ଉଜୁଡ଼ିଗଲା ଉଡାନ୍‌ ବ୍ୟାଡ୍‌ମିଣ୍ଟନ୍ ଏକାଡେମି

ଭୁବନେଶ୍ବର: ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ପାଇଁ ଅନେକ ପ୍ରତିଶ୍ରୁତି ତଥା ସମ୍ଭାବନା ଭବିଷ୍ୟତ ଦେଖାଇଥିବା ପଟିଆର ଉଡାନ୍ ବ୍ୟାଡ୍‌ମିଣ୍ଟନ୍ ଏକାଡେମି ସାମୁଦ୍ରିକ ଝଡ଼ ଫନିରେ ପ୍ରଭାବରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିଯାଇଛି। କିଟ୍ ଛକ ବିଗବଜାର ପଛପଟେ ପ୍ରତିଷ୍ଠା ହେବାର ମାତ୍ର ୪ ମାସ ଭିତରେ ହିଁ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମୀ ବିପର୍ଯ୍ୟସ୍ତ ହୋଇଯାଇଛି। ମେ’ ୩ ତାରିଖର ପ୍ରଳୟଙ୍କରୀ ଫନି ଉଡାନ୍ ଏକାଡେମିର ମୁଖମଣ୍ଡଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ଛିନ୍‌ଛତ୍ର କରିଥିବା ବେଳେ ଇନ୍‌ଡୋର୍ ହଲ, ହଷ୍ଟେଲ୍ ରୁମ୍‌ର ଛାତ ଉଡ଼ିଯାଇଛି। ୪ ସିନ୍ଥେଟିକ୍ କୋର୍ଟ, କ୍ୟାଣ୍ଟିନ୍ ଏବଂ ଜିମ୍ନାସିୟମ୍‌ ଗୃହ, ପରିସର ଓ ଏହାର ସଂରଞ୍ଜାମ ମଧ୍ୟ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହି ଏକାଡେମିର ପ୍ରାୟ ୭୦ ଭାଗ କ୍ଷତିଗ୍ରସ୍ତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧.୩‌ କୋଟି ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି ପ୍ରତିଷ୍ଠାତା ଅଧ୍ୟକ୍ଷ ସଂଜୟ ମହାନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ଉଦୀୟମାନ ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ପାଇଁ ଆଶା ସଞ୍ଚାର କରିଥିବା ଏହି ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ କେସି ମେମୋରିଆଲ୍‌ ଟ୍ରଷ୍ଟ୍ ଅଧ୍ୟକ୍ଷ ଅଶୋକ ମିଶ୍ର ଏବଂ ଉଡାନ୍ ବ୍ୟାଡମିଣ୍ଟନ୍ ଏକାଡେମିର ଅଧ୍ୟକ୍ଷ ସଂଜୟ ମହାନ୍ତିଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାର ମାନସପୁତ୍ର ଥିଲା। ଘରୋଇ ଅନୁଷ୍ଠାନ ଥିବାରୁ ଏବେ କିନ୍ତୁ ଏହି କ୍ରୀଡ଼ା ଭିତ୍ତିଭୂମିର ମୂଳଦୁଆ ଦୋହଲିଯାଇଛି।

ସମ୍ବନ୍ଧିତ ଖବର