୍ଥାନରେ ଖେଳି ଅଧିକ ସଫଳତା ପାଇଛନ୍ତି। ତୃତୀୟ ସ୍ଥାନରେ ୧୬୨ ପାଳି ଖେଳି ସେ ୮୪୪୦ ରନ୍ କରିଛନ୍ତି। ଚତୁର୍ଥ ସ୍ଥାନରେ ମାତ୍ର ୩୭ ପାଳି ଖେଳି ସେ କେବଳ ୧୭୪୪ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଧୋନି ତାଙ୍କ ଖେଳ ଜୀବନର ଅଧିକାଂଶ ସମୟ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିଛନ୍ତି। ଏହି ସ୍ଥାନରେ ସେ ୧୨୬ ମ୍ୟାଚ୍ ଖେଳି ୪୦୩୧ ରନ୍ କରିଛନ୍ତି। ଚତୁର୍ଥ ସ୍ଥାନରେ ସେ ୩୦ ମ୍ୟାଚ୍ ଏବଂ ପଞ୍ଚମରେ ୭୭ ମ୍ୟାଚ୍ ଖେଳିଛନ୍ତି। ଏହି ଦୁଇ ସ୍ଥାନରୁ ସେ ଯଥାକ୍ରମେ ୧୩୫୮ ଓ ୨୯୯୪ ରନ୍ ଲେଖାଏଁ ଅମଳ କରିଛନ୍ତି। ସେପଟେ ଅମ୍ବାତି ରାୟୁଡୁ ଖେଳିଥିବା ୪୭ ଦିନିକିଆ ପାଳି ଭିତରୁ ସିଂହଭାଗ ଚତୁର୍ଥ ସ୍ଥାନ (୨୧)ରେ ଖେଳିଛନ୍ତି। ତୃତୀୟ ସ୍ଥାନରେ ସେ ୧୬ ଥର ବ୍ୟାଟିଂ କରିବାକୁ ଆସିଛନ୍ତି। ତୃତୀୟରେ ଖେଳି ରାୟୁଡୁ ୬୮୭ ଏବଂ ଚତୁର୍ଥରେ ୭୧୭ ରନ୍ କରିଛନ୍ତି। ଯଦି କୋହଲି-ରାୟୁଡୁ ତୃତୀୟ ଓ ଚତୁର୍ଥରେ ଖେଳନ୍ତି, ଧୋନି ଷଷ୍ଠରେ ଆସିବାର ସମ୍ଭବନା ଅଧିକ। ତେବେ ଏଥିଲାଗି ସ୍ପଷ୍ଟ ଚିତ୍ର ଦଳ ଘୋଷଣା ପରେ ଜଣାପଡ଼ିବ ବୋଲି ଭାରତୀୟ କ୍ରିକେଟ୍ ଦଳର ଜଣେ ଚୟନକର୍ତା ନିଜ ନାମ ଗୋପନ ରଖି କହିଛନ୍ତି।

ସମ୍ବନ୍ଧିତ ଖବର