କାଉଣ୍ଟି ଯାତ୍ରା: ଗାଭାସ୍କରଙ୍କଠୁ କୋହଲି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ଚତୁର୍ଥ ଟେଷ୍ଟ ଖେଳାଳି ଭାବେ ଅଧିନାୟକ ବିରାଟ କୋହଲି କାଉଣ୍ଟି ଖେଳିବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନୁମତି ପାଇବା ପରେ କୋହଲି ଗୁରୁବାର ସରେ ଦଳ ସହ ଚୁକ୍ତି କରିଛନ୍ତି। ଏହି ଭାରତୀୟ ଅଧିନାୟକ ଆସନ୍ତା ଜୁନ୍‌ରେ କାଉଣ୍ଟି ପଦାର୍ପଣ କରିବେ। କୋହଲିଙ୍କ ପୂର୍ବରୁ ଚଳିତ ବର୍ଷ ଚେତେଶ୍ୱର ପୂଜାରା (ୟର୍କସାୟାର), ଈଶାନ୍ତ ଶର୍ମା (ସସେକ୍ସ) ଏବଂ ବରୁନ ଏରୋନ୍‌ (ଲିସେଷ୍ଟରସାୟାର) କାଉଣ୍ଟି କ୍ରିକେଟ୍‌ରେ ଯୋଗଦାନ କରି ସାରିଛନ୍ତ। ଅବଶ୍ୟ ଏମାନଙ୍କ ପୂର୍ବରୁ ବହୁ ଭାରତୀୟ କ୍ରିକେଟର୍‌ କାଉଣ୍ଟି ଖେଳି ସାରିଛନ୍ତି। ତେବେ ଆମେ କିମ୍ବଦନ୍ତୀ କ୍ରିକେଟର୍‌ ସୁନିଲ ଗାଭାସ୍କରଙ୍କଠୁ ଆରମ୍ଭ କରି କୋହଲିଙ୍କ ପର୍ଯ୍ୟନ୍ତ ଭାରତୀୟ ତାରକାଙ୍କ କାଉଣ୍ଟି ଯାତ୍ରା ଉପରେ ନଜର ପକାଇବା।
ସୁନିଲ ଗାଭାସ୍କର (୧୯୮୦): ଏହି ବ୍ୟାଟିଂ କିମ୍ବଦନ୍ତୀ ୧୯୮୦ ମସିହାରେ ଗୋଟିଏ ଋତୁ ପାଇଁ ସମରସେଟ୍‌ ପକ୍ଷରୁ କାଉଣ୍ଟି ଖେଳିଥିଲେ। ଏଥିରେ ସେ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୪.୨୯ ହାରରେ ୬୮୬ ରନ୍‌ ସଂଗ୍ରହ କରିଥିଲେ। ସରେ ବିପକ୍ଷ ଓଭାଲ ମ୍ୟାଚ୍‌ରେ ୧୩୮ ରନ୍‌ ଏବଂ ଗ୍ଲସେଷ୍ଟରସାୟାର ବିପକ୍ଷ ୭୫ ରନ୍‌ ବାଦ୍‌ ଆଉ ତାଙ୍କର ଭଲ ପାଳି ନଥିଲା। ଗାଭାସ୍କର ଦିନିକିଆରେ (୧୬ ମ୍ୟାଚ୍‌) ଗ୍ଲାମରଗାନ ଓ ନଟିଂହାମସାୟର ବିପକ୍ଷରେ ୫୦ ରନ୍‌ ଲେଖାଏଁ, କେଣ୍ଟ୍‌ ବିପକ୍ଷରେ ୯୦ ଏବଂ ମିଡିଲ୍‌ସେକ୍ସ ବିପକ୍ଷରେ ୧୨୩ ରନ୍‌ର ପାଳି ଖେଳିଥିଲେ।
ମହମ୍ମଦ ଆଝାରୁଦ୍ଦିନ୍‌ (୧୯୯୧, ୧୯୯୪): ଏହି ପୂର୍ବତନ ଅଧିନାୟକ ଡର୍ବିସାୟାର ପାଇଁ ୧୯୯୧ ଏବଂ ୧୯୯୪ ଦୁଇଟି ଋତୁ ପାଇଁ ଖେଳିଥିଲେ। ଏଥିରେ ସେ ୩୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୪.୫୬ ହାରରେ ୨୭୨୮ ରନ୍‌ କରିଥିଲେ। ଏହା ମଧ୍ୟରେ ୯ ଶତକ ଏବଂ ୧୧ ଅର୍ଧଶତକ ସାମିଲ ଥିଲା ବେଳେ ୨୧୨ ରନ୍‌ର ସର୍ବଶ୍ରେଷ୍ଠ ପାଳି ରହିଥିଲା। ସେ ମଧ୍ୟ ୩୦ ଦିନିକିଆ ଖେଳି ୪୬.୭୭ ହାରରେ ୧୦୨୯ ରନ୍‌ କରିଥିଲେ। ପ୍ରଥମ ଋତୁ (୧୯୯୧)ରେ ସେ ୭ ଶତକ ଏବଂ ୧୦ ଅର୍ଧଶତକ ସହ ୨୦୧୬ ରନ୍‌ କରିବା ସାଙ୍ଗକୁ ଦିନିକିଆରେ ୫୦୦ ରନ୍‌ କରିଥିଲେ। ୩ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏହି ଘରୋଇ ଇଂଲିସ୍‌ ପ୍ରତିଯୋଗିତାକୁ ଫେରିଥିଲେ।
ରାହୁଲ ଦ୍ରାବିଡ଼ (୨୦୦୦, ୨୦୦୩): ଏହି ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଇଂଲିସ୍‌ ଘରୋଇ କ୍ରିକେଟ୍‌ରେ ଦୁଇଟି ଋତୁ (୨୦୦୦, ୨୦୦୩) ଖେଳିଥିଲେ। ୨୦୦୦ରେ ସେ କେଣ୍ଟ୍‌ ପକ୍ଷରୁ ୧୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୫.୫୦ ହାରରେ ୧୨୨୧ ରନ୍‌ କରିଥିଲେ। ଏଥିରେ ୨ ଶତକ ସାମିଲ ଥିଲା। ୫୦ ଓଭରିଆ ବିଶିଷ୍ଟ ଜାତୀୟ ଲିଗ୍‌ରେ ଗୋଟିଏ ଶତକ ଏବଂ ୨ ଅର୍ଧଶତକ ସହ ୪୩.୭୦ ହାରରେ ୪୩୭ ରନ୍‌ କରିଥିଲେ। ୩ ଋତୁ ପରେ ପୁଣି ଥରେ ସେ କାଉଣ୍ଟିକୁ ଫେରିଥିଲେ। ସେଥର ସେ ସ୍କଟ୍‌ଲାଣ୍ଡ୍‌ ପକ୍ଷରୁ ପ୍ରତିନିଧିତ୍ୱ କରି ପାକିସ୍ତାନ ବିପକ୍ଷ ପ୍ରଥମ ଟୁର୍‌ ମ୍ୟାଚ୍‌ରେ ଶୂନ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ଦ୍ରାବିଡ଼ ସମରସେଟ୍‌ ବିପକ୍ଷରେ ଅପରାଜିତ ୧୨୦ ଏବଂ ନଟିଂହାମ୍‌ସାୟାର ବିପକ୍ଷରେ ୧୨୯ ରନ୍‌ କରି ନିଜର ପାରିଦର୍ଶିତା ଦେଖାଇଥିଲେ। ଜାତୀୟ ଲିଗ୍‌ରେ ଦ୍ରାବିଡ଼ ୩ ଶତକ ଏବଂ ୨ ଅର୍ଧଶତକ ସହ ୬୬.୬୬ ହାରରେ ୬୦୦ ରନ୍‌ କରିଥିଲେ।
ସୌରଭ ଗାଙ୍ଗୁଲି (୨୦୦୦, ୨୦୦୫, ୨୦୦୬): ଏହି ପୂର୍ବତନ ଅଧିନାୟକ ୨୦୦୦ ମସିହାରେ କାଉଣ୍ଟି ପଦାର୍ପଣ କରିଥିଲେ। ସେହି ବର୍ଷ ସେ ଲାଙ୍କାସାୟାର ପକ୍ଷରୁ ୨୧ଟି ଚାରି ଦିନିଆ ମ୍ୟାଚ୍‌ରେ ୬ ଅର୍ଧଶତକ ସହ ୩୧.୯୫ ହାରରେ ୬୭୧ ରନ୍‌ କରିଥିଲେ। ଦିନିକିଆରେ ଗାଙ୍ଗୁଲି ୧୩ ପାଳିରୁ ୫୨ ହାରରେ ୫୬୯ ରନ୍‌ ହାସଲ କରିଥିଲେ। ୨୦୦୫ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଗାଙ୍ଗୁଲି ଗ୍ଲାମରଗନ୍‌ ପାଇଁ ଚୁକ୍ତି କରିଥିଲେ। ସେହି ବର୍ଷ ସେ ୧ ଶତକ ଏବଂ ୩ ଅର୍ଧଶତକ ସହ ୬୨.୫୭ ହାରରେ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଟେ୍ଵଣ୍ଟି-୨୦ରେ ଖରାପ ପ୍ରଦର୍ଶନ କରି ୫ ପାଳିରୁ ମାତ୍ର ୧୧୪ ରନ୍‌ କରି ପାରିଥିଲେ। ୨୦୦୬ରେ ସେ ଦଳ ପରିବର୍ତନ କରି ନର୍ଥମ୍ପଟନ୍‌ସାୟାର ପାଇଁ ଖେଳିଥିଲେ। କ୍ରିସ୍‌ ରୋଜରଙ୍କ ସ୍ଥାନରେ ତାଙ୍କୁ ଜାଗା ମିଳିଥିଲା। ସେହି ବର୍ଷ ୬ ମ୍ୟାଚ୍‌ରୁ ୪.୮୦ ହାରରେ, ୨ ଦିନିକିଆରୁ ୮୦ ରନ୍‌ ଏବଂ ୯ ଟେ୍ଵଣ୍ଟି-୨୦ରୁ ୨୨୦ ରନ୍‌ ସଂଗ୍ରହ କରିଥିଲେ।
ବୀରେନ୍ଦ୍ର ସେହବାଗ (୨୦୦୩): ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ର ସଫଳତା ପରେ ପରେ ଭାରତର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ସେହବାଗ ନିଜର ପ୍ରଥମ ତଥା ଏକମାତ୍ର ଥର ପାଇଁ ଇଂଲିସ୍‌ ଘରୋଇ କ୍ରିକେଟ୍‌ ଖେଳି କାଉଣ୍ଟି ପଦାର୍ପଣ କରିିଥିଲେ। ଲିସେଷ୍ଟରସାୟାର ପାଇଁ ଖେଳୁଥିବା ସେହବାଗ୍‌ ୧୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୭.୮୦ ହାରରେ (୨ ଶତକ, ୧ ଅର୍ଧଶତକ) ୪୭୮ ରନ୍‌ କରିଥିଲେ। ଜାତୀୟ ଲିଗ୍‌ରେ ୭ ମ୍ୟାଚ୍‌ରୁ ୩ ଅର୍ଧଶତକ ସହ ୩୩.୨୮ ହାରରେ ୨୩୩ ରନ୍‌ କରିଥିଲେ ଏବଂ ୩ ଟେ୍ଵଣ୍ଟି-୨୦ରୁ ୭୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।
ଯୁବରାଜ ସିଂହ (୨୦୦୩): ସଚିନ୍‌ (୧୯୯୨)ଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଯୁବରାଜ ସିଂହ ୟର୍କସାୟାର ପାଇଁ ଚୁକ୍ତି କରିଥିଲେ। ୧୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ୧୪.୫୫ ହାରରେ, ୮ ଦିନିକିଆରେ ୨୧.୧୨ ହାରରେ ଏବଂ ଗୋଟିଏ ଟେ୍ଵଣ୍ଟି-୨୦ରେ ୨୭ ରନ୍‌ କରିପାରିଥିଲେ। ଏଭଳି ଖରାପ ପ୍ରଦର୍ଶନ ପାଇଁ ଯୁବରାଜଙ୍କୁ ଆଉ କାଉଣ୍ଟି ଖେଳିବା ସୁଯୋଗ ମିଳିନଥିଲା।
ଜାହିର ଖାନ୍‌ (୨୦୦୪, ୨୦୦୬): ଏହି ଭାରତୀୟ ବାମହାତୀ ଦ୍ରୁତ ବୋଲର ୨୦୦୪ରେ ସରେ ଏବଂ ୨୦୦୬ରେ ୟର୍କସାୟାର ପକ୍ଷରୁ ଖେଳିଥିଲେ। ସେ ୧୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୭୮ ଏବଂ ୧୪ ସୀମିତ ଓଭର ମ୍ୟାଚ୍‌ରୁ ୨୮ ଓ୍ଵିକେଟ୍‌ କରାୟତ କରିଥିଲେ।
ଚେତେଶ୍ୱର ପୂଜାରା (୨୦୧୩, ୨୦୧୫, ୨୦୧୭, ୨୦୧୮): ଦ୍ରାବିଡ୍‌ଙ୍କ ବିକଳ୍ପ ଭାବେ ପରିଗଣିତ ପୂଜାରା ୪ ଥର କାଉଣ୍ଟି ଖେଳିବାକୁ ସୁଯୋଗ ପାଇ ସାରିଲେଣି। ପ୍ରଥମେ (୨୦୧୩) ଡର୍ବିସାୟାର ପକ୍ଷରୁ କାଉଣ୍ଟି ଋତୁ ଆରମ୍ଭ କରି ୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୨୧୯ କରିଥିଲେ। ଏଥିରେ ଗୋଟିଏ ଅପରାଜିତ ଶତକ ଏବଂ ୯୦* ରନ୍‌ ସାମିଲ ଥିଲା। ୨୦୧୫ରେ ପୂଜାରା ୟର୍କସାୟାର ପାଇଁ ୬ ମ୍ୟାଚ୍‌ ଖେଳି ୫୨.୮୦ ହାରରେ ୨୬୪ ରନ୍‌ କରିଥିଲେ। ୨୦୧୭ରେ ନଟିଂହାମ୍‌ସାୟାର ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ପୂଜାରା ୧୨ ପାଳିରୁ ୨୭.୭୫ ହାରରେ ୩୩୩ ରନ୍‌ କରିଥିଲେ। ଚଳିତ ବର୍ଷ ପୁଣି ଥରେ ସେ ୟର୍କସାୟାରକୁ ଫେରିଥିଲେ। କିନ୍ତୁ ବିଫଳତା ଜାରି ରଖି ୪ ପାଳିରେ ଯଥାକ୍ରମେ ୨, ୧୮, ୭ ଓ ୬ ରନ୍‌ କରିଛନ୍ତି।
ସଚିନ ତେନ୍ଦୁଲକର (୧୯୯୨): ଟେଷ୍ଟ୍‍ ପଦାର୍ପଣର ୩ ବର୍ଷ ପରେ ୧୯ ବର୍ଷୀୟ ସଚିନ ତେନ୍ଦୁଲକର ପ୍ରଥମ ବିଦେଶୀ ଖେଳାଳି ଭାବେ ୟର୍କସାୟାର ପାଇଁ କାଉଣ୍ଟି ଖେଳିଥିଲେ। ୧୬ ମ୍ୟାଚ୍‌ ଖେଳି ଏହି ଭାରତୀୟ ମାଷ୍ଟର ବ୍ଲାଷ୍ଟର ୪୬.୫୨ ହାରରେ ୧୦୭୦ ରନ୍‌ କରିଥିଲେ। ଏଥିରେ ୭ ଅର୍ଧଶତକ ସାଙ୍ଗକୁ ଡରହାମ୍‌ ବିପକ୍ଷରେ ୯୬ ବଲ୍‌ରେ ଶତକ ସାମିଲ ଥିଲା।
ଜଭଗଲ ଶ୍ରୀନାଥ (୧୯୯୫): ଏହି ଭାରତୀୟ ଦ୍ରୁତ ବୋଲର ୨୫ ବର୍ଷ ବୟସରେ ଗ୍ଲସେଷ୍ଟରସାୟର ପକ୍ଷରୁ କାଉଣ୍ଟି ଖେଳିଥିଲେ। ୧୭ ମ୍ୟାଚ୍‌ରୁ ସେ ୮୭ ଓ୍ଵିକେଟ୍‌ ଦଖଲ କରିଥିଲେ। ୧୯୯୫ ଋତୁରେ ଶ୍ରୀନାଥ ପଞ୍ଚମ ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ବୋଲର ହୋଇଥିଲେ। ୭୬/୯ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ରହିଥିଲା।
ଅନୀଲ କୁମ୍ବଲେ (୧୯୯୫): ଶ୍ରୀନାଥଙ୍କ କର୍ଣ୍ଣାଟକ ଏବଂ ଭାରତୀୟ ଦଳ ସାଥୀ ଅନୀଲ କୁମ୍ବଲେ ୧୯୯୫ ମସିହାରେ ନର୍ଥହାମଟନ୍‌ସାୟାର ସହ ଚୁକ୍ତି କରିଥିଲେ। ସେ ୯୦୦ ଓଭର ବୋଲିଂ କରି ୨୦.୪୦ ହାରରେ ୧୦୫ ଓ୍ଵିକେଟ୍‌ ନେଇଥିଲେ। ସେହି ବର୍ଷ କୁମ୍ବଲେ ଓ୍ଵିଜ୍‌ଡନ୍‌ର ଶ୍ରେଷ୍ଠ ୫ କ୍ରିକେଟର୍‌ ପୁରସ୍କାର ପାଇଥିଲେ। ତାଙ୍କ ପ୍ରଦର୍ଶନ ବଳରେ ନର୍ଥମ୍ପଟନ୍‌ସାୟାର ପଏଣ୍ଟ୍‌ ଟେବୁଲରେ ତୃତୀୟରେ ରହିଥିଲା।
ମହମ୍ମଦ କୈଫ୍‌ (୨୦୦୨, ୨୦୦୩): ମହମ୍ମଦ କୈଫ୍‌ ୨୦୦୨ରେ ଲିସେଷ୍ଟରସାୟାର ପକ୍ଷରୁ ଗୋଟିଏ ଲେଖାଏଁ ଚାମ୍ପିଅନ୍‌ସିପ୍‌ ମ୍ୟାଚ୍‌ (୫୬ ରନ୍‌) ଏବଂ ଜାତୀୟ ଲିଗ୍‌ରେ (୬୦* ରନ୍‌) ଖେଳିଥିଲେ। ୨୦୦୩ରେ ସେ ଡର୍ବିସାୟାର ପାଇଁ ଖେଳି ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୩୩୨ ରନ୍‌ ଏବଂ ୮ ଜାତୀୟ ଲିଗ୍‌ରେ ୨୨୫ ରନ୍‌ କରିଥିଲେ। ଏଥିସହ ୫ ଟେ୍ଵଣ୍ଟି-୨୦ରେ ଗୋଟିଏ ଅର୍ଧଶତକ ସହ ୧୮.୫୩ ହାରରେ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର