ଦିବାରାତ୍ର ଟେଷ୍ଟ୍‌ ପ୍ରସ୍ତାବରୁ ଓହରିଲା ଅଷ୍ଟ୍ରେଲିଆ

ସିଡ୍‌ନି: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ରାଜି ନହେବାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରସ୍ତାବିତ ଦିବାରାତ୍ର ଟେଷ୍ଟ ଆୟୋଜନରୁ ଓହରିଯିବାକୁ ବାଧ୍ୟ ହୋଇଛି। ସୋମବାର ଏନେଇ ବିସିସିଆଇ ପ୍ରତିପକ୍ଷ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ମଙ୍ଗଳବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ଓହରିଯିବା ନେଇ ଘୋଷଣା କରିଛି। ଫଳରେ ଡିସେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଡିଲେଡ୍‌ରେ ଗୋଲାପୀ ବଲ୍‌ ବଦଳରେ ଦିନ ବେଳା ହିଁ ଭାରତ ବିପକ୍ଷ ଟେଷ୍ଟ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ୨୦୧୫ରୁ ମୋଟ ୪ଟି ଦିବାରାତ୍ର ଟେଷ୍ଟ ଖେଳିସାରିଥିଲା ବେଳେ ସେଥିରୁ ଆଡିଲେଡ୍‌ରେ ଖେଳିଥିବା ସମସ୍ତ ୩ ଟେଷ୍ଟ ଜିତିଥିଲା।

ସେହି ଦୃଷ୍ଟିରୁ ଆଇସିସି ମାନ୍ୟତାର ଶୀର୍ଷ ଦଳ ଭାରତ ସହ ଏଠାରେ ଆଉ ଏକ ଦିବାରାତ୍ର ଟେଷ୍ଟ ଖେଳିବାକୁ ଚାହିଁଥିଲା। ହେଲେ ବିସିସିଆଇ ରୋକ୍‌ଠୋକ୍‌ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ଅଷ୍ଟ୍ରେଲିଆ ଓହରିବାକୁ ବାଧ୍ୟ ହୋଇଛି। ଭାରତ ଦିବାରାତ୍ର ଟେଷ୍ଟ ନଖେଳିବାର ନିଷ୍ପତ୍ତି ଆମେ ଜାଣିବା ପରେ ଓହରିବାକୁ ବାଧ୍ୟ ହେଲୁ ବୋଲି ମଙ୍ଗଳବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ମୁଖ୍ୟ ଜେମ୍‌ସ ସଦରଲାଣ୍ଡ୍‌ କହିଛନ୍ତି। ତେବେ ଭାରତ ଅରାଜି ହୋଇଥିଲେ ମଧ୍ୟ ଆସନ୍ତାବର୍ଷ ଜାନୁଆରିରେ ଆମେ ଶ୍ରୀଲଙ୍କା ସହ ବ୍ରିସ୍‌ବେନ୍‌ରେ ଦିବାରାତ୍ର ଟେଷ୍ଟ ଖେଳିବୁ ବୋଲି ସଦରଲାଣ୍ଡ୍‌ କହିଛନ୍ତି।

ସମ୍ବନ୍ଧିତ ଖବର