ଆଜିଠାରୁ କ୍ରସ୍ ଓଭର କଣ୍ଟା

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ସୋମବାରଠାରୁ କ୍ରସ୍ ଓଭର ଆରମ୍ଭ ହୋଇଯିବ। ଏହା ଦୁଇ ଦିନ ଖେଳାଯିବ, ଯାହାକି ପ୍ରି-କ୍ବାର୍ଟର ଫାଇନାଲ୍‌ ସଦୃଶ ରହିଛି। ପ୍ରଥମ ଦିବସରେ ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ୍ (ଅପରାହ୍ନ ୪.୪୫ ମିନିଟ୍‌) ଏବଂ ଫ୍ରାନ୍ସ ବନାମ ଚୀନ୍‌ (ରାତି ୭.୦୦ ମିନିଟ) ମୁକାବିଲା ହେବ। ବିଶ୍ବକପ୍‌ରେ ଭାଗ ନେଇଥିବା ୧୬ ଦେଶକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ପ୍ରତି ପୁଲର୍ ଶୀର୍ଷ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି ଏବଂ ଶେଷ ସ୍ଥାନରେ ରହୁଥିବା ଦଳ ସ୍ବଦେଶ ବାହୁଡୁଛନ୍ତି। କିନ୍ତୁ ପୁଲ୍‌ରୁ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲ କରିଥିବା ୮ ଦଳକୁ ପ୍ରତିପକ୍ଷ ପୁଲ୍‌ର ଦଳ ସହ ଖେଳି କ୍ବାର୍ଟର ଫାଇନାଲ୍‌ ଯିବାର ସୁଯୋଗ ଆସିଛି। ଏବେ ‘କର ବା ମର’ ପ୍ରି-କ୍ବାର୍ଟର ଫାଇନାଲ ସଦୃଶ ନକ୍ ଆଉଟ୍ ମ୍ୟାଚ୍‌ ଏହି ୮ ଦଳ ପାଇଁ ସମାନ ସୁଯୋଗ ଏବଂ ବିଶ୍ବକପ୍‌ ରୋମାଞ୍ଚକୁ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାର ବିଧି ଆଣିଦେଇଛି। ଫଳରେ ୧୬ ଦଳୀୟ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟ ଶେଷ ‌ହୋଇଥିଲେ ମଧ୍ୟ ୧୨ ଦଳର ସମ୍ଭାବନା କାଏମ ରହିଛି। ସୋମବାର ଓ ମଙ୍ଗଳବାର କ୍ରସ୍ ଓଭର ଖେଳାଯିବା ପରେ ଆଉ ୪ ଦଳ ବିଦାୟ ନେଇଯିବେ। ବୁଧବାରଠାରୁ କ୍ବାର୍ଟର ଫାଇନାଲ୍ ଆରମ୍ଭ ହୋଇଯିବ। ଏହିଠାରୁ ଅସଲ୍‌ ବିଶ୍ବକପ୍ ଆରମ୍ଭ ହେବ ବୋଲି କହି ସାରିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ।

ସମ୍ବନ୍ଧିତ ଖବର