ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ଶୁଭାରମ୍ଭ କଲେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା

‘ସମ୍ବାଦ’ ପକ୍ଷରୁ ଆୟୋଜନ, ତାରକା ଖେଳାଳି ଓ ସେଲିବ୍ରିଟି ବି ସାମିଲ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଦୁନିଆରେ ରବିବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଓଡ଼ିଶାର ଲୋକପ୍ରିୟ ତଥା ସର୍ବାଧିକ ପ୍ରାସାରିତ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ପ୍ରଥମ ଥର ପାଇଁ ରାଜଧାନୀବାସୀ ରାତ୍ରିକାଳୀନ ସାଇକ୍ଲୋଥନ୍‌ର ଅପୂର୍ବ ଅନୁଭବ ଦେଖିବାକୁ ପାଇଛନ୍ତି। ଜୟଦେବ ବିହାରସ୍ଥିତ ଜନତା ମଇଦାନ୍‌ର ପ୍ରବେଶ ପଥରୁ ରାତ୍ରି ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତା ରାଜଭବନ ନିକଟସ୍ଥ ପାଓ୍ଵାର ହାଉସ୍‌ରେ ପହଞ୍ଚି ସେଠାରୁ ପୁଣି ଥରେ ଜନତା ମଇଦାନକୁ ଫେରିଥିଲା। ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ନେଇ ଯୁବ ବର୍ଗ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌ ଏବଂ ସିନେ ସେଲିବ୍ରିଟି ମଧ୍ୟରେ ବହୁ ଉତ୍ସାହ ଦେଖାଯାଇଥିଲା।

ସାଇକ୍ଲୋଥନ୍‌ରେ ପୁଲିସ କମିସନର୍‌ ଓ୍ଵାଇ ବି ଖୁରାନିଆଙ୍କ ସମେତ ବହୁ ତାରକା ଖେଳାଳି ଓ ଓଲିଉଡ଼ ସେଲିବ୍ରିଟି ଯୋଗ ଦେଇଥିଲେ। ରାତିର ଅନ୍ଧାରକୁ ଭେଦକରି ରାଜଧାନୀର ରାଜରାସ୍ତାରେ ବନ୍ଧୁତ୍ୱର ସାଇକେଲ୍‌ ଗଡ଼ିଥିଲା। ଯୁବପିଢ଼ିଙ୍କୁ ଏକତ୍ର କରିବା, କର୍ମଜୀବୀମାନଙ୍କୁ ବିଶ୍ରାମ ପୂର୍ବରୁ ରାଜଧାନୀ ରାତ୍ରିକୁ ଭଲରେ ଉପଭୋଗ କରିବାର ଏକ ସୁନ୍ଦର ଅବସର ଆଣିଦେଇଥିଲା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ, ପୂର୍ବ ଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କ ପରେ ମହିଳା ଫୁଟବଲ୍‌ର ଅର୍ଜୁନ ପୁରସ୍କାର ବିଜୟିନୀ ବେମ୍‌ବେମ୍‌ ଦେବୀ ମଧ୍ୟ ଯୋଗ ଦେଇଥିଲେ।

ସେହିଭଳି କାର୍ଯ୍ୟକ୍ରମରେ ମହିଳା ଫୁଟବଲ୍‌ ଦଳର ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅନ୍ୟତମ ଆକର୍ଷଣ ଥିଲେ। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ମଧ୍ୟ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର