କଟକ-ବି ଓ ଭୁବନେଶ୍ୱର-ବି’ର ବୃହତ୍‌ ବିଜୟ

କଳାହାଣ୍ଡି କପ୍‌: ପ୍ରଦୀପ୍ତ ଓ କାର୍ତିକଙ୍କ ଶତକ

କଟକ: କଳାହାଣ୍ଡି କପ୍‌ର ତୃତୀୟ ଦିନରେ ଇକୋର୍ସା, ସୁନ୍ଦରଗଡ଼, ଯାଜପୁର, କଟକ-ଏ, କଟକ-ବି, ଭୁବନେଶ୍ୱର-ଏ, ଭୁବନେଶ୍ୱର-ବି, ବାଲେଶ୍ୱର ବିଜୟୀ ହୋଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ପ୍ରଦୀପ୍ତ ଦାସ ଓ କାର୍ତିକ ବିଶ୍ୱାଳଙ୍କ ଚିକାକର୍ଷକ ଶତକ ସତ୍ତ୍ୱେ ଯଥାକ୍ରମ କଟକ-ବି ଏବଂ ଭୁବନେଶ୍ୱର-ବି ଦଳ ବୃହତ୍‌ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ରବିବାର କଟକ-ଏ’ର ଅଭିଷେକ ରାଉତ, କଟକ-ବି’ର ମନୀଷ ରାଉତ, ଭୁବନେଶ୍ୱର ବି’ର ଆଲୋକ ସେଠୀ ଓ ବାଲେଶ୍ୱରର ବିରେନ୍ଦର ସିଂହ ୫ ଓ୍ଵିକେଟ୍‌ ସଫଳତା ପାଇଛନ୍ତି। ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଇକୋର୍ସା ୭ ଓ୍ଵିକେଟ୍‌ରେ ମାଲକାନଗିରିକୁ ପରାସ୍ତ କରିଛି। ଇକୋର୍ସାର ସୂର୍ଯ୍ୟକାନ୍ତ ପ୍ରଧାନ (୪), ଆଲୋକ ମଙ୍ଗରାଜ (୩), ପ୍ରିୟତୋଷ ପରମାଣିକ (୨)ଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ମାଲକାନଗିରି ମାତ୍ର ୩୫ ରନ୍‌ରେ ଆଉଟ ହୋଇଥିଲା। ଜବାବରେ ଇକୋର୍ସା ସୁଜିତ ଲେଙ୍କା, ଅଭିଷେକ ଯାଦବ, ପ୍ରିୟତୋଷ ପରମାଣିକଙ୍କ ଓ୍ଵିକେଟ ହରାଇବା ସତ୍ତ୍ୱେ ୬.୩ ଓଭରରେ ବିଜୟ ହାସଲ କରିଥିଲା। ସନସାଇନ୍‌ ପଡ଼ିଆରେ ସୁନ୍ଦରଗଡ଼ ୭୫ ରନ୍‌ରେ ନୟାଗଡ଼କୁ ହରାଇଛି। ସନୋଜ ମହାନନ୍ଦଙ୍କ ୫୨, ସୁଭ୍ରଜିତ ସାହୁ ୪୭*, ସଚିନ ଶ୍ରେଷ୍ଠଙ୍କ ୪୬ ରନ୍‌ ସହାୟତାରେ ସୁନ୍ଦରଗଡ଼ ୨୨୫ ରନ୍‌ କରିଥିଲା। ନୟାଗଡ଼ର ସୌମ୍ୟସିଦ୍ଧ ସିଂହସାମନ୍ତ ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଅବିନାଶ ସାହୁ (୬୧)ଙ୍କ ଅର୍ଧଶତକ ସତ୍ତ୍ୱେ ନୟାଗଡ଼ ୧୫୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଓ୍ଵାଲଟର ଟପ୍ପୋ ୩ ଓ୍ଵିକେଟ୍‌ ନେଇଥିଲେ। ଡ୍ରିମ୍ସ ପଡ଼ିଆରେ ଯାଜପୁର ୪ ଓ୍ଵିକେଟରେ ବୌଦ୍ଧକୁ ହରାଇଛି। ବୌଦ୍ଧ ୧୦୮ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ତପେନ୍ଦ୍ର ସିଂହ ୨୨ ଓ ମନୋଜ କୁମାର ନାୟକ ୨୨* ରନ୍‌ କରିଥିଲେ। ଯାଜପୁରର ପପୁ ରଏ ୪, ସତ୍ୟପ୍ରକାଶ ପାଢୀ ୩ ଓ୍ଵିକେଟ ଅକ୍ତିଆ କରିଥିଲେ। ୧୦୯ ରନ୍‌ର ଲକ୍ଷ୍ୟକୁ ଯାଜପୁର ୬ ଓ୍ଵିକେଟ ବିନିମୟରେ ହାସଲ କରିପାରିଥିଲା। ସ୍ୱାଗତ ନାୟକ ୨୨, ଓ୍ଵାଇ ଶ୍ରୀକାନ୍ତ ୨୦ ରନ୍‌ କରି ଦଳକୁ ଜିତାଇଥିଲେ।

ନିମପୁରରେ କଟକ-ଏ ୭ ଓ୍ଵିକେଟ୍‌ରେ ନୂଆପଡ଼ାକୁ ପରାସ୍ତ କରିଛି। ଅଭିଷେକ ରାଉତ (୬/୩୭)ଙ୍କ ଘାତକ ବୋଲିଂ ଆଗରେ ତିଷ୍ଠିନପାରି ନୂଆପଡ଼ା ୧୦୬ ରନ୍‌ରେ ଆଉଟ ହୋଇଥିଲା। ତେବେ କଟକ-ଏ ଦଳ ବିପ୍ଳବ ସାମନ୍ତରାୟ (୨୮), ଅଭିଷେକ ରାଉତ (୦) ଓ ଲୋକେଶ ମହାନ୍ତି (୧୩)ଙ୍କ ଓ୍ଵିକେଟ ହରାଇବା ସତ୍ତ୍ୱେ ଅରବିନ୍ଦ ସିଂହ ୪୪* ଓ ମହମ୍ମଦ ଆକ୍ରମ ୪*ଙ୍କ ବଳରେ ବିଜୟୀ ହୋଇଥିଲା। ବିଡ଼ାନାସୀରେ କଟକ-ବି ୨୧୩ ରନ୍‌ରେ ସୋନପୁରକୁ ହରାଇଛି। କଟକ- ବି ୬ ଓ୍ଵିକେଟ ବିନିମୟରେ ୩୨୪ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ପ୍ରଦୀପ୍ତ ଦାସ (୧୩୮) ଶତକ ସହ ସଞ୍ଜୀବ ସାହୁ (୭୫) ଅର୍ଧଶତକ ଅର୍ଜନ କରିଥିଲା ବେଳେ ସୋନପୁରର ପୁରୁଷୋତ୍ତମ ପାତ୍ର ଓ ଚନ୍ଦ୍ରମଣି ବିଶ୍ୱାଳ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ହେଲେ ସୋନପୁର ୧୧୧ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ମନୀଷ ରାଉତ ୫ ଓ୍ଵିକେଟ ଅକ୍ତିଆର କରିଥିଲେ। ରେଭେନ୍ସା ଦୁଇ ନମ୍ବର ପଡ଼ିଆରେ ଭୁବନେଶ୍ୱର-ବି ୧୭୨ ରନ୍‌ରେ ଦେଓଗଡ଼କୁ ହରାଇଛି। ଭୁବନେଶ୍ୱର-ବି ୩୦୪ ରନ୍‌ କରିଥିଲା ବେଳେ କାର୍ତ୍ତିକ ବିଶ୍ୱାଳ ୧୪୫, ଦିବ୍ୟଜ୍ୟୋତି ପ୍ରଧାନ ୬୦ ରନ୍‌ କରିଥିଲେ। ଜବାବରେ ଦେଓଗଡ଼ ୧୩୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ନୀଳକଣ୍ଠ ନାୟକ ୪୫ ଓ ଆଶିଷ ପଟ୍ଟନାୟକ ୩୨ ରନ୍‌ କରିଥିଲେ। ଆଲୋକ ସେଠୀ ୫ ଓ୍ଵିକେଟ ଅକ୍ତିଆର କରିଛନ୍ତି। ବୋସ୍‌ ପଡ଼ିଆରେ ଭୁବନେଶ୍ୱର-ଏ ୬ ଓ୍ଵିକେଟ୍‌ରେ ଫୁଲବାଣୀକୁ ପରାସ୍ତ କରିଛି। ଫୁଲବାଣୀ ୧୨୪ ରନ୍‌ କରିଥିଲା ବେଳେ ଦେବାଶିଷ ମଲ୍ଲିକ ୩୧, ରଶ୍ମିରଂଜନ ୨୬ ରନ୍‌ କରିଥିଲେ। ଭୁବନେଶ୍ୱର ପକ୍ଷରୁ ମାନସ ମହାପାତ୍ର ଓ ଆଶିଷ ପ୍ରଧାନ ୩ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଭୁବନେଶ୍ୱର ୪ ଓ୍ଵିକେଟ୍‌ ବିନିମୟରେ ହାସଲ କରିଥିଲା। ପ୍ରତୀକ ଦାସ ୩୪* ରନ୍‌ କରିଥିଲେ। ରେଭେନ୍ସା ୧ ନମ୍ବର ପଡ଼ିଆରେ ବାଲେଶ୍ୱର ୩ ରନ୍‌ରେ କେନ୍ଦ୍ରାପଡ଼ାକୁ ହରାଇଛି। ବାଲେଶ୍ୱର ୧୩୯ ରନ୍‌ କରିଥିଲା ବେଳେ ସର୍ବେଶ୍ୱର ମହାନ୍ତି ୨୮ ରନ୍‌ କରିଥିଲେ। କେନ୍ଦ୍ରାପଡ଼ାର ଆଶିଷ ନାୟକ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କେନ୍ଦ୍ରାପଡ଼ା ୧୩୬ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବିଶ୍ୱ ଭୂଷଣ ବିହାରୀ (୪୯) ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ବିରେନ୍ଦର ସିଂହ ୬ ଓ୍ଵିକେଟ୍‌ ହାସଲ କରିଥିଲେ।

ସମ୍ବନ୍ଧିତ ଖବର