ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ ପରେ ବ୍ୟାଡମିଣ୍ଟନ ମିକ୍ସ ଟିମ୍‌ର ସଫଳତା, ଭାରତକୁ ଆସିଲା ୧୦ଟି ସ୍ୱର୍ଣ୍ଣ

ଗୋଲଡ୍‌କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ୧୦ଟି ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ପଞ୍ଚମ ଦିନରେ ଭାରତୀୟ ବ୍ୟାଡମିଣ୍ଟନ ମିକ୍ସ ଟିମ୍‌ ୩-୧ରେ ମାଲେସିଆକୁ ପରାସ୍ତ କରିଛି। ଭାରତର ସାତ୍ୱିକ ରେଙ୍କିରେଡ୍ଡି ଓ ଅଶ୍ୱିନୀ ପୋନପ୍ପା ଯୋଡ଼ି ଏହି ପଦକ ଜିତିଛନ୍ତି। ସିଙ୍ଗିଲରେ କିଦାମ୍ବୀ ଶ୍ରୀକାନ୍ତ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ସେହିଭଳି ଅନ୍ୟ ଏକ ପ୍ରତିଯୋଗିତାରେ ସାଇନା ନେହଓ୍ଵାଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି।

ଏହା ପୂର୍ବରୁ ଟେବୁଲ ଟେନିସର ପୁରୁଷ ଟିମ ନାଇଜେରିଆକୁ ୩-୦ରେ ପରାସ୍ତ କରିଥିଲା। ଭାରତୀୟ ମହିଳା ଟେବୁଲ ଟେନିସ ଟିମ ମଧ୍ୟ ରବିବାର ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଖେଳ ମହାକୁମ୍ଭର ପଞ୍ଚମ ଦିନରେ ପୁରୁଷ ବର୍ଗରେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଜିତୁ ରାୟ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ଏହି ପ୍ରତିଯୋଗିତାରେ ଭାରତର ଓମ ମିଥରଓ୍ଵାଲ କାଂସ୍ୟ ପଦକ ଜିତିଥିଲେ। ଫାଇନାଲ ମୁକାବିଲାରେ ଜିତୁ ୨୩୫.୧ ଅଙ୍କ ହାସଲ କରିଥିଲେ। ସେହିଭଳି ମିଥରଓ୍ଵାଲଙ୍କୁ ୨୧୪.୩ ପଏଣ୍ଟ ମିଳିଥିଲା। ଅଷ୍ଟ୍ରେଲିଆର କ୍ୟାରି ବେଲଙ୍କୁ ରୌପ୍ୟ ପଦକ ମିଳିଥିଲା।

ମହିଳାଙ୍କ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ମେହୁଲି ଘୋଷଙ୍କୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଅପୂର୍ବୀ ଚନ୍ଦେଲାକୁ କାଂସ୍ୟ ପଦକ ମିଳିଛି। ଅପୂର୍ବୀ ଫାଇନାଲରେ ୨୨୫.୩ ସ୍କୋର କରିଥିଲେ। ସ୍ୱର୍ଣ୍ଣ ପଦକ ପାଇଁ ମେହୁଲି ଘୋଷ ଓ ସିଙ୍ଗାପୁରର ସୁଟର ମାର୍ଟିନା ଲିଣ୍ଡସେଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ୫ମ ଦିନରେ ସର୍ବପ୍ରଥମେ େଓ୍ଵଟଲିଫ୍ଟିଙ୍ଗରେ ପ୍ରଦୀପ ସିଂହ ପୁରୁଷ ବର୍ଗରେ ୧୦୫ କିଲୋ ଭାରବର୍ଗରେ ରୌପ୍ୟ ପଦକ ଜିତିଥିଲେ। ପ୍ରଦୀପ ସମୁଦାୟ ୩୫୨ କିଲୋଗ୍ରାମ ଓଜନ ଉଠାଇଥିଲେ।

ସମ୍ବନ୍ଧିତ ଖବର