କ୍ରିକେଟ୍‌ର ନୂଆ ଫର୍ମାଟ୍‌ ‘ଦି ହଣ୍ଡ୍ରେଡ୍‌’ ଆସନ୍ତା ଜୁଲାଇରେ ଇଂଲଣ୍ଡରୁ ଆରମ୍ଭ

ନୂଆଦିଲ୍ଲୀ: ପ୍ରାୟ ୩ ବର୍ଷର ପରୀକ୍ଷାନିରୀକ୍ଷା ପରେ ୧୦୦ ବଲ୍‌ ବିଶିଷ୍ଟ ପ୍ରତିଯୋଗିତା ‘ଦି ହଣ୍ଡ୍ରେଡ୍‌’ ଆସନ୍ତା ବର୍ଷ ଜୁଲାଇ ମାସରେ ଇଂଲଣ୍ଡରେ ଆୟୋଜିତ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ସୋପନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳାରେ ୮ ଲେଖାଏଁ ଦଳକୁ ‌ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେବ। ୭ ବିଭିନ୍ନ ସହରରୁ ୮ ଦଳ ବ୍ରମିଂହାମ ଫିନିକ୍ସ (ଏଜ୍‌ବାଷ୍ଟନ୍), ଲଣ୍ଡନ୍‌ ସ୍ପିରିଟ୍‌ (ଲର୍ଡ୍ସ), ମାଞ୍ଚେଷ୍ଟର ଅରିଜିନାଲ୍ସ (ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ), ନର୍ଦନ ସୁପରଚାର୍ଜର୍ସ (ଏମରାଲ୍ଡ ହେଡିଂଲେ), ଓଭାଲ ଇନ୍‌ଭିନ୍‌ସିବଲ୍ସ (ଦି ଓଭାଲ), ସାଦର୍ନ ବ୍ରେଭ୍ (ଏ‌େଜସ ବୋଲ), ଟ୍ରେଣ୍ଟ୍‌ ରକେଟ୍ସ (ଟ୍ରେଣ୍ଟ୍‌ ବ୍ରିଜ୍‌), ୱେଲ୍ସ ଫାୟାର (କାର୍ଡିଫ୍‌) ଭାଗନେବେ।

ଏହି ଲିଗ୍‌ର ପ୍ରଥମ ସଂସ୍କରଣ ଲାଗି ଖେଳାଳି ନିଲାମ ରବିବାର ଆରମ୍ଭ ହୋଇଛି। ପୁରୁଷରେ ମୋଟ ୫୭୦ ଜଣ ଖେଳାଳିଙ୍କ ମଧ୍ୟରେ ୨୩୯ ଜଣ ବିଦେଶୀ ଓ ୩୩୧ ଜଣ ଘରୋଇ ଖେଳାଳି ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୯୬ ଜଣ ଖେଳାଳି ବିକ୍ରି ହୋଇଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍‌ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍ ଗେଲ୍ ଓ ଶ୍ରୀଲଙ୍କାର ୟର୍କର ମାଷ୍ଟର ଲସିଥ ମାଲିଙ୍ଗାଙ୍କ ଭଳି ଅନେକ ବରିଷ୍ଠ ଖେଳାଳି ବିକ୍ରି ହୋଇନାହାନ୍ତି। ଗେଲ୍ ଓ ମାଲିଙ୍ଗାଙ୍କ ମୂଳ ମୂଲ୍ୟ ୧,୨୫,୦୦୦ ପାଉଣ୍ଡ ଥିଲା ବେଳେ ତାଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ରସିଦ୍ ଖାନ୍, ଜୋ ରୁଟ୍‌ଙ୍କୁ ଟ୍ରେଣ୍ଟ ରକେର୍ଟ୍ସ, ଆଣ୍ଡ୍ରିଉ ରସେଲଙ୍କୁ ସଦର୍ନ ବ୍ରେଭ୍, ଆରୋନ୍ ଫିଞ୍ଚ ଓ ମୁଜିବୁର ରହମାନଙ୍କୁ ନର୍ଦନ ସୁପରଚାର୍ଜର୍ସ, ସୁନିଲ ନାରାୟଣଙ୍କୁ ଓଭାଲ ଇନ୍‌ଭିନ୍‌ସିବଲ୍ସ, ଇମରାନ ତାହିର ଓ ଡେନ୍ ବିଲାସଙ୍କୁ ମାଞ୍ଚେଷ୍ଟର ଅରିଜିନାଲ୍ସ, ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଲଣ୍ଡନ ଷ୍ଟ୍ରିଟ ଏବଂ ଲିଅମ୍ ପ୍ଲଙ୍କେଟଙ୍କୁ ବର୍ମିଂହାମ ଫିନିକ୍ସ କିଣିଛି।

ଏହି ପ୍ରତିଯୋଗିତାର ନିୟମ
 ମ୍ୟାଚ୍‌ ୨୦୦ ବଲ୍‌ ବିଶିଷ୍ଟ, ପ୍ରତ୍ୟେକ ପାଳିରେ ୧୦୦ ବଲ୍‌ ପକାଯିବ।
 ଗୋଟିଏ ଓଭର ୧୦ ବଲ୍‌ ବିଶିଷ୍ଟ।
 ଗୋଟିଏ ଓଭର ଜଣେ ବୋଲର ପୁରା ପକାଇପାରିବ କିମ୍ବା ଦୁଇ ଜଣ ୫ ବଲ୍‌ ଲେଖାଏଁ ପକାଇପାରିବେ, ଏହା ଅଧିନାୟକ ନିଷ୍ପତ୍ତି ଉପରେ ନିର୍ଭର।
 ମ୍ୟାଚ୍‌ରେ ଜଣେ ବୋଲର ଅତିବେଶୀରେ ୨୦ ବଲ୍‌ ପକାଇ ପାରିବ।
 ଉଭୟ ବୋଲିଂ ସାଇଡ୍‌ ଅତି ବେଶୀରେ ଅଢ଼େଇ ମିନିଟ୍‌ର ଷ୍ଟ୍ରା‌ଷ୍ଟେଜିକ୍‌ ଟାଇମ ଆଉଟ୍‌ ନେଇପାରିବେ।
 ଏହି ସମୟରେ ପ୍ରଶିକ୍ଷକ ପଡ଼ିଆ ମଧ୍ୟକୁ ପଶି ଖେଳାଳିଙ୍କ ସହ ଆଲୋଚନା କରିପାରିବେ।
 ପାଳିର ପ୍ରଥମ ୨୫ ବଲ୍‌ ପାୱାର ପ୍ଲେ ରହିବ। ଏହି ସମୟରେ ୩୦ ୟାର୍ଡ ବାହାରେ ଦୁଇ ଜଣ ଖେଳାଳି ରହିବେ।
 ମ୍ୟାଚ୍‌ର ସମୟ ୨ରୁ ୨.୩୦ ଘଣ୍ଟା ରହିବ।
 ପ୍ରତି ଦଳରେ ୧୫ ଖେଳାଳି ରହିବେ, ଶେଷ ଏକାଦଶରେ ୩ ଜଣ ବିଦେଶୀ ଖେଳାଳିଙ୍କୁ ସୁଯୋଗ ମିଳିବ।
 ୮ ପୁରୁଷ ଦଳରେ ଅତି କମ୍‌ରେ ଜଣେ ଲେଖାଏଁ ଇଂଲଣ୍ଡ ଟେଷ୍ଟ୍‌ ଖେଳାଳି ରହିବେ।

ସମ୍ବନ୍ଧିତ ଖବର