ଦୁବାଇ: ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍ରେ ପାକିସ୍ତାନ ପ୍ରଥମ ପାଳିରେ ୨୨୦ ରନ୍ର ପଛରେ ପଡ଼ିଗଲା। ଏହାସତ୍ତ୍ୱେ ଶ୍ରୀଲଙ୍କାର ୫ଟି ଦ୍ୱିତୀୟ ପାଳି ଓ୍ଵିକେଟ୍ ମାତ୍ର ୩୪ ରନ୍ରେ ଅକ୍ତିଆର କରିନେଇ ମ୍ୟାଚ୍ରେ ରୋମାଞ୍ଚ ଭରିଦେଇଛି। ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ଓ୍ଵାହବ୍ ରିଆଜ୍ (୩/୧୦), ୟାସିର୍ ଶାହା (୧/୧୭) ଓ ମହମ୍ମଦ ଆବାସ୍ (୧/୬) ଶ୍ରୀଲଙ୍କାର ବିପର୍ଯ୍ୟୟ ଘଟାଇ ପାକିସ୍ତାନକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛନ୍ତି। ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ କରୁଣାରତ୍ନେ (୭) କୌଶଲ୍ ସିଲ୍ଭା (୩), ସମରବିକ୍ରମା (୧୩), ରାତ୍ରୀ ଜଗୁଆଳି ଲାକ୍ମଲ୍ (୧) ଓ ଅଧିନାୟକ ଚାନ୍ଦିମଲ୍ (୦) ପାଭିଲିୟନ୍ ଫେରିଯାଇଥିଲା ବେଳେ କୁସାଲ୍ ମେଣ୍ଡିସ୍ (୮) ଅପରାଜିତ ରହିଛନ୍ତି। ଶ୍ରୀଲଙ୍କା ୧୪.୩ ଓଭରରେ ୫ ଓ୍ଵିକେଟ୍ ହରାଇ ୩୪ ରନ୍ କରିଥିବାରୁ ହାତରେ ଆଉ ୫ ଓ୍ଵିକେଟ୍ ଥାଇ ମୋଟ ୨୫୪ ରନ୍ରେ ଆଗୁଆ ହୋଇଛି। ତୃତୀୟ ଦିବସରେ ମୋଟ ୧୫ ଓ୍ଵିକେଟ୍ର ପତନ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପାଳିରେ ୪୮୨ ରନ୍ କରିଥିବା ଶ୍ରୀଲଙ୍କା ରବିବାର ପାକିସ୍ତାନର ପ୍ରଥମ ପାଳିକୁ ୨୬୨ ରନ୍ରେ ଅଟକାଇ ଦେଇଥିଲା। ଶନିବାର ୫୧ ରନ୍ରେ କୌଣସି ଓ୍ଵିକେଟ୍ ହରାଇନଥିବା ପାକିସ୍ତାନ ଆଉ ୨୧୧ ରନ୍ ଯୋଡ଼ି ସମସ୍ତ ଓ୍ଵିକେଟ୍ ହରାଇଥିଲା। ହାରିସ୍ ସୋହେଲ (୫୬) ଓ ଆଝାର ଅଲ୍ଲୀ (୫୯) ଅର୍ଧଶତକ ହାସଲ କରିଥିଲା ବେଳେ ସାମି ଇସ୍ଲାମ୍ ୩୯ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ରଙ୍ଗନା ହେରାଥ୍ (୩/୮୪), ଦିଲ୍ରୁଓ୍ଵାନ୍ ପେରେରା (୩/୭୨), ଲାହିରୁ ଗାମାଗେ (୨/୩୮) ଓ ସୁରଙ୍ଗ ଲାକ୍ମଲ୍ (୨/୪୧) ଓ୍ଵିକେଟ୍ ବାଣ୍ଟି ନେଇ ପାକିସ୍ତାନକୁ ଫଲୋଅନ୍ ତଳେ ଅଟକାଇ ଦେଇଥିଲେ।