କଠିନ ପରୀକ୍ଷାରେ କେକେଆର୍‌

-ହର୍ଷ ଭୋଗଲେ-

କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମୋତେ ଉଭୟ ଭାବନା ଓ ପ୍ରଦର୍ଶନ ଦୃଷ୍ଟିରୁ ସବୁବେଳେ ପ୍ରଭାବିତ କରି ଆସିଛି। ପ୍ରଥମ ପାଞ୍ଚଟିରୁ ଚାରିଟି ବିଜୟ ପରେ ଏହି ଦଳ ପରବର୍ତୀ ପାଞ୍ଚଟି ମ୍ୟାଚ୍‌ରେ ଲଗାତାର ପରାଜୟ ବରଣ କରିଛି। ପ୍ଲେ ଅଫ୍ ପାଇଁ ପରବର୍ତୀ ଚାରିଟି ମ୍ୟାଚ୍ ଜିତିବା ସେମାନଙ୍କ ପାଇଁ ଏବେ ଜରୁରୀ ହୋଇପଡ଼ିଛି। ସେମାନେ ଏହି ଚାପ ସହି ପାରିବେ କି ନାହିଁ, ସେ ନେଇ ମୋ ମନରେ ସଂଶୟ ରହିଛି। କାରଣ ଟ୍ବେଣ୍ଟି-୨୦ର ମୂଳମନ୍ତ୍ର ହେଉଛି ନିର୍ଭିକ କ୍ରିକେଟ୍। ଏହି କ୍ଷେତ୍ରରେ ଆମେ ଆର୍‌ସିବିର ଉଦାହରଣ ନେଇପାରିବା। ପ୍ଲେ ଅଫ୍ ଆଶା ଉଭେଇ ଯିବା ପରେ ଆର୍‌ସିବି ଏବେ ଅଧିକ ବିପଜ୍ଜନକ ହୋଇଯାଇଛି। କେତେକ ମ୍ୟାଚ୍‌ରେ କେକେଆର୍‌ ତା’ ପାଖରେ ଉପଲବ୍ଧ ଥିବା ସମ୍ବଳକୁ ପଡ଼ିଆ ଭିତରକୁ ପଠାଇବା ପରିବର୍ତେ ବେଞ୍ଚରେ ବସାଇ ରଖିଥିଲା ବୋଲି ଆମେ କହିପାରିବା। ମୋ ମତରେ ଆଇପିଏଲ୍‌ରେ ଆପଣଙ୍କ ପାଖରେ ଥିବା ସମ୍ବଳର ସଦୁପଯୋଗ କରିବା ସବୁଠୁ ଅଧିକ ମହତ୍ବପୂର୍ଣ୍ଣ। । ସେଥିପାଇଁ ଦୀନେଶ କାର୍ତିକ ଉପରେ ଖେଳିଲେ କେକେଆର୍‌ କିଭଳି ପ୍ରଦର୍ଶନ କରିବ, ତାହା ଦେଖିବାକୁ ମୁଁ ବ୍ୟଗ୍ର। ସେ ପାଞ୍ଚ ନମ୍ବର ଉପରେ ଖେଳିଲେ ଭଲ। ଉଦାର ହୃଦୟ ଅଧିନାୟକମାନେ ଅନ୍ୟକୁ ସୁଯୋଗ ଦେବା‌ ପାଇଁ ଅନେକ ସମୟରେ ନିଜ ଅଧିକାରକୁ ସାବ୍ୟସ୍ତ କରନ୍ତିନାହିଁ। ମୁଁ ଭାବୁଛି କାର୍ତିକ ୫ ଏବଂ ରସେଲ ୬ କିମ୍ବା ଉଭୟ ୪/୫ କ୍ରମରେ ବ୍ୟାଟିଂ କଲେ ଭଲ। ସଂପ୍ରତି ଦୁଇ ଜଣ ଯାକ ଖେଳିବାକୁ ପର୍ଯ୍ୟାପ୍ତ ବଲ୍ ପାଉନାହାନ୍ତି। କେକେଆର୍‌ର ଗୁରୁବାର ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ସମସ୍ୟା କିଛି କମ୍ ନାହିଁ। ସେମାନେ ବଟଲରଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ। ସ୍ମିଥଙ୍କ ବିଳମ୍ବିତ ବିସ୍ଫୋରଣ ଏବଂ ଅନ୍ୟତମ ଦାମୀ ଖେଳାଳି ବେନ୍ ଷ୍ଟୋକ୍ସଙ୍କ ମାମୁଲି ପ୍ରଦର୍ଶନ ରାଜସ୍ଥାନ ପାଇଁ ସବୁଠାରୁ ବଡ଼ ଚିନ୍ତାର କରଣ ହୋଇଛି। ବଟଲର ସ୍ବଦେଶ ଫେରିଯିବା ପରେ ସବୁ ବୋଝ ରାହାଣେ ଓ ସ୍ମିଥଙ୍କ ମୁଣ୍ଡ ଉପରକୁ ଆସିଛି। ରାଜସ୍ଥାନକୁ ଷ୍ଟୋକ୍ସଙ୍କ ଅନୁପସ୍ଥିତି ସେତେ ବାଧିବ ନାହିଁ ବୋଲି ମୋର ବିଶ୍ବାସ। ଆର୍ଚରଙ୍କ ଅନୁପସ୍ଥିତିକୁ ଭରଣା କରିବା ରାଜସ୍ଥାନ ପାଇଁ କାଠିକର ପାଠ ହେବ। କାରଣ ରାହାଣେ ହୁଅନ୍ତୁ କି ସ୍ମିଥ୍ ସେମାନଙ୍କ ଯୋଜନାରେ ଆର୍ଚରଙ୍କ ୪ ଓଭର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଇଡେନ୍ ଗାର୍ଡେନ୍ସ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଏ, ତାହାଲେ ମୁଁ କେକେଆର୍‌ ସପକ୍ଷରେ ମତ ଦେଇପାରେ। ଏଥିପାଇଁ ଉଥାପ୍ପା ଓ କୁଲଦୀପଙ୍କୁ ନିଜ ପୁରୁଣା ରୂପ ଦେଖାଇବାକୁ ପଡ଼ିବ। ସମ୍ଭବତଃ ଏହା ସେମାନଙ୍କ ପ୍ରତ୍ୟାବର୍ତନ ମ୍ୟାଚ୍ ହେବ।

ସମ୍ବନ୍ଧିତ ଖବର