ଦିବାରାତ୍ର ଟେଷ୍ଟକୁ ଭାରତର ନା: ଅଷ୍ଟ୍ରେଲିଆ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଦିବାରାତ୍ର ଟେଷ୍ଟ ଏବେ ଖେଳିବା ସମ୍ଭବ ନୁହେଁ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଦେଇଛି। ଦିବାରାତ୍ର ଟେଷ୍ଟର ପୂରା ଆଧାର ଓ ଦର୍ଶନକୁ ନେଇ ସନ୍ତୁଷ୍ଟ ନଥିବା ବିସିସିଆଇ କ୍ରିକେଟ୍‌ ଅଷ୍ଟ୍ରେଲିଆଠୁ ଆସିଥିବା ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେବା ସାଙ୍ଗକୁ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଶୃଙ୍ଖଳାରେ ମଧ୍ୟ ଦିବାରାତ୍ର ଟେଷ୍ଟ ଖେଳିବା ଯୋଜନାରୁ ଓହରିଯାଇଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଆଡିଲେଡ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଦିବାରାତ୍ର ଖେଳିବାକୁ ମନା କରିଦେଇଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଡିଲେଡ୍‌ରେ ଭାରତ ସହ ଦିବାରାତ୍ର ଟେଷ୍ଟ ଖେଳି ଶୃଙ୍ଖଳା ଆରମ୍ଭ କରିବାକୁ ଯୋଜନା ରଖିଥିଲା ବେଳେ ବିସିସିଆଇ ଆଲୋକ ତଳେ ୫ ଦିନିଆ ମ୍ୟାଚ୍‌ ଖେଳିବାକୁ ରାଜି ହୋଇନାହିଁ। ଏଭଳି ଧାରଣାର ଭବିଷ୍ୟତ ବିସିସିଆଇ ଦେଖିପାରୁନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଇଛି। ୨୦୧୯ ବିଶ୍ୱ କପ୍‌ ପରେ ପ୍ରଚଳିତ ହେବାକୁ ଯାଉଥିବା ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ମଧ୍ୟ ୪ ଦିନିଆ ଟେଷ୍ଟ, ଗୋଲାପୀ ବଲ୍‌ କ୍ରିକେଟ୍‌ କିମ୍ବା ଦିବାରାତ୍ର ଟେଷ୍ଟକୁ ସାମିଲ କରିନାହିଁ। ତେଣୁ ଆଇସିସି ଯଦି ଦିବାରାତ୍ର ଟେଷ୍ଟକୁ ପୂରା ଅଗ୍ରାହ୍ୟ କରିଦେଉଛି, ତେବେ ଆମେ କାହିଁକି ଏହାକୁ ଗ୍ରହଣ କରିବୁ ବୋଲି ବିସିସିଆଇ କହିଛି। ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ବିସିସିଆଇ ମଧ୍ୟ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଚଳିତ ବର୍ଷର ଘରୋଇ ଶୃଙ୍ଖଳା ବେଳେ ଦିବାରାତ୍ର ଟେଷ୍ଟ କରିବାର ଯେଉଁ ନିଷ୍ପତ୍ତି ନେଇଥିଲା ସେଥିରୁ ମଧ୍ୟ ଓହରିଯାଇଛି। ଦିବାରାତ୍ର ଟେଷ୍ଟ ଖେଳିବା ସପକ୍ଷରେ ଏବେ ଆମେ ଆଦୌ ନାହୁଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଏହା ପୂର୍ବରୁ ବିସିସିଆଇର ଟୁର୍‌ସ ଓ ଫିକ୍ସଚରସ କମିଟି ରାଜକୋଟରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ଦିବାରାତ୍ର ଖେଳିବାକୁ ପ୍ରସ୍ତାବ ଦେଇଥିଲା। ଆଲୋକ ତଳେ ଗୋଲାପୀ ବଲ୍‌ରେ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ଖେଳାଳିମାନେ ହାସଲ କରିବା ପାଇଁ କମିଟି ଏଭଳି ଯୋଜନା କରିଥିଲା। ହେଲେ ବିସିସିଆଇ ଶୁକ୍ରବାର ଏହାକୁ ଗ୍ରହଣ କରିନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଟେଷ୍ଟ ହେଉ କିମ୍ବା େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ରାଜ୍‌କୋଟ ଟେଷ୍ଟ କୌଣସିଟି ବି ଆଲୋକ ତଳେ ଖେଳାଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ ଘୋଷଣା କରିଛି।

ସମ୍ବନ୍ଧିତ ଖବର