ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଆୟୋଜିତ ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଓଡ଼ିଶା ୨୧ ରନ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ନିର୍ଧାରିତ ୧୨ ଓଭରରେ ୬ ୱିକେଟ୍ ହରାଇ ୧୪୧ ରନ୍ କରିଥିଲା। ବଳରାମ ବସ୍ତିଆ (୬୨, ୨୯ ବଲ୍) ଅର୍ଧଶତକ, ଅକ୍ଷୟ କୁମାର ସାହୁ ୩୨ (୧୨ ବଲ୍) ଏବଂ ଲଲିତ ସେନାପତି ୧୯ ରନ୍ କରିଥିଲେ। ଝାଡ଼ଖଣ୍ଡ ପକ୍ଷରୁ ବାମନ ସିଂହ ୩ ୱିକେଟ୍ ପାଇଥିଲେ। ଜବାବରେ ଝାଡ଼ଖଣ୍ଡ ୬ ୱିକେଟ୍ ହରାଇ ୧୨୦ ରନ୍ କରିପାରିଥିଲା। ବବଲୁ ଗୋପେ ସର୍ବାଧିକ ୩୭ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ମହମ୍ମଦ ସୋହେଲ ଖାନ୍ ୨ ଏବଂ ଉଦିତ ହରପାଲ, ଅକ୍ଷୟ କୁମାର ସାହୁ, ବଳରାମ ପଣ୍ଡା, ନରେନ୍ଦ୍ର ଗୁମାନସିଂହ ଓ ସୁରେନ୍ଦ୍ର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।