ଅନ୍ତଃରାଜ୍ୟ ଦାନିଏଲ୍‌ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣୀପାଲି ଚାମ୍ପିଅନ

ବୀରମହାରାଜପୁର: ଅନ୍ତଃରାଜ୍ୟ ଦାନିଏଲ୍‌ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟରେ ଶନିବାର ଆଦିବାସୀ କ୍ଲବ ଗେନ୍ଦ୍ରାମାଲକୁ ୨-୧ ଗୋଲ୍‌ରେ ପରାସ୍ତ କରି ଦକ୍ଷିଣିପାଲିର ଶାନ୍ତିପ୍ରକାଶ କ୍ଲବ ଚାମ୍ପିଅନ୍‌ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁରଧାପାଲିଠାରେ ଅନୁଷ୍ଠିତ ଦାନିଏଲ୍‌ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦକ୍ଷିଣିପାଲି କ୍ଲବର ବାର୍ନା ଲୁଗୁନ ମ୍ୟାଚର ୧୩ ମିନିଟ ଓ ସାମସନ୍‌ ଲୁଗୁନ ଦ୍ୱିତୀୟ ହାଫର ୧୧ ମିନିଟରେ ଗୋଲ ଦେଇଥିଲେ। ବିରୋଧୀ ଦଳ ପକ୍ଷରୁ ଏକମାତ୍ର ଗୋଲ ଦିଆଯାଇଥିଲା।

ଆୟୋଜକ କ୍ଲବର ସଭାପତି ଯୋଶେଫ ଲାକ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ବଲାଙ୍ଗୀରର ପୂର୍ବତନ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଏବଂ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବୀରମହରାଜପୁର ଜୋନ-୨ ଜିଲ୍ଲା ପରିଷଦ ଗାୟତ୍ରୀ ପାଣିଗ୍ରାହୀ ଅତିଥି ଥିଲେ। ମୁଖ୍ୟ ଅତିଥି ଶ୍ରୀମତି ସିଂହଦେଓ ଅମିତ୍‌ ଲାକ୍ରାଙ୍କୁ ମ୍ୟାନ୍‌ ଅଫ୍‌ ଦ ସିରିଜ ଓ ସାମସନ୍‌ ଲୁଗୁନଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦେଇଥିଲେ। ସେହିପରି ସୁନିଲ ମିଞ୍ଜଙ୍କୁ ଶ୍ରେଷ୍ଠ ଗୋଲରକ୍ଷକ, ରୋସନ୍‌ ବିଲୁଙ୍ଗୁଙ୍କୁ ଶ୍ରେଷ୍ଠ ଗୋଲ ସ୍କୋରର ଭାବେ ପୁରସ୍କୃତ କରାଯାଇଥିଲା।

ଫାଇନାଲ୍‌ ମ୍ୟାଚରେ ସୁରେଶ ମିଞ୍ଜ ଓ ଚୋନସ ଲାକ୍ରା ରେଫରୀ ଏବଂ ତେଲେଙ୍ଗାନା ମିଞ୍ଜ, ରଂଜନ ମିଞ୍ଜ ଏବଂ ଅନିଲ ଲାକ୍ରା ଲାଇନ୍‌ ମ୍ୟାନ ଥିଲେ। ପଂଚମ ଥର ପାଇଁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ସୁବର୍ଣ୍ଣପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ର ୧୬ ଟିମ୍‌ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର