ବିଶ୍ବକପ୍‌ରୁ ବଞ୍ଚିତ ଆଇପିଏଲ୍ ଏକାଦଶ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ ତଥା ଲୋଭନୀୟ କ୍ରିକେଟ୍ ପ୍ରତିଯୋଗିତା ଆଇପିଏଲ୍‌ ଶେଷ ହୋଇଛି। ବିଶ୍ବକପ୍‌ ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହୋଇଯିବ। ଆଇପିଏଲ୍‌ରେ ବିଶ୍ବର ଅଧିକାଂଶ ପ୍ରମୁଖ ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ବିଶ୍ବକପ୍‌ ଭଳି ବଡ଼ ମଇଦାନରେ ସେମାନଙ୍କ ମଧ୍ୟରୁ କିଛି ଭଲ ପ୍ରଦର୍ଶନକାରୀଙ୍କୁ ଦେଖିବାକୁ ମିଳିବ ନାହିଁ। ଆଇପିଏଲ୍‌ ଚମତ୍କାରିତା ସତ୍ତ୍ବେ ଏମାନେ ବିଭିନ୍ନ କାରଣରୁ ନିଜ ନିଜ ଜାତୀୟ ଦଳରେ ସ୍ଥାନ ପାଇପାରିନାହାନ୍ତି। ଏମାନେ ରହିପାରନ୍ତି, ରହିବା କଥା, ରହିବା ଉଚିତ୍‌..ଯାହାବି କୁହନ୍ତୁ ଏଥିରେ କିଛି ମାନେନାହିଁ। ଆଇପିଏଲ୍‌-୧୯କୁ କିନ୍ତୁ ଏମାନେ ଆଲୋକିତ କରିଛନ୍ତି ଏବଂ ବିଶ୍ବକପ୍‌ରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଛାଯାଇଥିବା ଆଇପିଏଲ୍‌ ଏକାଦଶ ଉପରେ ଆସନ୍ତୁ ନଜର ପକାଇନେବା।
ଶ୍ରେୟସ ଆୟର (ଅଧିନାୟକ)
ଦିଲ୍ଲୀ କ୍ୟାପିଟାଲ୍ସ ୭ ବର୍ଷ ପରେ ପ୍ରଥମ ଥର ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଥିଲା। ୨୪ ବର୍ଷୀୟ ମୁମ୍ବାଇ ତାରକା ଶ୍ରେୟସ ଆୟର ଆଇପିଏଲ୍‌ ଅଗ୍ରଣୀ ରନ୍‌ ସଂଗ୍ରହ ତାଲିକାରେ ନବମ ସ୍ଥାନରେ ରହିଥିଲେ। ୧୬ ପାଳିରୁ ୪୬୩ ରନ୍ କରିଥିଲେ। ଆଇପିଏଲ୍‌ ଅଧିନାୟକଙ୍କ ମଧ୍ୟରେ ଏବଂ ଦିଲ୍ଲୀ ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ସମାନ ଦ୍ବିତୀୟ ସ୍ଥାନରେ ରହିଥିଲେ। ୩ଟି ଅର୍ଧଶତକ ଏବଂ ପଞ୍ଜାବ ବିପକ୍ଷରେ ଥରେ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ।
ସେନ୍‌ ୱାଟସନ୍‌
ବଡ଼ ମ୍ୟାଚ୍‌ର ବଡ଼ ଖେଳାଳି ଭାବେ ନିଜକୁ ପ୍ରତିପାଦିତ କରିଥିବା ସେନ୍‌ ୱାଟସନ୍‌ ଅବସର ନେଇ ସାରିଥିବାରୁ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳରେ ନାହାନ୍ତି। ଆଇପିଏଲ୍‌ରେ କିନ୍ତୁ ସେ ୧୭ ମ୍ୟାଚ୍‌ରୁ ୩୯୮ ରନ୍ କରିଥିଲେ। ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦ୍ବିତୀୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହେବା ପରେ ଲମ୍ବା ସମୟ ଧରି ବିଫଳ ରହିଥିଲେ। ହାଇଦ୍ରାଦାବ ବିପକ୍ଷରେ ୯୬ ରନ୍‌ ଏବଂ ପ୍ଲେ ଅଫ୍‌ରେ ଦୁଇଟି ୫୦ରୁ ଊର୍ଧ୍ବ ରନ୍ ପାଳି ଖେଳିଥିଲେ। ଫାଇନାଲରେ ୮୦ ରନ୍‌ କରିବା ସହିତ ଚେନ୍ନାଇକୁ ପ୍ରାୟ ଚତୁର୍ଥ ମୁକୁଟ ଦ୍ବାରରେ ପହଞ୍ଚାଇ ଦେଇଥିଲେ। ୩୭ ବର୍ଷୀୟ ଏହି ଅଲରାଉଣ୍ଡର୍‌ କିନ୍ତୁ ବିଶ୍ବକପ୍‌ରୁ ବଞ୍ଚିତ ରହିବେ।
ଏବି ଡି’ଭିଲିୟର୍ସ
ମିଷ୍ଟର ୩୬୦ ଭାବେ ପରିଚିତ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍‌ ଏବି ଡି’ଭିଲିୟର୍ସଙ୍କ ପାଇଁ ଚଳିତ ବର୍ଷର ଆଇପିଏଲ୍‌ ଭଲ ବିତି ନ ଥିଲା। ବିଶେଷ କରି ବିଗତ ବର୍ଷମାନଙ୍କ ଭଳି। ତଥାପି ସେ ୪୪.୨୦ ହାର ଏବଂ ୧୫୦ରୁ ଊର୍ଧ୍ବ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରିଥିଲେ। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ (୧୪ ପାଳି, ୪୪୦ ରନ୍‌) ଥିଲେ ମଧ୍ୟ ଏହି ତାରକା ଦିନିକିଆରୁ ଅବସର ନେଇ ସାରିଥିବାରୁ ବିଶ୍ବକପ୍‌ ଖେଳିପାରିବେ ନାହିଁ।
କିରଣ ପୋଲାର୍ଡ
ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ ଦଳରେ ଏହି ତାରକା ଅଲରାଉଣ୍ଡରଙ୍କୁ ମିଳିନାହିଁ ସୁଯୋଗ। ଆଇପିଏଲ୍‌ରେ ସେ ପଞ୍ଜାବ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେବା‌ବେଳେ ୧୯୮ ରନ୍‌ ପଶ୍ଚାତଧାବନକୁ ନିଜ ୩୧ ବଲ୍‌ ୮୩ ରନ୍ ବଳରେ ସମ୍ଭବ କରିଥିଲେ। ଚେନ୍ନାଇ ବିପକ୍ଷ ଫାଇନାଲରେ ବି ତାଙ୍କ ୨୫ ବଲ୍‌ ୪୧ ରନ୍ ନିର୍ଣ୍ଣାୟକ ହୋଇଥିଲା। ଏହା ମୁମ୍ବାଇର ଲୋ‌ ସ୍କୋରିଂ ପାଇଁ କିନ୍ତୁ ଯଥେଷ୍ଟ ହୋଇଥିଲା। ମୁମ୍ବାଇ ବିଜେତା ମୁକୁଟ ନେଇଥିଲା ୧ ରନ୍ ବିଜୟ ସହିତ।
ମନୀଷ ପାଣ୍ଡେ
ଜନି ବେୟାରଷ୍ଟୋ ଏବଂ ଡେଭିଡ୍‌ ୱାର୍ନରଙ୍କ ସ୍ବଦେଶ ପ୍ରତ୍ୟାବର୍ତନ ପରେ ସନ୍‌ରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ମନୀଷ ପାଣ୍ଡେଙ୍କ ଉପରେ ନିର୍ଭରଶୀଳ ଥିଲା। ଦୁଇଟି ଲଗାତାର ଅର୍ଧଶତକ ପରେ ନିର୍ଣ୍ଣାୟକ ଲିଗ୍‌ ମ୍ୟାଚ୍‌ରେ ଆଉ ଏକ ଚମତ୍କାର ପାଳି ଖେଳି ହାଇଦ୍ରାବାଦକୁ ପ୍ଲେ ଅଫ୍‌ରେ ପହଞ୍ଚାଇଥିଲେ। ୪୩.୦୦ ହାର ଏବଂ ୧୩୦.୭୯ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରିଥିଲେ। ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ।
ଋଷବ ପନ୍ତ (ୱିକେଟ୍‌ରକ୍ଷକ)
ଋଷବ ପନ୍ତଙ୍କୁ ଭାରତୀୟ ବିଶ୍ବକପ୍‌ ଦଳରେ ସୁଯୋଗ ମିଳିନଥିଲେ ମଧ୍ୟ ଆଇପିଏଲ୍‌ରେ ଏହି ଲିଟିଲ ଷ୍ଟାର୍ ଅଟକିନଥିଲେ। ଯେଉଁ ୩ ଥର ସେ ଅର୍ଧଶତକ ହାସଲ କରିଥିଲେ ସେ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ। ୧୬ ମ୍ୟାଚ୍‌ରୁ ୪୮୮ ରନ୍ କରି ମୋଟ ଉପରେ ସପ୍ତମ ଏବଂ ଦିଲ୍ଲୀର ଅଗ୍ରଣୀ ରନ୍ ସ୍କୋରର୍ ହୋଇଥିଲେ। ୱିକେଟ ପଛପଟେ ମଧ୍ୟ ୨୪ ସଫଳତା (୧୮ କ୍ୟାଚ୍‌, ୬ ଷ୍ଟମ୍ପିଂ) ଅର୍ଜନ କରିଥିଲେ ଏହି ବାମହାତୀ ଦିଲ୍ଲୀ କ୍ୟାପିଟାଲ୍ସ ତାରକା।
ସାମ୍ କରନ୍‌ (ଅଲ୍‌ରାଉଣ୍ଡର)
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହ୍ୟାଟ୍ରିକ୍ ସହିତ ଚମତ୍କାର ବୋଲିଂ ଚିତ୍ର (୪/୧୧) ପାଇଥିବା ସାମ୍ କରନ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆକର୍ଷଣୀୟ ଅର୍ଧଶତକ ଏବଂ ଚେନ୍ନାଇ ବିପକ୍ଷରେ ୩ ୱିକେଟ୍‌ ସଫଳତା ପାଇଥିଲେ। ତାଙ୍କୁ ଇଂଲଣ୍ଡ ବିଶ୍ବକପ୍‌ ଦଳରେ ସ୍ଥାନ ମିଳିନଥିଲେ ମଧ୍ୟ ତାଙ୍କ ଭାଇ ଟମ୍ କରନ୍‌ଙ୍କୁ ମିଳିଛି ସୁଯୋଗ।
ଦୀପକ ଚହର
ଚେନ୍ନାଇ ସୁପର୍ କିଙ୍ଗସର ୧୭ ମ୍ୟାଚ୍‌ ମଧ୍ୟରୁ ୩ଟିରେ ଏହି ଦ୍ରୁତ ବୋଲର ୱିକେଟଶୂନ୍ୟ ରହିଥିଲେ। କିନ୍ତୁ ଆଇପିଏଲ୍‌ରେ ଭାରତୀୟ ବୋଲରଙ୍କ ମଧ୍ୟରେ ‌ଦୀପକ ଥିଲେ ସଫଳତମ। ମୋଟ ୨୨ ୱିକେଟ୍ ମଧ୍ୟରେ ସେ ୨ ଥର ୩ ୱିକେଟ୍ ନେଇଥିଲେ। କୋଲକାତା ବିପକ୍ଷରେ ୩/୨୦ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଶ୍ବକପ୍‌ ଦଳରେ ତାଙ୍କୁ ସୁଯୋଗ ମିଳିନାହିଁ।
ଶ୍ରେୟସ‌ ଗୋପାଳ
ଆଇପିଏଲ୍‌-୧୨ର ସବୁଠୁ ସଫଳ ଭାରତୀୟ ସ୍ପିନର ହେଉଛନ୍ତି ଶ୍ରେୟସ ଗୋପାଳ। ସାମ୍ କରନଙ୍କ ପରେ ଦ୍ବିତୀୟ ହ୍ୟାଟ୍ରିକ୍ ହାସଲ କରିଥିଲେ ଏହି ଲେଗ୍ ସ୍ପିନର। ୫ ୱିକେଟ୍ ସଫଳତା ମଧ୍ୟ ଅର୍ଜନ କରିଥିବା ବିରଳ ‌ଖେଳାଳି ଥିଲେ। ୨୦ ୱିକେଟ୍ ନେଇଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍‌ରେ ପହଞ୍ଚିପାରିନଥିଲା।
ଜୋଫ୍ରା ଆର୍ଚର
ଆଇପିଏଲ୍‌ରେ ଜୋଫ୍ରା ଆର୍ଚର ମାତ୍ର ୧୧ ୱିକେଟ୍‌ ନେଇଥାଇପାରନ୍ତି, କିନ୍ତୁ ତାଙ୍କ ଇକୋନୋମି ରେଟ୍ (୬.୭୬) ସବୁଠାରୁ ପ୍ରଶଂସନୀୟ ଥିଲା। ଏହି କାରଣରୁ ୨୪ ବର୍ଷୀୟ ଏହି ଖେଳାଳିଙ୍କୁ ବିଶ୍ବକପ୍‌ ଷ୍ଟାଣ୍ଡବାଇ ତାଲିକାରେ ରଖାଯାଇଛି। ଚଳିତ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କଲେ ସେ ନିଶ୍ଚିତ ବିଶ୍ବକପ୍‌ ଟିକେଟ୍ ହାସଲ କରିନେବେ ବୋଲି ଆଶା।
ଖଲିଲ୍ ଅହମ୍ମଦ
ମୋଟ ୧୯ ୱିକେଟ୍ ଅକ୍ତିଆର କରିଥିବା ଏହି ବାମହାତୀ ଦ୍ରୁତ ବୋଲର ସନ୍‌ରାଇଜର୍ସ ହାଇଦ୍ରାବାଦ ସଫଳତାର ଅନ୍ୟତମ ତାରକା। ପ୍ରତି ୧୧ ବଲ୍‌ ଅନ୍ତରରେ ସେ ୱିକେଟ୍‌ ଅକ୍ତିଆର କରୁଥିଲେ। ବିଶେଷ କରି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ସେ ନେଇଥିବା ୩/୩୩ ବୋଲିଂ ଚିତ୍ର ତାଙ୍କ ଦଳକୁ ମ୍ୟାଚ୍‌ ବିଜୟୀ କରାଇଥିଲା। କେକେଆର୍‌ର ପ୍ରଥମ ୩ ଜଣଙ୍କୁ ସେ ଆଉଟ୍ କରିଥିଲେ।
ହରଭଜନ ସିଂହ (ଦ୍ବାଦଶ ଖେଳାଳି)
ଚେନ୍ନାଇ ସୁପର୍ କିଙ୍ଗସର ସବୁ ମ୍ୟାଚ୍‌ ଖେଳିନଥିଲେ ମଧ୍ୟ ହରଭଜନ ସିଂହ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଦଳର ୧୭ ମ୍ୟାଚ୍‌ରୁ ସେ ୧୧ଟିରେ ଖେଳି ୧୬ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର