ଶାହାରୁଖ୍‌ ଉପହାର ଭାବେ ଦେଇଥିବା ସୁନାର ହେଲମେଟକୁ କରୋନା ସହାୟତା ପାଇଁ ଦାନ କଲେ ଅଖତାର୍‌

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ଲକ୍‌ଡାଉନ୍‌ ଲାଗୁ କରିବାକୁ ବାଧ୍ୟ ହେଉଛି। ଏଭଳି ପରିସ୍ଥିତିରେ ଖେଳାଳିମାନେ ଟଙ୍କା, ଖାଦ୍ୟ ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ଦାନ କରିବାକୁ ଆଗେଇ ଆସିଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବଲର ସୋଏବ ଅଖତାର୍‌ ଆଇପିଏଲ୍‌ ସମୟରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ହୋଇଥିବା ଅବସରରେ ବଲିଉଡ୍‌ର କିଙ୍ଗଖାନ୍‌ ଶାହାରୁଖ୍‌ ଖାନ୍‌ ତାଙ୍କୁ ଏକ ଉପହାର ଦେଇଥିଲେ। ଏହି ଉପହାରଟି ଥିଲା ଏକ ସୁନାର ହେଲମେଟ। ଏହାକୁ ସେ କରୋନା ମୁକାବିଲା ପାଇଁ ଦାନ କରିବା ପରେ ଚର୍ଚ୍ଚାରେ ରହିଛନ୍ତି।

 

ପାକିସ୍ତାନର ଟେନିସ୍‌ ଷ୍ଟାର ଐସାମ୍‌-ଉଲ-ହକ କୁରେସୀ ସୋଏବ ଅଖତରଙ୍କ ସହିତ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ସୋଏବ ଅଖତର ଭାଇ ଏହି ସ୍ୱତନ୍ତ୍ର ଉପହାର କରୋନା ମୁକାବିଲା ପାଇଁ ଦାନ କରିଥିବାରୁ ଧନ୍ୟବାଦ। ଏହି ହେଲମେଟକୁ ୧୫ବର୍ଷ ପୂର୍ବେ ଶାହାରୁଖ ଖାନ୍‌ ସାଇନ୍‌ କରି ଆପଣଙ୍କୁ ଉପହାର ଦେଇଥିଲେ। ଯେତେବେଳେ ଆପଣ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ହୋଇଥିଲେ।

ଏହି ପୋଷ୍ଟ ଉତ୍ତରରେ ସୋଏବ ଅଖତାର ଲେଖିଥିଲେ, ‘ଐସାମ୍‌-ଉଲ-ହକ କୁରେସୀ ଆପଣଙ୍କୁ ଧନ୍ୟବାଦ, ଏହି ଦାନ ଏକ ସ୍ୱତନ୍ତ୍ର କାରଣ ପାଇଁ ରହିଛି।

ଏହାପରେ ପାକିସ୍ତାନ ଟେନିସ ଖେଳାଳି ସୋସିଆଲ ମିଡିଆରେ ଟ୍ରୋଲ ହୋଇଯାଇଛନ୍ତି। କାରଣ ସେ ଏହି ପୋଷ୍ଟ କରିବା ସମୟରେ ୧୫ବର୍ଷ ପୂର୍ବରୁ ଆଇପିଏଲ୍‌ ଲେଖି ଦେଇଛନ୍ତି। ପରେ ସେ ଏହି ପୋଷ୍ଟକୁ ସଂଶୋଧନ କରି ୧୨ବର୍ଷ ପୂର୍ବେ ବୋଲି ଲେଖିଥିଲେ।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ଆଇପିଏଲ ୨୦୦୮ରେ ଆରମ୍ଭ ହୋଇଥିବା ବେଳେ ପାକସ୍ତାନ ଖେଳାଳିଙ୍କୁ ପ୍ରଥମେ ଆଇପିଏଲ୍‌ରେ ଖେଳିବାର ସୁଯୋଗ ମିଳିଥିଲା।

ସମ୍ବନ୍ଧିତ ଖବର