ଦଶମ ଦିନ: ୮ ସ୍ୱର୍ଣ୍ଣ ସହ ୧୭ ପଦକ

ଭାରତକୁ ୨୫ ସ୍ୱର୍ଣ୍ଣ ସହ ୫୯ ପଦକ

ଗୋଲ୍‌ଡକୋଷ୍ଟ୍‍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଶନିବାର ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଅମଳ କରିଛି। ରବିବାର ଉଦ୍‌ଯାପିତ ହେବାକୁ ଯାଉଥିବା ଏହି ଦୁଇ ସପ୍ତାହ ବିଶିଷ୍ଟ ପ୍ରତିଯୋଗିତାର ନିର୍ଣ୍ଣାୟକ ଦଶମ ଦିବସରେ ଭାରତ ମୋଟ ୮ ସ୍ୱର୍ଣ୍ଣ ପଦକ ସହ ଗୋଟିଏ ଦିନରେ ୧୭ ପଦକ ଜିତିନେଇଛି। ଫଳରେ ଶନିବାର ଭାରତ ପାଇଁ ଗୋଲ୍‌ଡ କୋଷ୍ଟରେ ଶ୍ରେଷ୍ଠ ଦିନ ପ୍ରମାଣିତ ହୋଇଛି। ଶନିବାର ମୁଷ୍ଟିଯୁଦ୍ଧରୁ ସର୍ବାଧିକ ୩, କୁସ୍ତିରୁ ୨, ଟେବୁଲ ଟେନିସ୍‌, ଦୌଡ଼କୁଦ, ବଂଧୁକଚାଳନାରୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ମିଳିଥିଲା। ସୂଚନାଯୋଗ୍ୟ, ଭାରତ ୪ ବର୍ଷ ତଳେ ୨୦୧୪ରେ ଗ୍ଲାସ୍‌ଗୋରେ ୧୫ ସ୍ୱର୍ଣ୍ଣ ସହ ୬୪ ପଦକ ଜିତିଥିଲା। ଭାରତ ଗ୍ଲାସ୍‌ଗୋରେ ଅମଳ କରିଥିବା ସ୍ୱର୍ଣ୍ଣ ସଂଖ୍ୟାକୁ ଟପି ସାରିଥିଲା ବେଳେ ଏବେ ମୋଟ ପଦକ ସଂଖ୍ୟାକୁ ଟପିବା ସମ୍ଭାବନା ରହିଛି। ୨୦୧୦ରେ ନୂଆଦିଲ୍ଲୀରେ ଆୟୋଜକ ଭାରତ ୩୮ ସ୍ୱର୍ଣ୍ଣ ସହ ମୋଟ ୧୦୧ ପଦକ ଜିତି ଅଷ୍ଟ୍ରେଲିଆ ତଳକୁ ଦ୍ୱିତୀୟରେ ରହିଥିଲା।

ମୁଷ୍ଟିଯୁଦ୍ଧରୁ ୩ ସ୍ୱର୍ଣ୍ଣ, ମେରିକମ୍‌ଙ୍କୁ ପ୍ରଥମ ଥର
ଶନିବାର ଭାରତ ମୁଷ୍ଟିଯୁଦ୍ଧରୁ ୩ ସ୍ୱର୍ଣ୍ଣ ପଦକ ଜିତିଥିଲା। କିନ୍ତୁ କିମ୍ବଦନ୍ତୀ ମହିଳା ମୁଷ୍ଟିଯୋଦ୍ଧା ମେରି କମ୍‌ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ପାଇଥିଲେ। ରାଜ୍ୟଗୋଷ୍ଠୀ ପଦାର୍ପଣ କରିଥିବା ମଣିପୁରୀ ମହିଳା ମେରିକମ୍‌ ୪୫-୪୮ କିଲୋଗ୍ରାମ୍‌ର ଫାଇନାଲ୍‌ରେ ନର୍ଦର୍ନ ଆୟର୍ଲାଣ୍ଡ୍‌ର କ୍ରିଷ୍ଟିନା ଓ’ହାରାଙ୍କୁ ୫-୦ ବ୍ୟବଧାନରେ ପରାସ୍ତ କରିଥିଲେ। ୫ ଥର ବିଶ୍ୱ ବିଜୟିନୀ ମେରିକମ୍‌ ଫାଇନାଲ୍‌ ମୁକାବିଲାକୁ ୩୦-୨୭, ୩୦-୨୭, ୨୯-୨୮, ୩୦-୨୭, ୨୦-୨୭ରେ ଜିତି ନିର୍ବିବାଦରେ ବିଜୟିନୀ ହୋଇଥିଲେ। ଗତ ନଭେମ୍ବରରେ ମେରିକମ୍‌ ନିଜର ପଞ୍ଚମ ଏସୀୟ ପ୍ରତିଯୋଗିତା ସ୍ୱର୍ଣ୍ଣ ଜିତିଥିଲେ। ୩ ସନ୍ତାନର ଜନନୀ ହେବା ପରେ ଏହି ଅଲିମ୍ପିକ ପଦକ ବିଜୟିନୀଙ୍କ ଖେଳ ଜୀବନ ଏବେ ମଧ୍ୟ ଉପରମୁହାଁ ରହିଛି। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ ମେରି କମ୍‌ କାଂସ୍ୟ ପଦକ ଜିତିଥିଲେ। ଶନିବାର ଭାରତ ପାଇଁ ମୁଷ୍ଟିଯୁଦ୍ଧରୁ ଅନ୍ୟ ଦୁଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ଗୌରବ ସୋଲାଙ୍କୀ ଓ ବିକାଶ କୃଷ୍ଣ। ଗୌରବ ୫୨ କିଲୋଗ୍ରାମ ଫାଇନାଲ୍‌ରେ ନର୍ଦର୍ନ ଆୟର୍ଲାଣ୍ଡର୍‌ ବ୍ରେଣ୍ଡନ୍‌ ଇର୍ଭିନଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ସେ ଘାନା, ପପୁଆ ନ୍ୟୁ ଗିନି ଏବଂ ଶ୍ରୀଲଙ୍କା ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ବିକାଶ କୃଷ୍ଣ ୭୫ କିଲୋଗ୍ରାମ ବର୍ଗ ଫାଇନାଲ୍‌ରେ କାମେରୁନର ଡିୟୁଡ୍ରନ୍‌ ଓ୍ଵିଲଫ୍ରାଏଡ୍‌ ଏସ୍‌ ଏନ୍‌ସେଙ୍ଗୁଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ସେ ଅଷ୍ଟ୍ରେଲିଆ, ଜାମ୍ବିଆ, ନର୍ଦର୍ନ ଆୟର୍ଲାଣ୍ଡ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଫାଇନାଲ୍‌ ପହଞ୍ଚିଥିଲେ। ଶନିବାର ମୁଷ୍ଟିଯୁଦ୍ଧରୁ ଭାରତ ପାଇଁ ଅନ୍ୟ ଦୁଇଟି ରୌପ୍ୟ ପଦକ ଜିତିଥିଲେ ଅମିତ ପଙ୍ଗଲ (୪୯ କିଲୋଗ୍ରାମ) ଏବଂ ମନୀଷ କୌଶିକ (୬୦ କିଲୋଗ୍ରାମ)। ୨୨ ବର୍ଷୀୟ ଅମିତ୍‌ ମଧ୍ୟ ପଦାର୍ପଣରେ ଏହି ସଫଳତା ପାଇଛନ୍ତି। ସଂଧ୍ୟାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ସତୀଶ କୁମାର। ୯୧ କିଲୋଗ୍ରାମ ବର୍ଗ ଫାଇନାଲ୍‌ରେ ସେ ଇଂଲଣ୍ଡର ଫ୍ରେଜର୍‌ କ୍ଲାର୍କଙ୍କଠାରୁ ହାରିଯାଇଥିଲେ। ମୁଷ୍ଟିଯୁଦ୍ଧରୁ ଭାରତକୁ ଶନିବାର ସର୍ବାଧିକ ୬ ପଦକ ମିଳିଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏଥର ଉଦୀୟମାନ ଟେବୁଲ୍‌ ଟେନିସ୍‌ ଖେଳାଳି ମୋନିକା ବାତ୍ରାଙ୍କ ପାଇଁ ସ୍ମରଣୀୟ ରହିବ। ବ୍ୟକ୍ତିଗତ ଭାବେ ସେ ତୃତୀୟ ପଦକ ଜିତିଛନ୍ତି ଶନିବାର। ଦଳଗତ ସ୍ୱର୍ଣ୍ଣ ପରେ ମହିଳା ଯୁଗଳରେ ରୌପ୍ୟ ପଦକ ଜିତିଥିଲେ। ଶନିବାର କିନ୍ତୁ ମହିଳା ଏକକରେ ସେ ଫାଇନାଲ୍‌ରେ ସିଙ୍ଗାପୁରର ୟୁ ମେଙ୍ଗୁଙ୍କୁ ୪-୦ରେ ଏକତରଫା ଭାବେ ପରାସ୍ତ କରି ବ୍ୟକ୍ତିଗତ ଭାବେ ଏଠାରୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ କବ୍‌ଜା କରି ନେଇଥିଲେ। ପ୍ରଥମ ଭାରତୀୟ ଭାବେ ମଧ୍ୟ ସେ ଟେବୁଲ୍‌ ଟେନିସ୍‌ରୁ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଯୁଗଳରୁ ମଧ୍ୟ ଭାରତ ରୌପ୍ୟ ଓ କାଂସ୍ୟ ଜିତି ନେଇଛି। ଅଚନ୍ତା ଶରତ ଏବଂ ସାଥିଆଁ ଜ୍ଞାନଶେକରନ୍‌ ୨-୩ରେ ଇଂଲଣ୍ଡ ଯୋଡ଼ି ପଲ୍‌-ଲିଆମଙ୍କଠାରୁ ହାରିଯାଇଥିଲେ। କିନ୍ତୁ କାଂସ୍ୟ ମୁକାବିଲାରେ ହରମିତ୍‌ ଦେଶାଇ-ସାନିଲ୍‌ ଶଙ୍କର ସେଟ୍ଟୀ ସିଙ୍ଗାପୁର ଯୋଡ଼ି କେନ୍‌ ପଙ୍ଗ-ସାଇ ଫେଙ୍ଗ୍‌ ଇଥାନ୍‌ ପୋଙ୍କୁ ୩-୦ ସେଟ୍‌ରେ ହରାଇ ଦେଇଥିଲେ। ପାଲିକଲ୍‌ ମହିଳା ଯୁଗଳରେ ଜ୍ୟୋତ୍ସ୍ନା ଚିନ୍ନାପାଙ୍କୁ ନେଇ ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ସ୍ୱର୍ଣ୍ଣ ବିଜୟ ସମ୍ଭାବନା ରଖିଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ମେରି କମ୍‌

ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆଉ ଗୋଟିଏ ଦିନ ପରେ (ରବିବାର) ଉଦ୍‌ଯାପିତ ହେବ। ଅଲିମ୍ପିକ୍ସ ପରେ ଏହି ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହରେ ବ୍ୟାଡ୍‌ମିଣ୍ଟନ ଲଳନା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ମାର୍ଚପାଷ୍ଟରେ ଭାରତୀୟ ପ୍ରତିଯୋଗୀଙ୍କ ନେତୃତ୍ୱ ନେଇଥିଲେ। ହେଲେ ଉଦ୍‌ଯାପନୀ ଉତ୍ସବରେ ୫ ଥର ବିଶ୍ୱ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌ ଏହି ଦାୟିତ୍ୱ ନେବେ। ଏଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣରେ ସ୍ୱର୍ଣ୍ଣିମ ସଫଳତା ହାତେଇଥିବା ୩୫ ବର୍ଷିୟା ମେରି କମ୍‌ ଉଦ୍‌ଯାପନୀ ସମାରୋହରେ ତ୍ରିରଙ୍ଗା ଧରି ଆଗେ ଆଗେ ଚାଲିବେ ବୋଲି ଜଣାପଡ଼ିଛି। ଏହାକୁ ନେଇ ମେରି କମ୍‌ ମଧ୍ୟ ନିଜକୁ ଗର୍ବିତ ବୋଲି କହିଛନ୍ତି। ପ୍ରଥମ ଥର ପାଇଁ ଏଭଳି ଏକ ପ୍ରତିଯୋଗିତାରେ ମୁଁ ଭାରତର ଜାତୀୟ ପତାକା ଧରିବି। ଏଥିପାଇଁ କେତେଦୂର ଦାବିଦାର ତାହା ଅବଶ୍ୟ ମୁଁ ଜାଣିନି। ହେଲେ ଏହାକୁ ନେଇ ମୁଁ ଖୁବ୍‌ ଗର୍ବ ଅନୁଭବ କରୁଛି ବୋଲି ମେରି କମ୍‌ କହିଛନ୍ତି। ଅନ୍ୟପକ୍ଷରେ ସେ ମଧ୍ୟ ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକ ତାଙ୍କ ନାମର ବନାନକୁ ଭୁଲ୍‌ ଭାବେ ଉଲ୍ଲେଖ କରୁଥିବାରୁ ମେରି କମ୍‌ ସଂଶୋଧନ କରିଛନ୍ତି। ତାଙ୍କ ନାମର ସଠିକ୍‌ ବନାନ Mary ଥିଲା ବେଳେ ଆୟୋଜକମାନେ Mery ବୋଲି ଭୁଲ୍‌ରେ ଉଚ୍ଚାରଣ କରୁଥିବା ମେରି କମ୍‌ କହିଛନ୍ତି। ତେବେ ତାଙ୍କ ପ୍ରକୃତ ନାମ Mary ହୋଇଥିଲେ ମଧ୍ୟ ପାସ୍‌ପୋର୍ଟରେ Mery ବନାନ ରହିଥିବାରୁ ଆୟୋଜକଙ୍କ ତାହାକୁ ଉଚ୍ଚାରଣ କରୁଛନ୍ତି ବୋଲି ସେ କହିଛନ୍ତି। ତଥାପି ଭାରତ ଫେରିବା ପରେ ଏହି ବନାନ ଶୁଦ୍ଧି କରିବି ବୋଲି ମେରି କମ୍‌ କହିଛନ୍ତି।

ଟେବୁଲ ଟେନିସ୍‌ରେ ଶନିବାର ମହିଳା ଏକକରେ ମନିକା ବାତ୍ରା ସ୍ୱର୍ଣ୍ଣ, ପୁରୁଷ ଯୁଗଳରେ ଅଚନ୍ତ ଶରତ କମଲ୍‌-ସାଥୀୟାନ୍‌ ଜ୍ଞାନଶେକରନ୍‌ ରୌପ୍ୟ ଏବଂ ହର୍ମିତ୍‌ ଦେଶାଇ-ସାନିଲ ସେଟ୍ଟୀ ପୁରୁଷ ଯୁଗଳରେ କାଂସ୍ୟ ପଦକ ଜିତିଥିଲା ବେଳେ ଭାରତ ଏହି ଖେଳରୁ ଆଉ ୨ ପଦକ ହାସଲ ଆଶା ରଖିଛି। ରବିବାର ମିଶ୍ରିତ ଯୁଗଳରେ ଶରତ କମଲ୍‌/ମୌମା ଦାସ ଏବଂ ପୁରୁଷ ଏକକରେ ଅଚନ୍ତ ଶରତ କମଲ୍‌୍‌ କାଂସ୍ୟ ମୁକାବିଲାକୁ ଓହ୍ଲାଇବାକୁ ଥିବାରୁ ଭାରତ ଅଧିକ ପଦକ ଆଶା ବାନ୍ଧିଛି।

ବଂଧୁକଚାଳନାରୁ ସ୍ୱର୍ଣ୍ଣ ପଦକ ଜିତିଥିଲେ ସଂଜୀବ ରାଜପୁତ। ଏହି ଖେଳରୁ ଭାରତ ପାଇଁ ଏହା ଥିଲା ସପ୍ତମ ସ୍ୱର୍ଣ୍ଣ। ୩୭ ବର୍ଷୀୟ ସଂଜୀବ ରାଜପୁତ ତୃତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ। ପୁରୁଷ ବିଭାଗ ୫୦ ମିଟର୍‌ ରାଇଫଲ୍‌ ୩ ପୋଜିସନ୍‌ରେ ୪୫୪.୪ ପଏଣ୍ଟ୍‌ ସହ ଏହି ଅର୍ଜୁନ ପୁରସ୍କାର ବିଜେତା ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲେ। ବେଲମଣ୍ଟ ସୁଟିଂ ରେଞ୍ଜ୍‌ରେ ଅନ୍ୟତମ ଭାରତୀୟ ଚୈନ ସିଂହ କିନ୍ତୁ ଚତୁର୍ଥରେ ରହି ଏହି ଇଭେଣ୍ଟ୍‌ରେ ପଦକରୁ ବଞ୍ଚିତ ରହିଥିଲେ। କାନାଡ଼ା ଓ ଇଂଲଣ୍ଡ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତି ନେଇଥିଲେ।

ଦୌଡ଼କୁଦରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା। ୮୬.୪୭ ମିଟର ଦୂରତ୍ୱକୁ ଜାଭଲିନ୍‌ ଫିଙ୍ଗି ନୀରଜ ଏହି ସଫଳତା ଅର୍ଜନ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇନଥିଲେ ମଧ୍ୟ ୮୮ ବର୍ଷର ଏହି କ୍ରୀଡ଼ା ଇତିହାସରେ ପ୍ରଥମ ଭାରତୀୟ ଭାବେ ଜାଭଲିନ୍‌ରୁ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। ଭୁବନେଶ୍ୱରରେ ଏସୀୟ ଦୌଡ଼କୁଦ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଡାଏମଣ୍ଡ ଲିଗ୍‌ରେ ମଧ୍ୟ ୩ ଥର ଅଂଶଗ୍ରହଣ କରିଛନ୍ତି।

କୁସ୍ତିରୁ ପୁଣି ୨ ସ୍ୱର୍ଣ୍ଣ

କୁସ୍ତି ଆଖଡ଼ାରେ ଭାରତର ଆଧିପତ୍ୟ ମଧ୍ୟ ପରିଲକ୍ଷିତ ହୋଇଛି। ଶନିବାର ଭାରତ ଏହି ଖେଳରୁ ୨ ସ୍ୱର୍ଣ୍ଣ ଏବଂ ୨ କାଂସ୍ୟ ପଦକ ଜିତି ନେଇଛି। ଭିନେଶ ଫୋଗତ ଏବଂ ସୁମିତ୍‌ ମଲ୍ଲିକ ଜିତିଥିଲେ ସ୍ୱର୍ଣ୍ଣ ପଦକ। ଗତଥରର ବିଜେତା ଭିନେଶ ମହିଳା ବିଭାଗ ୫୦ କିଲୋଗ୍ରାମ୍‌ ଫ୍ରିଷ୍ଟାଇଲ୍‌ ଫାଇନାଲ୍‌ରେ କାନାଡ଼ାର ଜେସିକା ମ୍ୟାକ୍‌ଡୋନାଲ୍‌ଡଙ୍କୁ ୧୩-୩ରେ ଧରାଶାୟୀ କରିଦେଇଥିଲେ। ପୂର୍ବରୁ ସେ ନାଇଜେରିଆ ଓ ଅଷ୍ଟ୍ରେଲିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ସେହିଭଳି ସୁମିତ୍‌ ୧୨୫ କିଲୋଗ୍ରାମ ଫି୍ରିଷ୍ଟାଇଲ୍‌ ଫାଇନାଲ୍‌ରେ ନାଇଜେରିଆର ସିନ୍‌ଭି ବୋଲ୍‌ଟିକ୍‌ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ବିଜେତା ହୋଇଥିଲେ। ଅଲିମ୍ପିକ୍‌ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ ୬୨ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ରେ କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ ମଧ୍ୟ ଭାରତ ପାଇଁ ଏହା ଥିଲା ୫୦ତମ ପଦକ। ତାଙ୍କ ଭିଣୋଇ ସୋମବୀର ୮୬ କିଲୋଗ୍ରାମ କାଂସ୍ୟ ମୁକାବିଲାରେ ମଧ୍ୟ କାନାଡ଼ାର ଆଲେକଜାଣ୍ଡର୍‌ ମୁରେଙ୍କୁ ୭-୩ରେ ହରାଇ ଦେଇଥିଲେ।

ବ୍ୟାଡ୍‌ମିଣ୍ଟନରୁ କାଂସ୍ୟ
ବ୍ୟାଡ୍‌ମିଣ୍ଟନରୁ ଶନିବାର ଏକମାତ୍ର ପଦକ ମିଳିଛି କାଂସ୍ୟ ପଦକ ରୂପରେ। ମହିଳା ଯୁଗଳରେ ଅଶ୍ୱିନୀ ପୋନ୍ନାପ୍ପା-ଏନ୍‌ ସିକ୍କି ରେଡ୍ଡୀ ଅଷ୍ଟ୍ରେଲିଆର ମପାସା ସିତ୍ୟାନା ଓ ସୋମରଭିଲେ ଗ୍ରନ୍ୟାଙ୍କୁ ୨-୦ ସେଟ୍‌ରେ ପରାସ୍ତ କରି କାଂସ୍ୟ ପଦକ ଜିତିଥିଲେ। ଏହି ଖେଳରୁ ଭାରତକୁ ଦ୍ୱିତୀୟ ପଦକ ମିଳିଛି। ପୂର୍ବରୁ ମିଶ୍ରିତ ଦଳଗତ ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଥିଲା।

ସ୍କ୍ଵାସ୍‌ରୁ ରୌପ୍ୟ
ଶନିବାର ସ୍କ୍ଵାସ୍‌ରୁ ଗୋଟିଏ ରୌପ୍ୟ ପଦକ ମିଳିଥିଲା ଭାରତକୁ। ମିଶ୍ରିତ ଯୁଗଳ ବର୍ଗରେ ଦୀପିକା କାର୍ତିକ ପାଲିକଲ୍‌ ଏବଂ ସୌରଭ ଘୋଷାଲ ଯୋଡ଼ି ଅଷ୍ଟ୍ରେଲିଆର ଡୋନା ଉକୁହାର୍ଟ ଏବଂ କାମେରନ୍‌ ପିଲେଙ୍କଠାରୁ ୦-୨ରେ ହାରିଯାଇଥିଲେ। ତେବେ ସ୍କ୍ଵାସ୍‌ରୁ ଏହା ଭାରତ ପାଇଁ ପ୍ରଥମ ପଦକ।

ସମ୍ବନ୍ଧିତ ଖବର