ଆଇପିଏଲ୍‌-୨୦୧୯: ଟିମ୍‌ ଇଣ୍ଡିଆର ଖେଳାଳି କେତୋଟି ମ୍ୟାଚ୍‌ ଖେଳି ପାରିବେ, କୋହଲି ଦେଲେ ଜବାବ

ନୂଆଦିଲ୍ଲୀ: ଭାରତୀୟ ଖେଳାଳି ବିଶ୍ୱକପ୍‌ ଠିକ୍‌ ପୂର୍ବରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଯୋଗୁଁ ତାଙ୍କ ଉପରେ ବୋଝ ପଡୁଥିବା ଆଲୋଚନା ହେଉଛି କିନ୍ତୁ ଅଧିନାୟକ ବିରାଟ କୋହଲି ଏହି ନିଷ୍ପତ୍ତି ନିଜ ସାଥୀଙ୍କ ଉପରେ ଛାଡ଼ି ଦେଇଛନ୍ତି। ସେମାନେ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ କେତୋଟି ମ୍ୟାଚ୍‌ ଖେଳିବେ ଓ କେତୋଟି ଖେଳିବେ ନାହିଁ, ତାଙ୍କ ଉପରେ ଛାଡ଼ି ଦେଇଛନ୍ତି। ଆଇପିଏଲ୍‌-୨୦୧୯ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଏବଂ ଏହା ଶେଷ ହେବାର ଖୁବ୍‌ କମ୍‌ ଦିନ ମଧ୍ୟରେ ଭାରତୀୟ ଟିମ୍‌କୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ)ର ବିଶ୍ୱକପ୍‌ ମେ’ ମାସ ୩୦ରୁ ଆରମ୍ଭ ହେବ।

ଚୟନ କମିଟିର ଅଧ୍ୟକ୍ଷ ଏମଏସକେ ପ୍ରସାଦ ପୂର୍ବରୁ ହିଁ କହିସାରିଛନ୍ତି, ଖେଳାଳିଙ୍କ ଉପରେ ପଡୁଥିବା କାମ ବୋଝକୁ ନେଇ ପ୍ରାୟୋଜକଙ୍କ ସହିତ ଆଲୋଚନା ହୋଇଛି କିନ୍ତୁ କୋହଲି କହିଛନ୍ତି ନିଜର କାର୍ଯ୍ୟଭାରକୁ ବ୍ୟବସ୍ଥିତ କରିବା ଖେଳାଳିଙ୍କର କାମ।

କୋହଲି କହିଛନ୍ତି, ଆମେ ଖେଳାଳି ଓ ପ୍ରାୟୋଜକଙ୍କୁ ସ୍ୱାଧୀନତା ଦେଇଛୁ। ସେମାନେ ଆମର ଫିଜିଓଙ୍କ ସହିତ ସଂପର୍କରେ ରହିବେ। ବିଶ୍ୱକପ୍‌ ଲାଗି ସବୁ ଜିନିଷ ଉପରେ ନଜର ରଖାଯିବ। ଏଥିରେ କାର୍ଯ୍ୟଭାର ମଧ୍ୟ ସାମିଲ ରହିବ। ବିଶ୍ୱକପ୍‌ ୪ ବର୍ଷ ପରେ ଆୟୋଜନ ହେଉଛି କିନ୍ତୁ ଆଇପିଏଲ ପ୍ରତିବର୍ଷ ଖେଳାଯାଉଛି। ଏହାର ଅର୍ଥ ନୁହେଁ ଯେ ଆଇପିଏଲ୍‌କୁ ଅବହେଳା କରାଯିବ। ଖେଳାଳିଙ୍କୁ ଆମେ ସ୍ୱାଧୀନତା ଦେଇଛୁ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର