କଟକ ଜିଲ୍ଲା ଦୌଡ଼କୁଦ: ପିବି କ୍ଲବ୍‌ ଦଳଗତ ବିଜେତା

କଟକ: ପିବି ଦୌଡ଼କୁଦ କ୍ଲବ୍‌ କଟକ ଜିଲ୍ଲା ଦୌଡ଼କୁଦ ପ୍ରତିଯୋଗିତାର ଦଳଗତ ବିଜେତା ହୋଇଛି। ଏହି କ୍ଲବ୍‌ ମୋଟ ୧୮୨ ପଏଣ୍ଟ ହାସଲ କରିଥିଲା। ଏହାବ୍ୟତୀତ ୪ଟି ବିଭାଗରେ ମଧ୍ୟ ପିବି କ୍ଲବ୍‌ ବିଜେତା ହୋଇଛି। ୧୪ ବର୍ଷରୁ କମ୍‌ ବାଳିକାରେ ୧୫, ୧୫ ବର୍ଷରୁ କମ୍‌ ବାଳକରେ ୨୫, ୧୮ ବର୍ଷରୁ କମ୍‌ ବାଳକରେ ୩୧ ଓ ପୁରୁଷରେ ୪୨ ପଏଣ୍ଟ ପାଇ ବିଜେତା ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ବାଳକରେ ୧୬ ପଏଣ୍ଟ ଓ ମହିଳାରେ ୩୨ ପଏଣ୍ଟ ପାଇ ଗଙ୍ଗୋତ୍ରି କ୍ଲବ୍‌ ବିଜେତା ହୋଇଥିଲା ବେଳେ ୧୬ ବର୍ଷରୁ କମ୍‌ ବାଳିକାରେ ରେଭେନ୍ସା ମର୍ଣ୍ଣିଂ କ୍ଲବ୍‌ ୩୦ ପଏଣ୍ଟ, ୧୮ ବର୍ଷରୁ କମ୍‌ ବାଳିକା, ୨୦ ବର୍ଷରୁ କମ୍‌ ବାଳିକା ଓ ବାଳକରେ କଟକର ସାଇ ପ୍ରଶିକ୍ଷଣ କେନ୍ଦ୍ର ଯଥାକ୍ରମେ ୩୦, ୨୬ ଓ ୩୫ ପଏଣ୍ଟ ପାଇ ବିଜେତା ହୋଇଛନ୍ତି।
ରବିବାର ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ କଟକ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସଂପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ପ୍ରତିଯୋଗିତାରୁ କଟକ ଦଳ ଚୟନ କରାଯିବ। ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଉକ୍ତ ଖେଳାଳିମାନେ କଟକ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦିଆଯାଇଛି। ପୁରସ୍କାର ପ୍ରଦାନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଭକ୍ତ ବଲ୍ଲଭ ଦାସ, ସହଦେବ ରାଉତ, ସୁବାଶିଷ କର, ଅଭିଜିତ୍‌ ପାଲ୍‌, ରମେଶ ମଲ୍ଲିକ, ଋଷିନାଥ ସାହୁ, ବିଭାଗୀୟ ସମ୍ପାଦକ ବିପିନ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର