କଟକ ପ୍ରିମିୟର ଲିଗ୍‌:କ୍ୱାର୍ଟରରେ ରାଉରକେଲା ଜିମ୍‌ଖାନା, ୟୁନିଅନ୍‌ ସ୍ପୋର୍ଟିଂ

କଟକ: ଜଗତପୁର ନିମପୁର ପଡ଼ିଆରେ ଚାଲିଥିବା କଟକ ପ୍ରିମିୟର ଲିଗ୍‌ରେ ବୁଧବାର ରାଉରକେଲା ଜିମ୍‌ଖାନା ଓ ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ୟୁନିଅନ୍‌ ସ୍ପୋର୍ଟିଂ ୩୮ ରନ୍‌ରେ ଟ୍ରେଲ୍‌ ବ୍ଲେଜର୍ସ କ୍ଲବ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ୟୁନିଅନ୍‌ ସ୍ପୋର୍ଟିଂ ବ୍ୟାଟିଂ କରଥିଲା। ଓମ୍‌ବିକାଶ ନାୟକ ୩୫, ନିରଂଜନ ବେହେରା ୩୦, ମହମ୍ମଦ ଆକ୍ରମ ୪୨ ରନ୍‌ ସହାୟତାରେ ୨୦ ଓଭରରେ ଦଳ ୮ ଓ୍ଵିକେଟ ବିନିମୟରେ ୧୩୫ ରନ୍‌ ସଂଗ୍ରହ କରିଥିଲା। ଟ୍ରେଲ୍‌ ବ୍ଲେଜର୍ସ ପକ୍ଷରୁ ଆସିସ୍‌ ପ୍ରଧାନ, ପିୟୁଷ ପଟ୍ଟନାୟକ ଓ କ୍ଷମାସାଗର ବଳ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ୧୩୬ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଟ୍ରେଲ୍‌ ବ୍ଲେଜର୍ସ ୨୦ ଓଭରରେ ୯ ଓ୍ଵିକେଟ କ୍ଷତିରେ ୯୭ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳର ନିରଂଜନ ବେହେରା, ସୌରଭ କାନୋଜିଆ ଓ ମହମ୍ମଦ ଆକ୍ରମ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ।

ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଆକ୍ରମଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଜଗତପୁର ଥାନା ଅଧିକାରୀ ବିରଞ୍ଚିନାରାୟଣ ପତି ପୁରସ୍କାର ପ୍ରଦାନ କରିଥିଲେ।
ଦ୍ୱିତୀୟ ମ୍ୟାଚରେ ରାଉରକେଲା ଜିମ୍‌ଖାନା ୫ ଓ୍ଵିକେଟରେ ପାରାମାଉଣ୍ଟ ସ୍ପୋର୍ଟିଂକୁ ପରାସ୍ତ କରିଛି। ଟସ୍‌ ଜିତି ପାରାମାଉଣ୍ଟ ୧୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୦ ରନ୍‌ ସଂଗ୍ରହ କରିଥିଲା। ସୌମ୍ୟରଂଜନ ବିଶ୍ୱାଳ ୩୦, ସୌରଭ ଗୌଡ଼ ୨୭, ଆୟୁଷରାଜ ଚୌଧୁରୀ ୧୨, ରଜନିଶ ଯାଦବ ୧୨ ରନ୍‌ ସଂଗ୍ରହ କରିଥିଲାବେଳେ ରାଉରକେଲା ପକ୍ଷରୁ ପ୍ରୀତମ ଜେନା ୩, ମହମ୍ମଦ ଆକ୍ରମ ୨, ରାହୁଲ ଚୌଧୁରୀ, କୌଶିକ ଦାସ ଓ ଗୋବିନ୍ଦ ତଣ୍ଡିକା ଗୋଟିଏ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ। ୧୧୧ ରନ୍‌ର ଲକ୍ଷ୍ୟକୁ ପିଛା କରି ରାଉରକେଲା ୫ ଓ୍ଵିକେଟ ବିନିମୟରେ ୧୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା। ସ୍ୱସ୍ତିକ ସାମଲ ୪୬, ଅମିତ ଭୋଇ ୨୧, ପ୍ରୀତମ ଜେନା ୨୪ ରନ୍‌ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ପାରାମାଉଣ୍ଟ ପକ୍ଷରୁ କାର୍ତ୍ତିକ ବିଶ୍ୱାଳ ୩, ଅମିତାଭ ରାଉତ ୧, ଆୟୁଷରାଜ ଚୌଧୁରୀ ୧ ଓ୍ଵିକେଟ ଅକ୍ତିଆର କରିଥିଲେ। ବିଜୟୀ ଦଳର ପ୍ରୀତମ୍‌ ଜେନାଙ୍କୁ ଆଲ୍ଲାହାବାଦ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ବିକ୍ରମ ସାହୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର