ଦେବାଶିଷଙ୍କ ତୃତୀୟ ରଣଜୀ ଶତକ, ଓଡ଼ିଶା ୪୩୬; ଝାଡ଼ଖଣ୍ତ ୭୧/୨

କଟକ: ଦେବାଶିଷ ସାମନ୍ତରାୟଙ୍କ ତୃତୀୟ ତଥା ଚଳିତ ଋତୁର ଦ୍ବିତୀୟ ଶତକ ସାଙ୍ଗକୁ ବିପ୍ଲବ ସାମନ୍ତରାୟଙ୍କ ଅର୍ଧଶତକୀୟ ପାଳି ସହାୟତାରେ ଝାଡ଼ଖଣ୍ତ ବିପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ୪୩୬ ରନ୍‌ ସ˚ଗ୍ରହ କରିଛି। ଏହି ପାଳିରେ ଭ୍ରମଣକାରୀ ଦଳର ଆଶିଷ କୁମାର ୭୯ ରନ୍‌ ବ୍ୟୟ କରି ୬ ଵିକେଟ୍‌ ଅକ୍ତିଆର କରିଥିଲେ। ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ତ ପ୍ରଥମ ପାଳିରେ ୨୪ ଓଭର ଖେଳି ୨ ଵିକେଟ୍ ବିନିମୟରେ ୭୧ ରନ୍‌ କରିଛି। କୁମାର ଦେଓବ୍ରତ ୧୬, ଅର୍ଣ୍ଣବ ସିହ୍ନା ୧ ରନ୍‌ କରି ଆଉଟ୍‌ ହୋଇଛନ୍ତି। କୁମାର ସୁରଜ ୪୨ ଓ ଉତ୍କର୍ଷ ସି˚ହ ୧୦ ରନ୍‌ରେ ଅପରାଜିତ ଅଛନ୍ତି। ଓଡ଼ିଶା ପାଇଁ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଏହି ଦୁଇ ଵିକେଟ୍‌ ନେଇଛନ୍ତି।

ଏହାପୂର୍ବରୁ ପ୍ରଥମ ଦିନର ଅସମାପ୍ତ ସ୍କୋର ୨୦୫/୪ରୁ ଓଡ଼ିଶା ଖେଳିଥିଲା। ଦୁଇ ଅପରାଜିତ ଖେଳାଳି ଦେବାଶିଷ ସାମନ୍ତରାୟ ଓ ବିପ୍ଲବ ସାମନ୍ତରାୟ ଆରମ୍ଭରୁ ରନ୍‌ ହାର ବଢାଇବାକୁ ପ୍ରୟାସ କରିଥିଲେ। ୧୦୨ ବଲ୍‌ରୁ ବିପ୍ଲବ ଚଳିତ ଋତୁର ଚତୁର୍ଥ ଅର୍ଧଶତକ ହାସଲ କରିଥିଲେ। ଉଭୟଙ୍କ ମଧ୍ୟରେ ୧୧୬ ରନ୍‌ର ମହତ୍ବପୂର୍ଣ୍ଣ ଭାଗୀଦାରି ମଧ୍ୟ ହୋଇଥିଲା। ତେବେ ବ୍ୟକ୍ତିଗତ ୭୪ ରନ୍‌ କରିଥିଲା ବେଳେ ବିପ୍ଲବ ତାଙ୍କ ଵିକେଟ୍‌ ହରାଇଥିଲେ। ମଧ୍ୟାହ୍ନ ବିରତି ପୂର୍ବରୁ ଦେବାଶିଷ ତାଙ୍କର ତୃତୀୟ ଶତକ (୧୦୩ ରନ୍‌, ୨୯୦ ବଲ୍‌) ଅର୍ଜନ କରିଥିଲେ। ବିପ୍ଲବଙ୍କ ପରେ ଆସିଥିବା ରାଜେଶ ଧୂପର (୨୦), ପଦାର୍ପଣ କରିଥିବା ଅଙ୍କିତ ଯାଦବ (୧୨) ଅଧିକ ସମୟ ତିଷ୍ଠି ପାରିନଥିଲେ। ଏଥିମଧ୍ୟରେ ୧୫୦ ରନ୍‌ ଅତିକ୍ରମ କରିବା ପରେ ୩୪୯ ବଲ୍‌ରୁ ୧୫୬ ରନ୍‌ (୨୬ ଚୌକା, ୧ ଛକା) କରିଥିଲା ବେଳେ ଦେବାଶିଷଙ୍କ ଵିକେଟ୍‌ ଝଡ଼ିଥିଲା। ନିମ୍ନକ୍ରମରେ ଦେବବ୍ରତ ପ୍ରଧାନ ୨୬, ସୂର୍ଯ୍ୟକାନ୍ତ ପ୍ରଧାନ ୧୨*, ବସନ୍ତ ମହାନ୍ତି ୮ ରନ୍‌ର ଯୋଗଦାନ ଦେଇଥିଲେ। ଚା’ ବିରତି ପରେ ପ୍ରଥମ ପାଳି ଆରମ୍ଭ କରିଥିବା ଝାଡ଼ଖଣ୍ତ ତୃତୀୟ ଓଭରରେ ଅର୍ଣ୍ଣବ ସିହ୍ନାଙ୍କୁ ହରାଇଥିଲା। ୧ ରନ୍‌ କରିଥିଲା ବେଳେ ବସନ୍ତ ମହାନ୍ତି ତାଙ୍କୁ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ତେବେ ରକ୍ଷଣାତ୍ମକ ଖେଳୁଥିବା ଦେଓବ୍ରତ ସାଥୀ କୁମାର ସୁରଜଙ୍କ ସହ ଅର୍ଧଶତକୀୟ (୫୧) ଭାଗୀଦାରି କରିବା ପରେ ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ। ସେ ୫୬ ବଲ୍‌ରୁ ୧୬ ରନ୍‌ କରିଥିଲା ବେଳେ ସ୍ଲିପ୍‌ ଅଞ୍ଚଳରେ ଅନୁରାଗ ଷଡ଼ଙ୍ଗୀ ତାଙ୍କ କ୍ୟାଚ୍‌ ନେଇଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୪୬.୨ ଓଭରରେ ୪୩୬/୧୦ (ଅନୁରାଗ ଷଡ଼ଙ୍ଗୀ ୬୫, ଦେବାଶିଷ ସାମନ୍ତରାୟ ୧୫୬, ଗୋବିନ୍ଦ ପୋଦ୍ଦାର ୩୧, ବିପ୍ଲବ ସାମନ୍ତରାୟ ୭୪, ଆଶିଷ କୁମାର ୬/୭୯, ସାହିଲ ରାଜ ୧/୪୭, ଅଜୟ ଯାଦବ ୧/୯୨, ରାହୁଲ ଶୁକ୍ଲା ୧/୧୦୧, ଉତ୍କର୍ଷ ସି˚ହ ୧/୧୦୯)।

ଝାଡ଼ଖଣ୍ତ ପ୍ରଥମ ପାଳି ୨୪ ଓଭରରେ ୭୧/୨ (କୁମାର ଦେଓବ୍ରତ ୧୬, ଅର୍ଣ୍ଣବ ସିହ୍ନା ୧, କୁମାର ସୁରଜ ୪୨*, ଉତ୍କର୍ଷ ସି˚ହ ୧୦*, ବସନ୍ତ ମହାନ୍ତି ୧/୧୯, ସୂର୍ଯ୍ୟକାନ୍ତ ପ୍ରଧାନ ୧/୨୯)।

ସର୍ଭିସେସ୍‌ ଓ ଜମ୍ମୁକୁ ପାଳି ଅଗ୍ରଣୀ

ଓଡ଼ିଶାର କ୍ବାର୍ଟର ଫାଇନାଲ୍‌ ଦୌଡ଼ରେ ମୁଖ୍ୟ ପ୍ରତିଦ୍ବନ୍ଦୀ ଥିବା ସର୍ଭିସେସ୍‌ ଗୁରୁବାର ପ୍ରଥମ ପାଳିରେ ୨୧୯ ରନ୍‌ର ଅଗ୍ରଣୀ ପାଇଛି। ଛତିଶଗଡ଼ର ପ୍ରଥମ ପାଳି ସ୍କୋର୍‌ ୧୭୯ ଜବାବରେ ସର୍ଭିସେସ୍‌ ୩୯୮ ରନ୍‌ କରିଥିଲା। ଦ୍ବିତୀୟ ଦିନ ଶେଷ ସୁଦ୍ଧା ଛତିଶଗଡ଼ ଦ୍ବିତୀୟ ପାଳିରେ ବିନା କୌଣସି କ୍ଷତିରେ ୧୭ ରନ୍‌ କରିଛି। ଅନ୍ୟପକ୍ଷରେ ଜମ୍ମୁରେ ଚାଲିଥିବା ମ୍ୟାଚ୍‌ରେ ଘରୋଇ ଦଳର ୩୪୦ ରନ୍‌ ଜବାବରେ ହରିଆଣା ୨୯୧ ରନ୍‌ରେ ସୀମିତ ରହିଛି। ଫଳରେ ଜମ୍ମୁକୁ ୪୯ ରନ୍‌ର ଅଗ୍ରଣୀ ମିଳିଛି। ଅନ୍ୟ ଏକ ମ୍ୟାଚ୍‌ରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ମହାରାଷ୍ଟ୍ର ପଛରେ ପଡ଼ିଯାଇଛି। ପ୍ରଥମ ପାଳିରେ ମହାରାଷ୍ଟ୍ର ୨୦୭ ରନ୍‌ କରିଥିଲା ବେଳେ ଉତ୍ତରାଖଣ୍ତ ୨୫୧ ରନ୍‌ କରି ଅଗ୍ରଣୀ ପାଇଛି। ଦ୍ବିତୀୟ ପାଳି ଆରମ୍ଭ କରିଥିବା ମହାରାଷ୍ଟ୍ର ଦ୍ବିତୀୟ ଦିନର ଷ୍ଟମ୍ପ୍‌ସ ବେଳକୁ ୨ ଵିକେଟ୍‌ ବିନିମୟରେ ୧୪୦ ରନ୍‌ କରିଛି।

ସମ୍ବନ୍ଧିତ ଖବର