ଓଭାଲ୍‌ ଟେଷ୍ଟ୍‍ରେ କୁକ୍‌ଙ୍କ ଅବସର

ଲଣ୍ଡନ୍‌: ଭାରତ ବିପକ୍ଷରେ ଆଉ ଏକ ଟେଷ୍ଟ୍‍ ଶୃଙ୍ଖଳା ବିଜୟ ହାସଲ ପରେ ବଡ଼ ଆଶ୍ୱସ୍ତିର ସହ ଅବସର ଆଭାସ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେଷ୍ଟର୍‌ କୁକ୍‌। ଶୁକ୍ରବାରଠାରୁ ଓଭାଲ୍‌ରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‍ ପରେ ଇଂଲଣ୍ଡର ଏହି ଅଗ୍ରଣୀ ରନ୍‌ ହାସଲକାରୀ ଅବସର ନେଇଯିବେ। ୩୩ ବର୍ଷୀୟ କୁକ୍‌ ଅବସର ବେଳକୁ ୧୬୧ ଟେଷ୍ଟ୍‍ ଖେଳିଥିବେ। ଏ ପର୍ଯ୍ୟନ୍ତ ସେ ୪୪.୮୮ ହାରରେ ୧୨,୨୫୪ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ରହିଛି ୨୯୪, ଯାହା ସେ ଭାରତର ୨୦୧୧ ଗସ୍ତରେ ବର୍ମିଂହାମ୍‌ ଟେଷ୍ଟ୍‍ରେ ହାସଲ କରିଥିଲେ। ଭାରତ ବିପକ୍ଷ ଚଳିତ ଶୃଙ୍ଖଳାରେ କିନ୍ତୁ ଖରାପ ପ୍ରଦର୍ଶନ ଜାରି ରଖି କୁକ୍‌ ୭ ପାଳିରୁ ମାତ୍ର ୧୦୯ ରନ୍‌ କରିଛନ୍ତି। ଟେଷ୍ଟ୍‍ ଦଳରେ ତାଙ୍କ ସ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ପୂର୍ବତନ ଅଧିନାୟକ ଭାବେ ସେ ଅବସର ପାଖେଇ ଆସିଥିବା ଅନୁଭବ କରିଥିଲେ। ‘ବିଗତ କିଛି ମାସ ଧରି ଅନେକ ଚିନ୍ତା ଓ ବିଚାର ବିମର୍ଷ କରିବା ପରେ ଭାରତ ବିପକ୍ଷ ଚଳିତ ଶୃଙ୍ଖଳା ଶେଷରେ ଅନ୍ତର୍ଜାତୀୟ କ୍ରିିକେଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି’ ବୋଲି କୁକ୍‌ ପ୍ରକାଶ କରିଛନ୍ତି।
ଅବସର ଦିବସ ନିଶ୍ଚିତ ଦୁଃଖଦ ରହିବ, କିନ୍ତୁ ମୁଁ ସବୁକିଛି ଦେଇଥିବାରୁ ବଡ଼ ହସ ହସ ମୁଖମଣ୍ଡଳରେ ବିଦାୟ ନେବି। ଆଶାଠାରୁ ଅଧିକ ଖେଳିଛି ଏବଂ କୃତିତ୍ୱ ଅର୍ଜନ କରିଛି। ଇଂଲଣ୍ଡର ବହୁ ମହାନ ଖେଳାଳିଙ୍କ ଗହଣରେ ଖେଳିବାର ସୌଭାଗ୍ୟ ବି ପାଇଛି। ଯାହାକି ମୋତେ ନିଶ୍ଚିତ ଡ୍ରେସିଂ ରୁମ୍‌ ପରିବେଶରୁ ବଞ୍ଚିତ ରଖିବାର ଅନୁଭବ ଦେବ। ମୁଁ ଜୀବନର ଏହି କଠୋରତମ ନିଷ୍ପତ୍ତିକୁ ଡ୍ରେସିଂ ରୁମ୍‌ ସାଥୀଙ୍କ ସହ ବାଣ୍ଟିପାରିନାହିଁ, କିନ୍ତୁ ଏହା ଠିକଣା ସମୟ’ ବୋଲି ପ୍ରକାଶ କରିଛନ୍ତି ଏହି ବାମହାତୀ ବ୍ୟାଟସମ୍ୟାନ୍‌।
ଜଣେ ବ୍ୟାଟସମ୍ୟାନ୍‌ ଭାବେ କୁକ୍‌ଙ୍କୁ ଡେଭିଡ୍‌ ଗାଓ୍ଵାର ଓ କେଭିନ୍‌ ପିଟରସନ୍‌ଙ୍କ ସହ ତୁଳନା କରାଯାଇ ନପାରେ କିନ୍ତୁ ରନ୍‌ ସଂଗ୍ରହ କରିବାରେ ତାଙ୍କ ଏକାଗ୍ରତା ଅନେକ କିଛି ପ୍ରମାଣିତ କରିଛି ଏବଂ ଇଂଲଣ୍ଡର ଅଗ୍ରଣୀ ରନ୍‌ ସ୍କୋରର୍‌ କରିଛି। ୨୦୧୨ ମସିହାରେ ଭାରତ ବିପକ୍ଷରେ ଭାରତ ମାଟିରେ ୨-୧ ଟେଷ୍ଟ୍‍ ଶୃଙ୍ଖଳା ବିଜୟ ତାଙ୍କ ଅଧିନାୟକତ୍ୱ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ହୋଇ ରହିଛି। ସ୍ପିନ ଯୋଡ଼ି ଗ୍ରେମ୍‌ ସ୍ୱାନ୍‌ ଏବଂ ମଣ୍ଟି ପାନିସରଙ୍କୁ ବ୍ୟବହାର କରି କୁକ୍‌ ଏଭଳି ଅପୂର୍ବ ସଫଳତା ପାଇଥିଲେ। କେବଳ ଅଧିନାୟକତ୍ୱ ନୁହେଁ ସେହି ଶୃଙ୍ଖଳାରେ ମଧ୍ୟ ସେ ବ୍ୟାଟସମ୍ୟାନ୍‌ ଭାବେ ମୋଟେରାରେ ୧୭୬, ମୁମ୍ବାଇରେ ୧୨୨ ଏବଂ କୋଲ୍‌କାତାରେ ୧୯୦ ରନ୍‌ କରିବା ଉଲ୍ଲେଖନୀୟ ଥିଲା।
‘ମୁଁ ଜୀବନସାରା କ୍ରିକେଟ୍‌କୁ ଭଲ ପାଇଛି। ବଗିଚାରେ ପିଲାଦିନେ ଖେଳିବାଠାରୁ ଆରମ୍ଭ କରି ଇଂଲଣ୍ଡ ଜର୍ସି ପରିଧାନ ପର୍ଯ୍ୟନ୍ତ ଯାତ୍ରା ଲମ୍ବା ଥିଲା। ଯୁବ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବାର ବେଳ ଆସିଯାଇଛି ବୋଲି କହିଥିଲେ କୁକ୍‌। ନିଜ ଖେଳ ଜୀବନକୁ ଗଢ଼ି ତୋଳିଥିବା ପୂର୍ବତନ ଇଂଲଣ୍ଡ ଅଧିନାୟକ ଗ୍ରାହାମ୍‌ ଗୁଚ୍‌ଙ୍କୁ ମଧ୍ୟ କୁକ୍‌ ଧନ୍ୟବାଦ୍‌ ଦେଇଛନ୍ତି। କାଉଣ୍ଟ୍‌ି ଦଳ ଏସେକ୍ସରେ ହିଁ କୁକ୍‌ଙ୍କ ଖେଳ ଜୀବନକୁ ଶାଣିତ କରିଥିଲେ ଗୁଚ୍‌। ବାର୍ମି ଆର୍ମିର ସମର୍ଥନ ଏବଂ ଗୁଚ୍‌ଙ୍କ ଅବଦାନ ଭୁଲି ହେବ ନାହିଁ। ମାତ୍ର ୭ ବର୍ଷ ବୟସରେ ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବ୍‌ ବାହାରେ ଅଟୋଗ୍ରାଫ୍‌ ନେଉଥିବା କୁକ୍‌ ଦିନେ ଦେଶ ପାଇଁ ଖେଳିବେ ଏକଥା କାହାରି କଳ୍ପନାରେ ନଥିଲା। କିନ୍ତୁ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ସଫଳ ତଥା ଅଗ୍ରଣୀ ବ୍ୟାଟସମ୍ୟାନ୍‌ ହେବାର ଗୌରବ ତାଙ୍କୁ ମିଳିଛି।
ଇଂଲଣ୍ଡ ପାଇଁ କୁକ୍‌ ୫୯ ଟେଷ୍ଟ୍‍ରେ ନେତୃତ୍ୱ ନେଇଥିଲେ। କିନ୍ତୁ ମାତ୍ରାଧିକ କଠୋର କୌଶଳ ପାଇଁ ସମାଲୋଚିତ ହୋଇଥିଲେ। ତାଙ୍କଠାରୁ କେବଳ ମାଇକେଲ୍‌ ଭନ୍‌ଙ୍କ ଦଳ ଅଧିକ ଟେଷ୍ଟ୍‍ (୨୪) ଜିତିଛି। ଖେଳ ଜୀବନ ଗଢ଼ିବାରେ ମୋ ପରିବାର ୧୨ ବର୍ଷ ଧରି ପରିଶ୍ରମ କରିଥିଲା। ସେମାନଙ୍କ ପରିଶ୍ରମ ବିନା ମୁଁ ଏତେବାଟ ଆସିପାରି ନଥାନ୍ତି ବୋଲି କହିଛନ୍ତି କୁକ୍‌। ପିତାମାତା, ଭାଇ, ପତ୍ନୀଙ୍କ ନିଃସର୍ତ ସମର୍ଥନ ରହିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବି। ‘ଇଂଲଣ୍ଡ ଦଳ ଭବିଷ୍ୟତରେ ଭଲ ପ୍ରଦର୍ଶନ କରୁ ବୋଲି ଶୁଭେଚ୍ଛା ଜଣାଉଛି ଏବଂ ଏହାକୁ ଦେଖିବାକୁ ମୁଁ ବଡ଼ ଉତ୍ସାହର ସହ ଅପେକ୍ଷା କରିବି’ ବୋଲି କୁକ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର