ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ, ରାହାଣେ ଶତକ ଫିକା

ଜୟପୁର: ଆଇପିଏଲ୍‌ରେ ସୋମବାର ୪୦ତମ ମ୍ୟାଚ୍ରେ ଅଜିଙ୍କ୍ୟ ରାହାଣେଙ୍କ ଶତକକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସଠୁ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ ବିଜୟ ଛଡ଼ାଇ ନେଇଛି। ରାଜସ୍ଥାନ ରୟାଲ୍‌ସ ୧୯୧ ରନ୍‌ ସଂଗ୍ରହ କରିଥିବାବେଳେ ଦିଲ୍ଲୀ ଦଳ ଶିଖର ଧାୱନ ଏବଂ ଋଷବ ପନ୍ତ୍‌ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ଜିତି ଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କରିଥିବାବ‌େଳେ ରାଜସ୍ଥାନ ଦଶମ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲ୍‌ରେ ଦିଲ୍ଲୀ ମଧ୍ୟ ଶୀର୍ଷକୁ ଉଠିଛି। ସୋମବାର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ରାଜସ୍ଥାନ ରୟାଲ୍‌ସ ସଂଜୁ ସାମସନ୍‌ଙ୍କୁ ସଅଳ ହରାଇଥିଲା। ଗୋଟିଏ ବି ବଲ୍ ସମ୍ମୁଖୀନ ହେବା ପୂର୍ବରୁ ସାମ୍‌ସନ୍‌ଙ୍କୁ ରବାଦା ରନ୍‌ ଆଉଟ୍ କରିଦେଇଥିଲେ। ବେନ୍‌ ଷ୍ଟୋକ୍ସ (୮, ୮ ବଲ୍‌) ଏବଂ ଆଷ୍ଟନ୍ ଟର୍ନର (୦) ମଧ୍ୟ ନିରାଶ କରିଥିଲେ। ବିଦାୟୀ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ୭୮ ବଲ୍‌ରୁ ୧୩୦ ରନ୍ ଯୋଡ଼ି ବଡ଼ ସ୍କୋର୍‌ ମୂଳଦୁଆ ପକାଇଥିଲେ। ରାହାଣେ (୧୦୫*, ୬୩ ବଲ୍, ୧୧ ଚୌକା, ୩ ଛକା) ନିଜ ଦ୍ବିତୀୟ ଟ୍ବେଣ୍ଟି-୨୦ ଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସ୍ମିଥ୍ (୫୦, ୩୨ ବଲ୍, ୮ ଚୌକା) ଲଗାତାର ଅର୍ଧଶତକ ହାସଲ କରିଥିଲେ। ଶେଷ ଭାଗରେ ଦିଲ୍ଲୀ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତନ କରିବାରୁ ରାଜସ୍ଥାନ ସମ୍ଭାବ୍ୟ ୨୦୦ ରନ୍‌ ଅତିକ୍ରମ କରିପାରିନଥିଲା। ଶେଷ ଓଭରରେ କାଗିସୋ ରବାଦା ଘଣ୍ଟାପ୍ରତି ୧୫୧ କିଲୋମିଟର୍ ବେଗରେ ବୋଲିଂ କରିବା ସହିତ ୨ ୱିକେଟ୍ ବାହାର କରିନେଇଥିଲେ। ଷ୍ଟୁଆର୍ଟ ବିନ୍ନି (୧୯, ୧୩ ବଲ୍, ୨ ଚୌକା) ଏବଂ ରିୟାନ୍ ପରାଗ (୪)ଙ୍କୁ ସେ ଆଉଟ୍ କରିଥିଲେ। ଫଳରେ ରାଜସ୍ଥାନ ୧୯୧/୬ରେ ସୀମିତ ରହିଯାଇଥିଲା।

ଜବାବରେ ଶିଖର ଧାୱନ ଏବଂ ପୃଥୀ ସ’ ପାୱାର ପ୍ଲେ ୬ ଓଭରରେ ବିନା ୱିକେଟ୍‌ରେ ୫୯ ରନ୍ ସଂଗ୍ରହ କରିବା ପରେ ଦିଲ୍ଲୀ ଆଉ ପଛକୁ ଫେରିନଥିଲା। ଧାୱନ ମାତ୍ର ୨୫ ବଲରୁ ୫୦ ରନ୍ କରିଥିଲେ। ସେ ୨୭ ବଲ୍‌ ଖେଳି ୮ ଚୌକା, ୨ ଛକା ସହିତ ୫୪ ରନ୍ କରି ସେ ଆଉଟ୍ ହୋଇଯିବା ପରେ ପୃଥ୍ବୀ ସ’ ୩୯ ବଲରୁ ୪ ଚୌକା, ୧ ଛକା ବଳରେ ୪୨ ରନ୍ କରିଥିଲେ। ଉଭୟଙ୍କୁ ସ୍ପିନର ଶ୍ରେୟସ‌ ଗୋପାଳ ଆଉଟ୍ କରିଥିଲେ। ମଧ୍ୟକ୍ରମରେ ଶ୍ରେୟସ ଆୟର (୪) ଏବଂ ସେର୍ଫାନ୍ ରଦରଫୋର୍ଡ (୧୧) ବିଫଳ ହୋଇଥିଲେ ମଧ୍ୟ ବିଜୟ ପାଇ ଆବଶ୍ୟକ ଅବଶିଷ୍ଟ କାମ କରିଥିଲେ ଋଷବ ପନ୍ତ୍‌ (୭୮*, ୩୬ ବଲ୍‌, ୬ ଚୌକା, ୪ ଛକା)। ମାତ୍ର ୨୬ ବଲରୁ ଅର୍ଧଶତକ ହାସଲ କରି ଦଳକୁ ୪ ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ଜୟଦେବ ଉନାଦକତଙ୍କୁ ମିଡ୍‌ୱିକେଟ୍‌ ଉପରେ ଛକା ମାରି ପନ୍ତ୍‌ ହିଁ ମ୍ୟାଚ୍‌ ଶେଷ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଙ୍କୁ ହିଁ ମିଳିଥିଲା।

ସଂକ୍ଷିପ୍ତ ସ୍କୋର୍‌: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୧/୬ (ଅଜିଙ୍କ୍ୟ ରାହାଣେ-୧୦୫*, ଷ୍ଟିଭେନ୍‌ ସ୍ମିଥ-୫୦, କାଗିସୋ ରବାଦା-୨/୩୭, ଈଶାନ୍ତ ଶର୍ମା-୧/୨୯, ଅକ୍ଷର ପଟେଲ୍‌-୧/୩୯, କ୍ରିସ୍ ମୋରିସ୍-୧/୪୧)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୨ ଓଭରରେ ୧୯୩/୪ (ଋଷବ ପନ୍ତ୍-୭୮*, ଶିଖର ଧାୱନ-୫୪, ପୃଥ୍ବୀ ସ’-୪୨, ଶ୍ରେୟସ ଗୋପାଳ-୨/୪୭, ରିୟାନ୍ ପରାଗ-୧/୨୫, ଧବଲ କୁଲକର୍ଣ୍ଣି-୧/୫୧)।

ସମ୍ବନ୍ଧିତ ଖବର