କିକ୍‌ ବକ୍ସିଂ କଳଙ୍କ: ଡାଏମଣ୍ଡ୍‌ କପ୍‌ରେ ବି ହୋଇଛି ଦୁର୍ନୀତି

ଭୁବନେଶ୍ୱର: ବୁଦାପେଷ୍ଟ କିକ୍‌ ବକ୍ସିଂ ବିଶ୍ୱକପ୍‌ରେ ପଦକ ଜାଲିଆତି ହୋଇଥିବା ସ୍ପଷ୍ଟ ହେବା ପରେ ଓ୍ଵାକୋ ଓଡ଼ିଶାର ସଭାପତି କାର୍ତିକ ଡାକୁଆଙ୍କ ବିରୋଧରେ ଆଉ ଏକ ବଡ଼ ଅଭିଯୋଗ ଆସିଛି। ରୁଷିଆରେ ଅନୁଷ୍ଠିତ ଡାଇମଣ୍ଡ କପ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଜାଲିଆତି ହୋଇଥିବା ଅଲଓଡ଼ିଶା କିକ୍‌ ବକ୍ସିଂ ସଂଘ (ଏଓକେଏ)ର ସଂପାଦକ ବିଭୂତି ବେହେରା ଅଭିଯୋଗ କରିଛନ୍ତି। ୨୦୧୩ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ କିକ୍‌ ବକ୍ସିଂର ପରିଚାଳନା କରୁଥିବା ଏଓକେଏଠାରୁ ଅଲଗା ହୋଇ ଡାକୁଆ ତିନି ବର୍ଷ ତଳେ ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶା ବା ଓ୍ଵାକୋ ଓଡ଼ିଶା ସଂଘ ଗଠନ କରିଥିଲେ। ଏବେ ଏହି ସଂଘ ପାଇଁ ଓଡ଼ିଶା କିକ୍‌ ବକ୍ସିଂରେ କଳଙ୍କ ଲାଗିଛି।

ବିଭୂତି ଆହୁରି ଅନେକ ସଂଗୀନ ଅଭିଯୋଗ ଆଣି କହିଛନ୍ତି ଯେ ଯେଉଁ ପିଲାମାନେ ବୁଦାପେଷ୍ଟ ଯିବା ଦଳରେ ଥିଲେ ସେମାନେ କାର୍ତିକ ଡାକୁଆଙ୍କ ମୁଖା ଖୋଲି ଦେଇଛନ୍ତି। ତାଙ୍କ ବିରୋଧରେ ଫୌଜଦାରି ମାମଲା ଦାୟର କରିବାକୁ ମୁଁ ଦାବି କରୁଛି। ସେ ଓଡ଼ିଶା କ୍ରୀଡ଼ାକୁ ଲଜ୍ଜିତ କରିଛନ୍ତି। ତାଙ୍କ ସାନ ଭାଇ କୃଷ୍ଣ ଡାକୁଆ ମଧ୍ୟ ଏଥିରେ ସଂପୃକ୍ତ। ନାଲକୋ ଭଳି ରାଷ୍ଟ୍ରାୟତ କଂପାନିରେ ଚାକିରି କରି ଏଭଳି କୁକର୍ମ କରିବା ଲଜ୍ଜାର ବିଷୟ। କାର୍ତିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ନାଲକୋ କର୍ତୃପକ୍ଷଙ୍କ ନିକଟରେ ଦାବି କରୁଛି। କାରଣ ସେ ନାଲକୋର ମର୍ଯ୍ୟାଦା ବି ହାନୀ କରିଛନ୍ତି। କାର୍ତିକ ଦୀର୍ଘ ଦିନ ଧରି ଆମ ସଂଘରେ ଥିଲେ। ହେଲେ ବିବାଦ ସୃଷ୍ଟି କରି ଅଲଗା ହୋଇଯିବା ସହ ଷଡ଼ଯନ୍ତ୍ର କରି ଆଉ ଏକ ସଂଘ ଗଢ଼ିଲେ। ଆମ ସଂଘରେ ଏମିତି କେଳେଙ୍କାରୀ କେବେ ହୋଇନି। କାର୍ତିକ ହିଁ ଏସବୁ ଖରାପ ଓ ଲଜ୍ଜାଜନକ ପରମ୍ପରା ସୃଷ୍ଟି କରିଛନ୍ତି। ଓଡ଼ିଶାରେ କିକ୍‌ ବକ୍ସିଂକୁ ସେ ପାରିବାରିକ ବ୍ୟବସାୟରେ ପରିଣତ କରିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତା ହେଲେ ତାଙ୍କ ପତ୍ନୀ ହୁଅନ୍ତି ପ୍ରବନ୍ଧକ, ଆଉ ପୁଅ ଜିତେ ସ୍ୱର୍ଣ୍ଣ। କିକ୍‌ ବକ୍ସିଂ ସହ ୨୨ ବର୍ଷରୁ ଅଧିକ ସମୟ ହେବ ଜଡ଼ିତ ଥିବାରୁ ମୁଁ ଜାଣିଛି ଅନ୍ତର୍ଜାତୀୟ ସ୍ତରୀୟ କିକ୍‌ ବକ୍ସିଂରେ ପଦକ ଜିତିବା କେତେ କଷ୍ଟ। ମୁଁ ସନ୍ଦେହ କରୁଛି କେବଳ ବୁଦାପେଷ୍ଟ ବିଶ୍ୱକପ୍‌ ନୂହେଁ ରୁଷିଆରେ ଅନୁଷ୍ଠିତ ଡାଇମଣ୍ଡ କପ୍‌ କିକ୍‌ ବକ୍ସିଂରେ ବି ସେ ଜାଲିଆତି କରିଛନ୍ତି। ମୁଁ ଜାଣିଛି ରୁଷିଆରେ ଓଡ଼ିଶା ପିଲାମାନେ ଦୁଇ ଦିନ ବିଳମ୍ବରେ ପହଞ୍ଚିଥିଲେ। ଏକାଥରକେ ୧୩ ପଦକ କେମିତି ଜିତିଲେ ମୁଁ ଜାଣି ପାରୁନି। ଓଡ଼ିଶାରେ କିକ୍‌ ବକ୍ସିଂକୁ ନିଜ ହାତରେ ଗଢ଼ିଥିଲୁ। ଏବେ ଏହାର ସ୍ଥିତି ଦେଖି ବହୁତ ଦୁଃଖ ଲାଗୁଛି। କ୍ରୀଡ଼ା ବିଭାଗରେ କାର୍ତିକ ଦେଇଥିବା ବିଭିନ୍ନ ପ୍ରମାଣପତ୍ର ଏବଂ ଦସ୍ତାବିଜକୁ ଆଉ ଥରେ ଯାଞ୍ଚ କରିବାକୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି।

ସଭାପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌କୁ ଯାଇଥିଲା ଟଙ୍କା

ନିୟମ ଅନୁସାରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ସଂଘ ତରଫରୁ ଆଦୟ କରାଯାଉଥିବା ଦେୟ ସଂଘର ଆକାଉଣ୍ଟରେ ଜମା ହେବା କଥା। ହେଲେ ବୁଦାପେଷ୍ଟ ବିଶ୍ୱ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳରେ ଥିବା ୪ ଜଣ ଖେଳାଳିଙ୍କୁ ସଭାପତି କାର୍ତିକ ଡାକୁଆଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଜମା କରିବାକୁ କୁହା ଯାଇଥିଲା। ୪ ଜଣଙ୍କ ମଧ୍ୟରୁ ତିନି ଜଣ ତାଙ୍କ ନିର୍ଦେଶ ଅନୁସାରେ ସେହି ଆକାଉଣ୍ଟରେ ୧ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ। ହେଲେ ମାହାଙ୍ଗାରେ ସ୍କୁଲ ଶିକ୍ଷକ ଥିବା ପାର୍ଥ ସାରଥୀ ଦାସଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ପୈଠ କରିବାକୁ କୁହା ଯାଇଥିଲା। ପାର୍ଥ ମଧ୍ୟ ବହୁ କଷ୍ଟରେ ଏହି ଅର୍ଥ ଜମା କରିଥିଲେ। ହେଲେ ପରେ ତାଙ୍କ ସହ ଚଞ୍ଚକତା କରି ୨୫ ହଜାର ଟଙ୍କା ଅଧିକ ନିଆ ଯାଇଥିବା ଜାଣିବାକୁ ପାଇଥିଲେ। ଏଥିନେଇ ସେ ‘ସମ୍ବାଦ’କୁ କହିଛନ୍ତି ଯେ ମୁଁ ପରେ ଜାଣିଲି ଯେ ମୋଠାରୁ ୨୫ ହଜାର ଟଙ୍କା ଅଧିକ ନିଆ ଯାଇଛି। ଅନ୍ୟ ସମସ୍ତେ ଅର୍ଥାତ୍‌ ବୀରେନ୍‌ ଦାସ, ସତ୍ୟପ୍ରିୟ ପାତ୍ର, ଜିତେନ୍ଦ୍ର ରାଉତ ୧ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଦେଇଥିଲା ବେଳେ ମୁଁ ୧ ଲକ୍ଷ ୬୫ ହଜାର ଦେଇଥିଲି। ଖାଲି ଆମର ନୁହେଁ ୪୮ ଜଣିଆ ଭାରତୀୟ ଦଳ ମଧ୍ୟରୁ ୨୮ ଜଣ ଖେଳାଳିଙ୍କ ଭିସା ବାତିଲ ହୋଇଥିଲା। ଆମ ସହ ସେମାନେ ବହୁତ ଖେଳ ଖେଳିଲେ। ସେ କଥା ଭାବିଲେ ବହୁତ ବ୍ୟସ୍ତ ଲାଗୁଛି। ଚଳିତ ମାସ ପହିଲାରୁ ପଞ୍ଜିକରଣର ଶେଷ ତାରିଖ ୬ ତାରିଖ ପର୍ଯ୍ୟନ୍ତ ଆମ ସହ ବହୁତ ଖେଳ ହୋଇଥିଲା। ମୁଁ ସେତେବେଳକୁ ଜାଣି ସାରିଥିଲି ଯେ କିଛି ନା କିଛି ଗଡ଼ବଡ଼ ଚାଲିଛି। ହେଲେ ମୋ ପାସପୋର୍ଟ ଫେରି ପାଇ ନଥିବାରୁ ଦିଲ୍ଲୀରେ ରହିବାକୁ ବାଧ୍ୟ ହୋଇଥିଲି। ହେଲେ ପାର୍ସପୋର୍ଟ ମିଳିବା ପରେ ମୁଁ ଓଡ଼ିଶା ଫେରି ଆସିଥିଲି। ଓଡ଼ିଶା ଦଳର ଅନ୍ୟତମ ସଦସ୍ୟ ଥିବା ସତ୍ୟପ୍ରିୟ ମଧ୍ୟ ପାର୍ଥଙ୍କ ସହ ଏକମତ ହୋଇଛନ୍ତି। ଆମକୁ ଡାକୁଆ ସାର୍‌ କହିଥିଲେ ଯେ ତୁମେମାନେ ମୋ ଆକାଉଣ୍ଟକୁ ପଇସା ପଠାଅ। ମୁଁ ଜାତୀୟ ସଂଗଠନ ଦେୟ ହାତରୁ ଦେଇ ଦେଇଛି। ଏଣୁ ଆମେ ତାଙ୍କ ଆକାଉଣ୍ଟକୁ ପଇସା ପଠାଇଥିଲୁ ବୋଲି ସତ୍ୟପ୍ରିୟ ସମ୍ବାଦକୁ କହିଛନ୍ତି।

ଅନ୍ୟ ଖେଳରେ ବି ଚାଲିଛି ଏମିତି ବେପାର

କେବଳ କିକ୍‌ ବକ୍ସିଂ ନୁହେଁ ଓଡ଼ିଶାରେ ଥିବା ଅନ୍ୟ କିଛି ଖେଳ ସଂଘରେ ମଧ୍ୟ ଏଭଳି ଜାଲିଆତି ଓ କେଳେଙ୍କାରୀ ଖୁବ୍‌ ଜୋରରେ ଚାଲିଛି। ବିଶେଷ କରି କମ୍‌ ଲୋକପ୍ରିୟ ଏବଂ ଅଜଣା ଖେଳରେ ଏହି ଗୋଲଖ ଧନ୍ଦାର ମାତ୍ରା ଅଧିକ। କ୍ରୀଡ଼ା ସଂଗଠକ, ପ୍ରଶିକ୍ଷକ ଏବଂ ସଂଘ ଅଧିକାରୀଙ୍କ ଜାଣତରେ ଏଭଳି କରାଯାଏ। ସ୍କୁଲ୍‌, କଲେଜରେ ନାମଲେଖା ତଥା ଅନ୍ୟାନ୍ୟ କାମ ପାଇଁ ଜାଲ ପ୍ରମାଣପତ୍ର ଯୋଗାଇ ଦିଆଯାଏ। ରାଜ୍ୟର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟରେ ବୟସ ଜାଲିଆତି କରି ଅନେକ ପିଲା ନିଲମ୍ବିତ ହୋଇଥିବାର ନଜିର ବି ରହିଛି। କେବେ କେବେ ପ୍ରତିଯୋଗିତାକୁ ଜମା ନଯାଇ ପଦକ ଜିତିଥିବା କହି ପ୍ରମାଣପତ୍ର ମଧ୍ୟ ଜାରି କରି ଦିଆଯାଇଥାଏ। ରାଜ୍ୟ ସରକାର ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତୁଥିବା ଖେଳାଳିଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା କରିବା ପରେ ଏହି ମାତ୍ରା ବଢ଼ିଯାଇଛି। ସେଥିପାଇଁ ବିଭିନ୍ନ ପ୍ରତିଯୋଗିତାରେ ପଦକ ଜିତିଥିବାର ଦାବି କରୁଥିବା ଖେଳାଳି ସତରେ ପଦକ ଜିତିଛନ୍ତି କି ନାହିଁ ସେହି ଯାଞ୍ଚ କଡ଼ା କଡ଼ି ଭାବେ କରିବାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସରକାର ଏବେ ୪୦ ଖେଳକୁ ସ୍ୱୀକୃତି ପ୍ରଦାନ କରିଥିଲା ବେଳେ ସେମାନଙ୍କୁ ତିନିଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ଚେସ୍‌, ଟାଏକୋଣ୍ଡୋ, କରାଟେ ଭଳି ବହୁ ଖେଳରେ ଏକରୁ ଅଧିକ ସଂଗଠନ ନିଜକୁ ରାଜ୍ୟ ସଂଘ ଭାବେ ଦାବି କରୁଛନ୍ତି। ଏପରିକି ଅଣସ୍ୱୀକୃତ କ୍ୟାରମ୍‌ରେ ମଧ୍ୟ ଦୁଇଟି ସଂଘ ପରିଚାଳନା ଲଢ଼େଇରେ ମାତିଛନ୍ତି। ଫଳରେ ଦୁର୍ନୀତି ମାତ୍ରା ବଢ଼ି ଚାଲିଛି। ଗୋଟିଏ ଖେଳର ବିଭିନ୍ନ ରୂପକୁ ନେଇ ମଧ୍ୟ ନୂଆନୂଆ ସଂଘ ଗଢ଼ି ଉଠୁଛି। ସଂପ୍ରତି କିକ୍‌ବକ୍ସିଂରେ ମଧ୍ୟ ଦୁଇଟି ସଂଘ କାର୍ଯ୍ୟ କରୁଛି। ଯାହା ଦ୍ୱାରା ଖେଳ ଓ ଖେଳାଳି ବିନା ଦୋଷରେ ବଦନାମ ହେଉଛନ୍ତି।

ମିଛ କହିଲେ ଯଯାତି

ପଦକ ଜାଲିଆତି କଥା ପଦାକୁ ଆସିବା ପରେ ‘ସମ୍ବାଦ’ ପକ୍ଷରୁ ବହୁବାର ଷଡ଼ଯନ୍ତ୍ରକାରୀ ପ୍ରଶିକ୍ଷକ କାର୍ତିକ ଡାକୁଆଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଜାଣିଶୁଣି ଆମ ଫୋନ୍‌କୁ ଅଣଦେଖା କରିଥିଲେ। ଓ୍ଵାକୋ ଓଡ଼ିଶାର ଆୟୋଜକ ସଂପାଦକ ଓ ତାଙ୍କ ଭାଇ କୃଷ୍ଣ ଡାକୁଆ ଡାକ୍ତରଖାନାରେ ଥିବା ଦ୍ୱାହି ଦେଇ କିଛି ସମୟ ପରେ କଲ୍‌ ବ୍ୟାକ୍‌ କରୁଛି ବୋଲି କହି ଆଉ କଲ୍‌ କରି ନଥିଲେ। ପରେ ସେ ଆଉ ଫୋନ୍‌ ଉଠାଇ ନଥିଲେ। ଏଥିରୁ ଦୁଇ ଭାଇ ଯେ ଏହି କେଳେଙ୍କାରୀରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ତାହା ସ୍ପଷ୍ଟ ହେଉଛି। ସେହିଭଳି ଓ୍ଵାକୋ ଓଡ଼ିଶାର ସଂପାଦକ ଯଯାତି ଧଳ ମଧ୍ୟ ସିଧାସଳଖ ଏହି ଦୁଇ ଭାଇଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତାହା ତାଙ୍କ ଆଚରଣରୁ ସ୍ପଷ୍ଟ ହୁଏ। ସୋମବାର ଯଯାତି ‘ସମ୍ବାଦ’ ସହ କଥା ହୋଇ ମଙ୍ଗଳବାର ଆମେ ସାମ୍ବାଦିକ ସମ୍ମିଳନୀ ଡାକି ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଦୃଢ଼ତାର ସହ କହିଥିଲେ। ହେଲେ ମଙ୍ଗଳବାର ଆମ ଅନଗୁଳ ପ୍ରତିନିଧି ତାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରସ୍ତାବିତ ସାମ୍ବାଦିକ ସମ୍ମିଳନୀ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ। ଦିନ ଗଡ଼ି ରାତି ହେଲା ପରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ହୋଇ ନଥିଲା। ଏପରିକି ଯଯାତି ପରେ ତାଙ୍କ ମୋବାଇଲ୍‌ ଫୋନକୁ ସୁଇଚ୍‌ ଅଫ୍‌ କରି ଦେଇଥିଲେ। ଏଥିରୁ ଓ୍ଵାକୋ ଓଡ଼ିଶା ସଂଘର ବରିଷ୍ଠ କର୍ମକର୍ତା ଯେ ଜାଣିଶୁଣି ଏଭଳି କରିଛନ୍ତି ତାହା ଜଣାପଡ଼ୁଛି। ସେହିଭଳି ଏହି ଧାରା ବହୁ ଆଗରୁ ଚାଲିଥିବା ଆଶଙ୍କା ବି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର