ମନିକାଙ୍କୁ ହରାଇବା ଲକ୍ଷ୍ୟରେ କ୍ୟାରି, ‘ଗରମ ପରିବେଶ ଯୋଗୁଁ ଶୀଘ୍ର କ୍ଲାନ୍ତ ହୋଇଯାଉଛୁ’

କଟକ: ଆନ୍ତର୍ଜାତିକ ଇଭେଣ୍ଟରେ ତାରକା ଖେଳାଳିଙ୍କ ସହିତ ଗ୍ଲାମର ଚେହେରା ଆକର୍ଷଣର କେନ୍ଦ୍ର ପାଲଟିଥାଏ। ସେଭଳି ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି େଵଲ୍ସର ୧ ନମ୍ବର ମାନ୍ୟତାପ୍ରାପ୍ତ ମହିଳା ଖେଳାଳି ଚାରଲୋଟ୍‌ କ୍ୟାରି। ପ୍ରଥମ ଦିନରେ ସ୍କଟଲାଣ୍ତକୁ ହରାଇ ଦଳ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଦ୍ବିତୀୟ ଦିନ ଭଲ ଯାଇନଥିଲା। କିନ୍ତୁ କ୍ୟାରି ନିଜ ଦେଶକୁ ସେମି ଫାଇନାଲ୍‌ରେ ପହଞ୍ଚାଇବା ପାଇଁ ଏକତରଫା ଉଦ୍ୟମ କରିଥିଲେ ସୁଦ୍ଧା ଅନ୍ୟମାନଙ୍କ ସହଯୋଗ ନମିଳିବାରୁ ଦଳକୁ ନିରାଶ ହେବାକୁ ପଡିଥିଲା। ଏଥିପାଇଁ ସେ ଏଠାକାର ପାଣିପାଗକୁ ଦାୟୀ କରିଛନ୍ତି। ଏଠାରେ ଅତ୍ୟଧିକ ଗରମ ହେଉଥିବାରୁ ଆମେ ଶୀଘ୍ର କ୍ଲାନ୍ତ ହୋଇଯାଉଛୁ। ଶରୀର ଉପରେ ଏହି ପରିବେଶ ପ୍ରଭାବ ପକାଉଛି। ତଥାପି ଗୋଟିଏ ଦିନ ବିଶ୍ରାମ କରିବା ପରେ ସବୁ ଠିକ୍‌ ହୋଇଯିବ ବୋଲି ବିଶ୍ବର ଏହି ୧୪୬ତମ ମାନ୍ୟତାପ୍ରାପ୍ତ ଖେଳାଳି ଆଶା କରିଛନ୍ତି।

କ୍ୟାରି ଗତବର୍ଷ ଲଗାତର ପଞ୍ଚମ ଥର ପାଇଁ େଵଲ୍ସର ଜାତୀୟ ବିଜେତା ହୋଇ କୀର୍ତ୍ତିମାନ କରିଛନ୍ତି। ତେଣୁ ବ୍ୟକ୍ତିଗତ ଇଭେଣ୍ଟରେ ତାଙ୍କ ଉପରେ ଦଳର ଅଧିକ ଆଶା ରହିଛି। କିନ୍ତୁ ଭାରତୀୟ ଖେଳାଳିମାନେ ତାଙ୍କ ପାଇଁ ପ୍ରତିବନ୍ଧକ ହେବେ ବୋଲି ସ୍ବୀକାର କରିଛନ୍ତି। ପ୍ରତିଯୋଗିତାରେ ଭାରତ ସବୁଠୁ ଦାବିଦାର ଦଳ ରହିଛି। ଲଗାତର ଭାବେ ଭାରତୀୟ ଖେଳାଳିମାନେ ମ୍ୟାଚ୍‌ ଜିତି ଆସୁଛନ୍ତି। ଏପରିକି ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମଧ୍ୟ ରହୁଛି। ତେଣୁ ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିବା ଏତେ ସହଜ ହେବନି। ବିଶେଷ କରି ମୋନିକା ବାତ୍ରାକୁ ହରାଇବାକୁ ଲକ୍ଷ୍ୟ ରଖିଥିବା କ୍ୟାରି କହିଛନ୍ତି। ପିଲାଦିନରୁ ସ୍କୁଲ୍‌ରେ ପଢିବା ବେଳେ କ୍ୟାରି ରଗ୍‌ବି ଖେଳିବାକୁ ଭଲ ପାଉଥିଲେ। ବାପା ମଧ୍ୟ ଜଣେ ରଗ୍‌ବି ଖେଳାଳି ହୋଇଥିବାରୁ ସେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ। କିନ୍ତୁ ଜେଜେ ଟେବୁଲ ଟେନିସ୍‌ ଖେଳୁଥିବା ସେ ଦେଖିଲେ। ବାହାରେ ଦୌଡ଼ିବା ଅପେକ୍ଷା ହଲ୍‌ ଭିତରେ ଟେବୁଲ ଟେନିସ୍‌ ଖେଳିବା ସହଜ ହେବ ଭାବି ଧିରେଧିରେ ଏହି ଇଣ୍ତୋର ଖେଳ ପ୍ରତି ସେ ମନ ବଳାଇଥିଲେ। ସେବେଠାରୁ କଠିନ ପରିଶ୍ରମ କରି ଆଜି ଦେଶର ୧ ନମ୍ବର ଖେଳାଳି ହୋଇପାରିଛନ୍ତି। କ୍ୟାରି ପ୍ରଥମ େଵଲ୍ସ ମହିଳା ଖେଳାଳି ଭାବେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଗତବର୍ଷ ଜୁଲାଇରେ ବିଶ୍ବ ଟେବୁଲ ଟେନିସ୍‌ ମାନ୍ୟତାର ୯୮ତମ ସ୍ଥାନରେ ରହିଥିଲେ। ଆଗକୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପାଇବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର