କଟକ ପ୍ରିମିୟର ଲିଗ୍‌ ୨୨ରୁ

କଟକ-ଜଗତପୁର: ଜଗତପୁରସ୍ଥିତ ନିମପୁର ସ୍ପୋର୍ଟ୍ସ ଆଣ୍ଡ କ୍ରିକେଟ କ୍ଲବ୍‌ ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖରୁ କଟକ ପ୍ରିମିୟର ଲିଗ୍‌ ଅନୁଷ୍ଠିତ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ କଟକ, ଭୁବନେଶ୍ୱର ଓ ରାଉରକେଲାରୁ ୧୬ ଦଳ ଅଂଶଗ୍ରହଣ କରିବେ। ରାଇଜିଂ ଷ୍ଟୁଡେଣ୍ଟ୍‌ସ, ବିଶ୍ୱଭାରତୀ, ଜୁଭେନାଇଲ୍‌, ସ୍କାନ୍‌ ସ୍ପୋର୍ଟିଂ, ପ୍ରଗତି ସ୍ପୋର୍ଟିଂ, ସହିଦ୍‌ ସ୍ପୋର୍ଟିଂ, ପାରାମାଉଣ୍ଟ ସ୍ପୋର୍ଟିଂ, ରାଉରକେଲା ଜିମ୍‌ଖାନା, ନିମପୁର ସ୍ପୋର୍ଟ୍ସ କ୍ଲବ୍‌, ରେଡ୍‌ ଷ୍ଟାର୍‌, ରାମେଶ୍ୱର ସ୍ପୋର୍ଟିଂ, ସୋଲାର, ୟୁନିଅନ୍‌ ସ୍ପୋର୍ଟିଂ, ଟ୍ରେଲ୍‌ ବ୍ଲେଜର କ୍ଲବ୍‌, ମୁକ୍ତେଶ୍ୱର, ଗ୍ରୀନ୍‌ କ୍ଲବ୍‌ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ନକ୍‌ଆଉଟ୍‌ ଭିତ୍ତିରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ୨୬ ଓ ୨୭ ତାରିଖରେ କ୍ୱାର୍ଟର ଫାଇନାଲ୍‌, ୨୮ରେ ସେମି ଫାଇନାଲ୍‌ ଓ ୩୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ବିଜେତା ଦଳକୁ ଟ୍ରଫି ସହ ୪୦ ହଜାର ଟଙ୍କା ଓ ଉପବିଜେତାକୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏହାବ୍ୟତୀତ ପ୍ରତ୍ୟେକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ୧୦୦୦ ଟଙ୍କା, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ୨୦୦୦ ଟଙ୍କା, ଶ୍ରେଷ୍ଠ ବୋଲର ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ୍‌ ପକ୍ଷରୁ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ବିଭୂ ଶତପଥୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରାମର୍ଶଦାତା ଆରତ ରଂଜନ ବିଶ୍ୱାଳ, ଉପ ସଭାପତି ବୀରବର ନାୟକ, କାର୍ଯ୍ୟନିର୍ବାହୀ ସଦସ୍ୟ ସତ୍ୟବ୍ରତ ମହାପାତ୍ର, ଅନୀଲ ମହାନ୍ତି, କୋଷାଧ୍ୟକ୍ଷ ଲଳିତେନ୍ଦୁ ଶତପଥୀ, ଯୁଗ୍ମ ସମ୍ପାଦକ ନବକିଶୋର ସ୍ୱାଇଁ, ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର