କଟକରେ ଜାତୀୟ ଉପକନିଷ୍ଠ କୁସ୍ତି: ଓଡ଼ିଶାର ସ୍ବର୍ଣ୍ଣ ବିଜେତାଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ମିଳିବ

କଟକ: ଓଡ଼ିଶା କୁସ୍ତି ସ˚ଘ ଓ ସର୍ବଭାରତୀୟ କୁସ୍ତି ମହାସ˚ଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖରୁ ଜବାହାରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ୩୮ତମ ଫ୍ରି ଷ୍ଟାଇଲ୍‌-ଗ୍ରିକୋ ରୋମାନ ଷ୍ଟାଇଲ୍‌ ଓ ୨୨ତମ ବାଳିକା ଫ୍ରି ଷ୍ଟାଇଲ୍‌ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୮୦୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିବେ। ପୂର୍ବରୁ ଓଡ଼ିଶାରେ ୪ ଥର ଜାତୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ୨୨ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତା ହେବ ବୋଲି ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରତିଯୋଗିତା ପାଇଁ ପାଖାପାଖି ୩୫ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି। ତେବେ ପ୍ରତିଯୋଗିତାରେ ଓଡ଼ିଶାରେ ଯେଉଁ ଖେଳାଳି ସ୍ବର୍ଣ୍ଣ ପଦକ ଜିତିବେ ସେମାନଙ୍କୁ ଅନୁବନ୍ଧିତ କ୍ଲବ୍‌ କଳିଙ୍ଗ ଜିମ୍ନାସିୟମ୍‌ ପକ୍ଷରୁ ୧୦ ଲକ୍ଷ ଓ ସଭାପତି ରାମଚନ୍ଦ୍ର ପାଢୀଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ ଏହି ଅବସରରେ ଘୋଷଣା କରାଯାଇଛି।
ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ଓଡ଼ିଶାରୁ ୧୭ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। କଟକ ଓ ପୁରୀରେ ସେମାନଙ୍କର ଅଭ୍ୟାସ ଚାଲିଛି। ତଥାପି ଦୁଇରୁ ଚାରିଜଣ ଖେଳାଳି ରାଜ୍ୟ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ଦକ୍ଷତା ରଖିଥିବା ସୂଚନା ଦିଆଯାଇଛି। ବାଳକ ୪୫ କିଗ୍ରାରେ ଶିବଦେନ୍ଦୁ ସାମଲ, ୪୭ କିଗ୍ରାରେ ରାଜୀବ ସୋରେନ୍‌, ୫୧ କିଗ୍ରାରେ କେଶବ ଚନ୍ଦ୍ର ନାୟକ, ୫୫ କିଗ୍ରାରେ ତାପସ ବେହେରା, ୬୦ କିଗ୍ରାରେ ଲୋକନାଥ ସୁପକାର, ୬୫ କିଗ୍ରାରେ ପ୍ରଶାନ୍ତ କୁମାର, ୭୧ କିଗ୍ରାରେ ସାହିଲ ସୁନ୍ଦର ବେହେରା, ୮୦ କିଗ୍ରାରେ ଶ୍ୟାମ ର˚ଜନ ପ୍ରଧାନ, ୯୨ କିଗ୍ରାରେ ଅରଜିତ ମଲ୍ଲିକ, ୧୧୦ କିଗ୍ରାରେ ଜୟକିଷାନ ପୂଜାପଣ୍ତା ଏବଂ ବାଳିକା ୪୦ କିଗ୍ରାରେ ଶୁଭଶ୍ରୀ ନାୟକ, ୪୩ କିଗ୍ରାରେ ନୀପାଞ୍ଜଳି ମହାରଣା, ୪୬ କିଗ୍ରାରେ ସନ୍ତୋଷିନୀ ନାୟକ, ୪୯ କିଗ୍ରାରେ ପୂର୍ଣ୍ଣିମା ପରିଡ଼ା, ୫୩ କିଗ୍ରାରେ ଦିବ୍ୟଜ୍ୟୋତି ନାୟକ, ୫୭ କିଗ୍ରାରେ ସାହିଦା ବେଗମ, ୬୧ କିଗ୍ରାରେ ଶିଳ୍ପା ସାହୁ ପ୍ରତିଦ୍ବନ୍ଦିତା କରିବେ ବୋଲି ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସି˚ହ, ରାଜ୍ୟ କୁସ୍ତି ସ˚ଘ ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ ବିନୋଦ ଦାସ, ସ˚ଗଠନ ସମ୍ପାଦକ ଦେବେନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ କିଶୋର ବେହେରା, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, କଳିଙ୍ଗ ଜିମ୍ନାସିୟମର ସମ୍ପାଦକ ବିରଜା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର