କୁକ୍‌ଙ୍କ ବିଦାୟୀ ଟେଷ୍ଟ୍‍: ସାନ୍ତ୍ୱନା ଆଶାରେ ଭାରତ

ସାଉଥମ୍ପ୍‌ଟନ୍‌: ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ଶୁକ୍ରବାରଠାରୁ ସ୍ଥାନୀୟ କିଆ ଓଭାଲରେ ଆରମ୍ଭ ହେବ। ଇଂଲଣ୍ଡର ଅଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଆଲିଷ୍ଟର କୁକ୍‌ଙ୍କର ଏହା ବିଦାୟୀ ଟେଷ୍ଟ୍‌ ହେବ। ତା’ ସହ ଶୃଙ୍ଖଳା ହାରି ସାରିଥିବା ଭାରତ ପାଇଁ ଏହି ଟେଷ୍ଟ୍‌ରେ ବିଜୟ ସହ ଗସ୍ତ ଶେଷ କରିବାର ସୁଯୋଗ ରହିବ। ସେପଟେ ପାଞ୍ଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପୂରା ଆଧିପତ୍ୟ ବିସ୍ତାର କରି ୩-୧ରେ ଆଗୁଆ ରହିଛି। ସେଥିପାଇଁ ଘରୋଇ ଦଳ ୪-୧ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିିବ। ହେଲେ ଭାରତ ଅନ୍ତତଃ ଏହାକୁ ୨-୩ କରିବାକୁ ଚେଷ୍ଟା କରିବ। କିଆ ଓଭାଲରେ କିଛିଟା କମାଲ କରି ଶୃଙ୍ଖଳା ପରାଜୟର ବ୍ୟବଧାନକୁ କମାଇ ପାରିଲେ କୋହଲି ବାହିନୀ ପାଇଁ ଏହା ବଡ଼ ସାନ୍ତ୍ୱନା ହେବ। ୧ ନମ୍ବର ଦଳ ପାଞ୍ଚ ନମ୍ବର ଦଳ ଆଗରେ ଆତ୍ମସମର୍ପଣ କରିବାର ଅପବାଦ କେତେକାଂଶରେ ଦୂର ହୋଇ ପାରିବ। ପଞ୍ଚମ ଟେଷ୍ଟ କୁକ୍‌ଙ୍କ ଶେଷ ମ୍ୟାଚ୍‌ ହୋଇଥିଲା ବେଳେ ଭାରତୀୟ ୧୮ ବର୍ଷୀୟ ତାରକା ପୃଥ୍ଵୀ ସ’ ଶୁକ୍ରବାର ଏଠାରେ ନିଜ ଟେଷ୍ଟ୍‌ ଜୀବନ ଆରମ୍ଭ କରିପାରନ୍ତି। ଏହା ହେଲେ ଶିଖର ଧାଓ୍ଵନଙ୍କ ସହ ସେ ପାଳି ଆରମ୍ଭ କରିବେ। ରବୀନ୍ଦ୍ର ଜାଦେଜା ମଧ୍ୟ ଆସନ୍ତାକାଲି ଶୃଙ୍ଖଳାରେ ପ୍ରଥମ ସୁଯୋଗ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ପିନର ଆର ଅଶ୍ୱିନ୍‌ ପଞ୍ଚମ ଟେଷ୍ଟ୍‌ରେ ନଖେଳିବା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଯଶ୍‌ପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିଲେ ଉମେଶ ଯାଦବ ଫେରିପାରନ୍ତି। ସେହିଭଳି ହାର୍ଦିକ ପାଣ୍ଡ୍ୟା କ୍ରମାଗତ ବିଫଳ ହେଉଥିବାରୁ ଅଲ୍‌ରାଉଣ୍ଡର ହନୁମା ବିହାରୀ ତାଙ୍କ ସ୍ଥାନ ନେଇ ପାରନ୍ତି। ଇଂଲଣ୍ଡ ଅପରିବର୍ତିତ ଦଳ ଘୋଷଣା କରିଥିବାରୁ ତା’ର ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ ହେବାର ସମ୍ଭାବନା କମ୍‌।

ସମ୍ଭାବ୍ୟ ଭାରତ: ବିରାଟ କୋହଲି, ଶିଖର ଧାଓ୍ଵନ, ପୃଥ୍ଵୀ ସ’, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ/ଯଶ୍‌ପ୍ରୀତ ବୁମରା, ହାର୍ଦିକ ପାଣ୍ଡ୍ୟା/ହନୁମା ବିହାରୀ।

ସମ୍ଭାବ୍ୟ ଇଂଲଣ୍ଡ: ଜୋ ରୁଟ୍‌ (ଅଧିନାୟକ), ଆଲେଷ୍ଟର କୁକ୍‌, କିଟନ ଜେନିଙ୍ଗ୍ସ, ଜୋସ୍‌ ବଟଲର, ଜନି ବେୟାରଷ୍ଟୋ, ମୋଇନ ଅଲ୍ଲୀ, ଆଦିଲ ରସିଦ, ସାମ କୁରାନ, ଜେମ୍ସ ଆଣ୍ଡରସନ୍‌, ଷ୍ଟୁଆର୍ଟ ବ୍ରଡ୍‌, ବେନ୍‌ ଷ୍ଟୋକ୍ସ।

କୁକ୍‌ଙ୍କ ୧,୦୦୦ ଅପେକ୍ଷାରେ କିଆ ଓଭାଲ
ଆଲେଷ୍ଟର କୁକ୍‌ ତାଙ୍କ ଶେଷ ଟେଷ୍ଟ୍‌ରେ ମଧ୍ୟ ଏକ କୀର୍ତ୍ତିମାନର ଅଧିକାରୀ ହେବେ। ଆଉ ମାତ୍ର ଗୋଟିଏ ରନ୍‌ କଲେ ସାଉଥମ୍ପ୍‌ଟନର କିଆ ଓଭାଲରେ ସେ ୧,୦୦୦ ରନ୍‌ ପୂରଣ କରିବେ। ଏଠାରେ ସେ ୧୨ ଟେଷ୍ଟ୍‌ ଖେଳି ଦୁଇଟି ଶତକ ବଳରେ ୯୯୯ ରନ୍‌ କରିଛନ୍ତି। ଗୋଟିଏ ଷ୍ଟାଡିୟମରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ ସେ ଐତିହାସିକ ଲର୍ଡସ ପଡ଼ିଆରେ କରିଛନ୍ତି। ଲର୍ଡସରେ ସେ ୨୬ ଟେଷ୍ଟ୍‌ ଖେଳି ୪ ଶତକ ସହ ୧୯୩୭ ରନ୍‌ କରିଛନ୍ତି। କିଆ ଓଭାଲରେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌ ତାଙ୍କର ୧୬୧ତମ ଟେଷ୍ଟ ହେବ।

ରିଚାର୍ଡସ୍‌ଙ୍କଠାରୁ ଗୋଟିଏ ଶତକ ଦୂରରେ କୋହଲି
ପଞ୍ଚମ ଟେଷ୍ଟ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ମଧ୍ୟ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହେବାର ସୁଯୋଗ ରହିବ। ଟେଷ୍ଟ କ୍ରିକେଟ୍‌ରେ ୨୩ ଶତକ ଅର୍ଜନ କରି ସାରିଥିବା କୋହଲି ଆଉ ଗୋଟିଏ ଶତକ ଅର୍ଜନ କରି ପାରିଲେ େଓ୍ଵଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସଙ୍କ ସହ ସମକକ୍ଷ ହେବେ। କୋହଲି ୭୦ ଟେଷ୍ଟ୍‌ ଖେଳି ୨୩ ଶତକ ଏବଂ ୧୯ ଅର୍ଧଶତକ ବଳରେ ୬୦୯୮ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ରିଚାର୍ଡସ ୧୨୧ ଟେଷ୍ଟ୍‌ରୁ ୨୪ ଶତକ ଏବଂ ୪୫ ଅର୍ଧଶତକ ସହ ୮୫୪୦ ରନ୍‌ ହାସଲ କରିଛନ୍ତି।

ଶାସ୍ତ୍ରୀଙ୍କ ଦାବିରେ ସତ୍ୟତା କମ୍‌
ଗତ ୧୫ ବର୍ଷ ଭିତରେ ବିଦେଶ ଗସ୍ତ କରିଥିବା ଭାରତୀୟ ଦଳ ମଧ୍ୟରେ କୋହଲି ବାହିନୀ ଶ୍ରେଷ୍ଠ ବୋଲି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ ମୁକାବିଲାର ଦିନକ ପୂର୍ବରୁ କହିଛନ୍ତି। ଏହା କରି ସେ ଦଳୀୟ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି। ହେଲେ ପରିସଂଖ୍ୟାନ ଭିନ୍ନ କଥା କହୁଛି। ୨୦୦୨ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଇଂଲଣ୍ଡରେ ଭାରତ ଶୃଙ୍ଖଳାକୁ ଅମୀମାଂସିତ ରଖିଥିଲା। ସେହିଭଳି ୨୦୦୩-୦୪ରେ େଓ୍ଵଷ୍ଟଇଣ୍ଡିଜରେ ଶୃଙ୍ଖଳା ଜିତିବାର ଗୌରବ ହାସଲ କରିଥିଲା। ଏହି ଦଳରେ ବ୍ରାଏନ ଲାରା, କାର୍ଲ ହୁପର, ଶିବ ନାରାୟଣ ଚନ୍ଦରପଲ୍‌ଙ୍କ ଭଳି ଖେଳାଳି ଥିଲେ। ସେହିବର୍ଷ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମଧ୍ୟ ତା ମାଟିରେ ହରାଇଥିଲା। ରାହୁଲ ଦ୍ରାବିଡ଼ ଏବଂ ଅନୀଲ କୁମ୍ବଲେଙ୍କ ନେତୃତ୍ୱରେ ମଧ୍ୟ ଭାରତ ବିଦେଶରେ ଭଲ ସଫଳତା ପାଇଥିଲା। ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ ୨୦୦୬ରେ େଓ୍ଵଷ୍ଟଇଣ୍ଡିଜ୍‌ ଏବଂ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ୍‌ ଶୃଙ୍ଖଳା ଜିତିଥିଲା। ଦକ୍ଷିଣ ଆଫ୍ରିକାରେ ମଧ୍ୟ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିଲା। କୁମ୍ବଲେଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ପର୍ଥରେ ଟେଷ୍ଟ୍‌ ବିଜୟ ପାଇଥିଲା। ଭାରତ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡରେ ଶୃଙ୍ଖଳା ଜିତିବା ସହ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଶୃଙ୍ଖଳା ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର