ଭାରତ କମାଲରେ କନ୍‌ଷ୍ଟାଣ୍ଟାଇନ୍‌ ଖୁସି

ନୂଆଦିଲ୍ଲୀ: ଅନ୍ତଃମହାଦେଶୀୟ ଫୁଟବଲ୍‌ ପ୍ରତିଯୋଗିତାରେ ଭାରତୀୟ ଫୁଟ୍‌ବଲ୍‌ ଦଳର ଲଢ଼ୁଆ ପ୍ରଦର୍ଶନ ପ୍ରଶିକ୍ଷକ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟାଇନଙ୍କୁ ଆନନ୍ଦିତ କରିଛି। ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ନିଜ ଅସଲ ଦକ୍ଷତା ଓ ଭାବ ଦେଖାଇଥିଲା। ଖେଳାଳିମାନେ ବି ପରିସ୍ଥିତି ମୁତାବକ ଖେଳିଲେ। ବଡ଼ ମ୍ୟାଚ୍‌କୁ ଖେଳାଳିମାନେ କେମିତି ନେଉଛନ୍ତି ଏବଂ କିଭଳି ବ୍ୟବହାର କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ଭାରତ ଆସନ୍ତାବର୍ଷର ଏଏଫ୍‌ସି ଏସିଆନ୍‌ କପ୍‌ରେ କେବଳ ସଂଖ୍ୟା ବଢ଼ାଇବାକୁ ମଇଦାନକୁ ଓହ୍ଲାଇବ ନାହିଁ। ଭାରତର ଅନ୍ତଃମହାଦେଶ କପ୍‌ ବିଜୟରେ ପ୍ରତିକ୍ରିୟା ପ୍ରକାଶ କରି କନଷ୍ଟାଣ୍ଟାଇନ୍‌ ଏହା କହିଛନ୍ତି। ତେବେ ଏଏଫ୍‌ସି କପ୍‌ ଭାରତ ପାଇଁ ଏକ ବଡ଼ ଆହ୍ଵାନ ହେବ ବୋଲି ସେ ସ୍ୱୀକାର କରିଛନ୍ତି। ଏଏଫ୍‌ସି ଏସିଆନ୍‌ କପ୍‌ ଆସନ୍ତାବର୍ଷ ୟୁଏଇରେ ଖେଳାଯିବ। ଆୟୋଜନ ୟୁଏଇ, ବାହାରିନ ଏବଂ ଥାଇଲାଣ୍ଡ ସହ ଭାରତ ଗୋଟିଏ ଗ୍ରୁପରେ ରହିଛି। ଅନ୍ତଃମହାଦେଶୀୟ କପର ସଫଳତା ଆମ ମନୋବଳ ବଢ଼ାଇଛି। ଶେଷ ୧୬ ଦଳ ମଧ୍ୟରେ ପ୍ରବେଶ କରିବା ଆମର ପ୍ରଥମ ଲକ୍ଷ୍ୟ ହେବ ବୋଲି ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି। କନଷ୍ଟାଣ୍ଟାଇନ୍‌ କେନିଆ ବିପକ୍ଷ ଫାଇନାଲରେ ଦୁଇଟି ଯାକ ଗୋଲ୍‌ ଦେଇଥିବା ଅଧିନାୟକ ସୁନୀଲ ଛେତ୍ରୀ ଏବଂ ଗୋଲ୍‌ ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି।
ବିଦେଶରେ ଖେଳିଲେ ବଳ ବଢ଼ିବ:ଛେତ୍ରୀ
ନୂଆଦିଲ୍ଲୀ, ୧୧|୬: ଘରୋଇ ପରିବେଶରେ ଭାରତୀୟ ଫୁଟ୍‌ବଲ୍‌ ଦଳ ଭଲ ପ୍ରଦର୍ଶନ କରି ଆସୁଛି। ହେଲେ ସବୁକିଛି ବିଦେଶ ପ୍ରଦର୍ଶନ ଉପରେ ନିର୍ଭର କରିବ। ବିଦେଶରେ ଭଲ କରି ପାରିଲେ ହିଁ ଆମେ ଏସିଆ ମହାଦେଶର ଶ୍ରେଷ୍ଠ ୧୦ ତାଲିକାରେ ପ୍ରବେଶ କରି ପାରିବୁ। ଅନ୍ତଃମହାଦେଶୀୟ କପ୍‌ ପ୍ରଦର୍ଶନ ଏଏଫ୍‌ସି ଏସିଆନ୍‌ କପରେ ଭଲ କରିବା ଲାଗି ପ୍ରେରଣା ଦେବ। ଏହି ପ୍ରତିଯୋଗିତାରେ ଭଲ କରିବାକୁ ହେଲେ ଆମକୁ ବିଦେଶ ଯାଇ ଅଧିକ ଶକ୍ତିଶାଳୀ ପ୍ରତିପକ୍ଷଙ୍କ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ହେବ। ଭାରତୀୟ ଫୁଟବଲ୍‌ ଦଳର ଅଧିନାୟକ ସୁନିଲ ଛେତ୍ରୀ ସୋମବାର ଏହା କହିଛନ୍ତି। ଭାରତ ବିଶ୍ୱ ମାନ୍ୟତାର ୯୭ତମ ସ୍ଥାନରେ ଥିବାରୁ ଉଚ୍ଚମାନ୍ୟତା ଦଳକୁ ଘରେ ଶୃଙ୍ଖଳା ଖେଳିବା ଲାଗି ଆମନ୍ତ୍ରଣ କରି ପାରିବ ନାହିଁ। ତେଣୁ ବିଦେଶ ଯାଇ ସେଠାରେ ଆମ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର