ଭାରତର କ୍ରିକେଟ ଗାଁ, ଅଛି ୧୦୦ରୁ ଅଧିକ ଷ୍ଟାଡିୟମ

ଗୁରୁଗାଓଁ: କ୍ରିକେଟ, ଭାରତୀୟଙ୍କ ସହ ଏମିତି ସମ୍ପୃକ୍ତ ରହିଛି ଯେମିତି କ୍ରିକେଟ ଖେଳ ଖେଳିବା ଓ ଦେଖିବା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି | ଗାଁ ପଡିଆରେ ଭଙ୍ଗା ବ୍ୟାଟ ଓ ରବର ବଲ ଖେଳ ସମସ୍ତଙ୍କ ପିଲାଦିନର ସ୍ମୃତିକୁ ତାଜା କରିଦେଇଥାଏ |
ବର୍ତ୍ତମାନ ବିଶ୍ୱକପ ଫିଭର ଚାଲିଥିବାବେଳେ ଦିନକୁ ଦିନ କମିଚାଲିଛି ପଡ଼ିଆର ସଂଖ୍ୟା | ଜନସଂଖ୍ୟା ବୃଦ୍ଧି ଯୋଗୁଁ ପଡିଆ ବଦଳରେ ଏବେ ସୁଉଚ୍ଚ ଅଟାଳିକା ଦେଖିବାକୁ ମିଳୁଛି | କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସବୁ ଗ୍ରାମବାସୀ କ୍ରିକେଟ ସହ ସମ୍ପୃକ୍ତ |

କେବଳ ଗ୍ରାମବାସୀ ନୁହନ୍ତି ବରଂ ୧୦୦ରୁ ଅଧିକ କ୍ରିକେଟ ପଡିଆ ଏହି ଗାଁରେ ରହିଛି | ଗୁରୁଗ୍ରାମର ବଳିଆବାଜ ଗାଁ ହେଉଛି ଏଭଳି ଏକ ଗାଁ ଯେଉଁଠି କେବଳ କ୍ରିକେଟ ପଡିଆ ଦେଖିବାକୁ ମିଳିବ | ବ୍ୟବସାୟିକ ଢଙ୍ଗରେ ଏଠାକାର ଗ୍ରାମବାସୀ ନିଜ ଅବ୍ୟବହୃତ ଜମିକୁ ପଡିଆରେ ପରିବର୍ତ୍ତନ କରିଛନ୍ତି | ଯେଉଁମାନେ କ୍ରିକେଟ ଖେଳିବାକୁ ଚାହିଁଥାନ୍ତି ସେମାନେ ଏହି ଗାଁକୁ ଆସି ପଡିଆ ଚୟନ କରିବେ |

ଏହାପରେ ନିର୍ଦ୍ଧାରିତ ଦେୟ ଦେଇ ଯେତେଦିନ ପାଇଁ ଖେଳିବାକୁ ଚାହିଁବେ ସେତେଦିନ ଖେଳିପାରିବେ | ବଡ଼କଥା ଗ୍ରାଉଣ୍ଡ ସୁପରଭାଇଜର, ଅମ୍ପାୟାର, ସ୍କୋରର, କମେଣ୍ଟଟଟର ସବୁ ମିଳିପାରିବ | ଏହି ଗାଁର ଯୁବପିଢ଼ି ନିଜକୁ ଏଥିରେ ସାମିଲ କରି ବେଶ ଭଲ ଦି ପଇସା ଆୟ କରିପାରୁଛନ୍ତି | ଉଭୟ ଦିନ ଓ ରାତି ଏଠାରେ ଖେଳିବାର ବ୍ୟବସ୍ଥା କରାଯାଇଥିବାବେଳେ ବିଶ୍ୱର ଆଉ କେଉଁଠି ବି ଏଭଳି ସ୍ଥାନ ନାହିଁ ଯେଉଁଠି ଏତେ ପଡିଆ ଗୋଟିଏ ସ୍ଥାନରେ ଥିବ |

ସମ୍ବନ୍ଧିତ ଖବର