ମ୍ୟାଚ୍‌ ଅମୀମାଂସିତ; ଓଡ଼ିଶାକୁ ୩ ପଏଣ୍ଟ୍‌

ସିକେ ନାଇଡୁ ଟ୍ରଫି

ସମ୍ବଲପୁର: ସ୍ଥାନୀୟ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ମଙ୍ଗଳବାର ଶେଷ ହୋଇଥିବା ରେଳବାଇ ବିପକ୍ଷ ୪ ଦିନିଆ ସିକେ ନାଇଡୁ ମ୍ୟାଚ୍‌ ଅମୀମାଂସିତ ରହିଛି। ପ୍ରଥମ ପାଳିରେ ୧୧୩ ରନ୍‌ କରିଥିବା ରେଳବାଇ ଦଳ ଦ୍ବିତୀୟ ପାଳିରେ ସାହିମ୍‌ ହାସନ୍‌ (୧୭୫ ରନ୍‌) ଓ ଦୀନେଶ ମୋର୍‌ (ଅପରାଜିତ ୧୫୪)ଙ୍କ ଦମ୍‌ଦାର ଶତକ ବଳରେ ୭ ୱିକେଟ୍‌ ହରାଇ ୫୦୫ ରନ୍‌ କରିଥିଲା ବେଳେ ଘୋଷଣା କରିଦେଇଥିଲା। ଅୟସକାନ୍ତ ସାହୁ ୩, କାର୍ତିକ ବିଶ୍ବାଳ ଓ ପ୍ରଶାନ୍ତ ପାଣ୍ଡେ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଫଳରେ ପ୍ରଥମ ପାଳି‌ରେ ୩୮୪ ରନ୍‌ କରି ୨୭୧ ରନ୍‌ର ଅଗ୍ରଣୀ ପାଇଥିବା ଘରୋଇ ଓଡ଼ିଶା ସମ୍ମୁଖରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଚତୁର୍ଥ ତଥା ଶେଷ ଦିନ ଓଡ଼ିଶା ୯୫ ରନ୍‌ରେ ୬ ୱିକେଟ୍‌ ହରାଇଥିଲା ବେଳେ ଷ୍ଟମ୍ପ୍‌ସ ପ୍ରତ୍ୟାହାର ହୋଇଥିଲା। ହିଂମାଶୁ ସାଙ୍ଗ୍‌ୱାନ୍‌ ୪ ୱିକେଟ୍‌ ଝଡ଼ାଇ ଦେଇଥିଲେ। ତେବେ ମ୍ୟାଚ୍‌ ଅମୀମାଂସିତ ରହିବାରୁ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ଏବଂ ରେଳବାଇକୁ ୧ ପଏଣ୍ଟ୍‌ ମିଳିଥିଲା। ଉଭୟ ପାଳିରେ ୧୦ (ପ୍ରଥମ ପାଳିରେ ୭ ଓ ଦ୍ବିତୀୟ ପାଳିରେ ୩) ୱିକେଟ୍‌ ଅକ୍ତିଆର କରିଥିବା ଅୟସକାନ୍ତ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ତାହିର ନୱାଜ ଅତିଥି ଭାବେ ଯୋଗଦେଇ ଅୟସକାନ୍ତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଉପସଭାପତି ରାଜୀବ ବିଶ୍ବାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର