ଦିଲ୍ଲୀ ଡଗ୍‌ଆଉଟ୍‌ରେ ବସିପାରିବେ ଗାଙ୍ଗୁଲି

ନୂଆଦିଲ୍ଲୀ: ‘ଦ୍ବୈତ ସ୍ବାର୍ଥ’ ବିବାଦରେ ଛନ୍ଦି ହୋଇଥିବା ପୂର୍ବତନ ଭାରତୀୟ ଅଧିନାୟକ ତଥା ବେଙ୍ଗଲ କ୍ରିକେଟ୍ ସଂଘର ସଭାପତି ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଡଗ୍‌ଆଉଟ୍‌ରେ ବସିପାରିବେ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହା କହିଛନ୍ତି। ଏହି ମାମଲାରେ ଗାଙ୍ଗୁଲି ବିସିସିଆଇ ଲୋକପାଳଙ୍କ ନିକଟରେ ହାଜର ହେବାର ଅଛି। ତା ପୂର୍ବରୁ ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକରେ କିନ୍ତୁ ସେ ଦିଲ୍ଲୀ ସହ ପୂର୍ବଭଳି କାର୍ଯ୍ୟ କରିପାରିବେ। ଗାଙ୍ଗୁଲି ସଂପ୍ରତି ଏହି ଆଇପିଏଲ୍ ଦଳର ପରାମର୍ଶଦାତା ଅଛନ୍ତି। ଦିଲ୍ଲୀ ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ଏହି ମ୍ୟାଚ୍‌ରେ ଗାଙ୍ଗୁଲି ଦିଲ୍ଲୀ ଡଗ୍‌ଆଉଟ୍‌ରେ ବସିବାରେ କୌଣସି ଅସୁବିଧା ନା‌ହିଁ ବୋଲି ବିସିସିଆଇର ସଂପୃକ୍ତ ଅଧିକାରୀ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ କୋଲକାତାର ତିନି ଜଣ କ୍ରିକେଟ୍ ପ୍ରେମୀ ଭାଶ୍ବତି ସାନ୍ତନୁ, ରଞ୍ଜିତ ସିଲ୍ ଓ ଅଭିଜିତ ମୁଖାର୍ଜୀ ବିସିସିଆଇ ଲୋକପାଳ ଏବଂ ନୈତିକ ଅଧିକାରୀ ଜଷ୍ଟିସ୍ ଡିକେ ଜୈନଙ୍କୁ ପତ୍ର ଲେଖି ଗାଙ୍ଗୁଲିଙ୍କ ବିରୋଧରେ ‘ଦ୍ବୈତ ସ୍ବାର୍ଥ’ ଅଭିଯୋଗ ଆଣିଥିଲେ। ହେଲେ ଗାଙ୍ଗୁଲି ଏହାକୁ ଖଣ୍ଡନ କରିଥିଲେ। ଲୋକପାଳ ଶ୍ରୀ ଜୈନଙ୍କୁ ପତ୍ର ଲେଖି ଦୁଇଟି ଆର୍ଥିକ ଲାଭ ଦେଉଥିବା ପଦରେ ସେ ନାହାନ୍ତି ବୋଲି ଗାଙ୍ଗୁଲି କହିଥିଲେ। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଲୋକପାଳ ନେବେ।

ସମ୍ବନ୍ଧିତ ଖବର