ଦିଲ୍ଲୀରୁ ମାନିଲା ପହଞ୍ଚିିଲା ଏସିଆଡ୍‌

ଭୁବନେଶ୍ୱର: ଏସିଆର ସର୍ବୋଚ୍ଚ କ୍ରୀଡ଼ା ମହୋତ୍ସବ ଏସିଆଡ୍‌ ତଥା ଏସୀୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ନୂଆଦିଲ୍ଲୀର ନ୍ୟାସନାଲ୍‌ ହକି ଷ୍ଟାଡିୟମ୍‌ରେ ୧୯୫୧ ମସିହାରେ ଖେଳାଯାଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କ୍ରୀଡ଼ା ମହୋତ୍ସବକୁ ଦେଖିଥିଲେ ପ୍ରାୟ ୪୦,୦୦୦ ଦର୍ଶକ। ୮ ଦିନିଆ ଏହି ପ୍ରତିଯୋଗିତାରେ ମୋଟ ୧୬୯ ପଦକ ପାଇଁ ହୋଇଥିଲା ଲଢ଼େଇ। ୫୭ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ସହିତ ୫୫ କାଂସ୍ୟ ପାଇଁ ଖେଳିଥିଲେ ୪୯୧ କ୍ରୀଡ଼ାବିତ୍‌। ପୋଲୋ ଓ ଟ୍ରାକ୍‌ ସାଇକ୍ଲିଂର ପର୍ସୁଟ୍‌ ଇଭେଣ୍ଟରେ କାଂସ୍ୟ ପଦକ ନଥିବାରୁ ଏହାର ସଂଖ୍ୟା କମ୍‌ ରହିଥିଲା। ଜାପାନ ୨୪ ସ୍ୱର୍ଣ୍ଣ, ୨୧ ରୌପ୍ୟ, ୧୫ କାଂସ୍ୟ ସହିତ ମୋଟ ୬୦ ପଦକ ଜିତି ବିଜେତା ହୋଇଥିଲା। ଆୟୋଜକ ଭାରତ ୧୫ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୨୦ କାଂସ୍ୟ ସହ ମୋଟ ୫୧ ପଦକ ଜିତି ସମ୍ମାଜନକ ଭାବେ ଦ୍ୱିତୀୟରେ ରହିଥିଲା। ଇରାନ (୮+୬+୨) ମୋଟ ୧୬ ପଦକ ଜିତି ତୃତୀୟରେ ରହିଥିଲା। ନୂଆଦିଲ୍ଲୀରୁ ଆରମ୍ଭ ହୋଇଥିବା ଏସିଆଡ୍‌ ଅଭିଯାନ ୧୯୫୪ ମସିହାରେ ପହଞ୍ଚିଥିଲା ଫିଲିପାଇନସର ମାନିଲାରେ। ୧୮ ଦେଶରୁ ୯୭୦ ଜଣ ଖେଳାଳି ଭାଗ ନେଇଥିଲେ ୮ ଖେଳର ୭୭ ଇଭେଣ୍ଟ୍‌ରେ। ଫିଲିପାଇନ୍‌ସ ରାଷ୍ଟ୍ରପତି ରମଣ ମାଗାସେସେଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ୯ ଦିନିଆ ମହୋତ୍ସବ ଜାପାନ ବି ନିଜ ଆଧିପତ୍ୟ ଅବ୍ୟାହତ ରଖିଥିଲା। ୩୮ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୨୪ କାଂସ୍ୟ ସହିତ ମୋଟ ୯୮ ପଦକ ଜିତି ଶୀର୍ଷରେ ରହିଥିଲା। ଆୟୋଜକ ଫିଲିପାଇନ୍‌ସ (୧୪ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୧୭ କାଂସ୍ୟ) ମୋଟ ୪୫ ପଦକ ଜିତି ଦ୍ୱିତୀୟରେ ରହିଥିଲା। ଦକ୍ଷିଣ କୋରିଆ (୮+୬+୫) ୧୯ ପଦକ ସହ ତୃତୀୟ, ପାକିସ୍ତାନ (୫+୬+୨) ୧୩ ପଦକ ସହ ଚତୁର୍ଥରେ ରହିଥିବାବେଳେ ଭାରତ (୫+୪+୮) ମୋଟ ୧୭ ପଦକ ସହ ପଞ୍ଚମରେ ସନ୍ତୁଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର