କପିଳଙ୍କ କୀର୍ତିକୁ ଟପିଲେ ଷ୍ଟେନ୍‌

ଡର୍ବାନ୍‌: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୪ ୱିକେଟ୍‌ ଅକ୍ତିଆର କରି ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ କପିଳ ଦେବଙ୍କ ଦୀର୍ଘ ବର୍ଷର କୀର୍ତିମାନକୁ ଟପି ଯାଇଛନ୍ତି। ୧୯୯୪ ମସିହାରେ କପିଳ ଦେବ ୪୩୪ ୱିକେଟ୍‌ ଦଖଲ କରିବା ବେଳେ ଟେଷ୍ଟ୍‌ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲରର କୀର୍ତିମାନ ପାଇଥିଲେ। ଅବଶ୍ୟ ଏହାପରେ ୮ ଜଣ ବୋଲର ଇତି ମଧ୍ୟରେ କପିଳଙ୍କ ସେହି କୀର୍ତିମାନକୁ କାଟି ସାରିଛନ୍ତି। ତେବେ ଶ୍ରୀଲଙ୍କା ବିପକ୍ଷରେ ୪ ୱିକେଟ୍‌ ନେଇ ଷ୍ଟେନ୍‌ ଏବେ କପିଳଙ୍କ ୪୩୪ ୱିକେଟ୍‌କୁ ଟପି ଯାଇଛନ୍ତି। ଟେ‌ଷ୍ଟ୍‌ରେ ଷ୍ଟେନ୍‌ଙ୍କ ୱିକେଟ୍‌ ସଂଖ୍ୟା ଏବେ ୪୩୭ରେ ପହଞ୍ଚିଛି। କପିଳ ଦେବ ୧୩୧ ମ୍ୟାଚ୍‌ରେ କୀର୍ତିମାନ ପାଇଥିଲା ବେଳେ ଷ୍ଟେନ୍‌ ୯୨ ମ୍ୟାଚ୍‌ରେ ଏହାକୁ ଟପି ଯାଇଛନ୍ତି। ଏକ୍ଷେତ୍ରରେ ମଧ୍ୟ ଷ୍ଟେନ୍‌ ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ସପ୍ତମ ବୋଲର ତଥା ଚତୁର୍ଥ ଦ୍ରୁତ ବୋଲର ହୋଇଛନ୍ତି। ଷ୍ଟେନ୍‌ ଏବେ ସର୍ବକାଳୀନ ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ଦଖଲକାରୀ ବୋଲରଙ୍କ ତାଲିକାରେ ସିଂହଳୀ ସ୍ପିନର ମୁଥେୟା ମୁରଲୀଧରନ୍‌ (୮୦୦), ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱର୍ନ (୭୦୮), ଭାରତୀୟ ସ୍ପିନର ଅନିଲ କୁମ୍ବଲେ (୬୧୯), ଇଂଲଣ୍ଡ୍‌ ଦ୍ରୁତ ବୋଲର ‌ଜିମି ଆଣ୍ଡରସନ୍‌ (୫୭୫), ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା (୫୬୩) ଓ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର କୋର୍ଟନି ୱାଲ୍‌ସ (୫୧୯)ଙ୍କ ପଛକୁ ରହିଛନ୍ତି। ଷ୍ଟେନ୍‌ (୪୩୭) ମଧ୍ୟ ଇଂଲଣ୍ଡ୍‌ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ (୧୨୬ ମ୍ୟାଚ୍‌, ୪୩୭ ୱିକେଟ୍‌)ଙ୍କ ସମକକ୍ଷ ହୋଇଛନ୍ତି।

ସମ୍ବନ୍ଧିତ ଖବର