ଡିଭିଲିୟର୍ସ ମୋ ପସନ୍ଦର ବ୍ୟାଟ୍ସମ୍ୟାନ୍‌:ଧାଓ୍ଵନ

ମୁମ୍ବାଇ: ସଚିନ, ସୌରଭ, ଦ୍ରାବିଡ କି ଲକ୍ଷ୍ମଣ ନୁହନ୍ତି। ଏପରିକି ତାଙ୍କ ପସନ୍ଦର ଖେଳାଳି ତାଲିକାରେ କୌଣସି ଭାରତୀୟ ମଧ୍ୟ ନାହାନ୍ତି। ଜଣେ ଅଣଭାରତୀୟ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ‘ଗବର ସିଂହ’ ଶିଖର ଧାଓ୍ଵନଙ୍କ ପସନ୍ଦର ବ୍ୟାଟ୍ସମ୍ୟାନ୍‌। ଆଉ ଏହି ବ୍ୟାଟ୍ସମ୍ୟାନ୍‌ ଜଣକ ହେଲେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଥିବା ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡିଭିଲିୟର୍ସ। ଡିଭିଲିୟର୍ସ ହିଁ ଧାଓ୍ଵନର ସବୁଠାରୁ ପସନ୍ଦର ବ୍ୟାଟ୍ସମ୍ୟାନ୍‌। ସୋମବାର ସେ ନିଜେ ଏହି ଘୋଷଣା କରିଛନ୍ତି। ସିଏଟ୍‌ ରେଟିଂ ପୁରସ୍କାର ଉତ୍ସବରେ ଯୋଗଦେବା ଅବସରରେ ମୁମ୍ବାଇରେ ଦେଇଥିବା ସାକ୍ଷାତକାରରେ ଧାଓ୍ଵନ ଏକଥା କହିଛନ୍ତି। ସାକ୍ଷାତକାର ବେଳେ ସାଂପ୍ରତିକ କ୍ରିକେଟ୍‌ରେ କିଏ ତାଙ୍କର ପସନ୍ଦର ବ୍ୟାଟ୍ସମ୍ୟାନ୍‌ ବୋଲି ପ୍ରଶ୍ନ ହେବା ପରେ ଧାଓ୍ଵନ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଏବି ଡିଭିଲିୟର୍ସଙ୍କ ନାଁ ନେଇଥିଲେ। ଏବି ଡିଭିଲିୟର୍ସ ହେଉଛନ୍ତି ମୋ ପସନ୍ଦର ବ୍ୟାଟ୍ସମ୍ୟାନ୍‌।

ସେ କେବଳ ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ନୁହଁନ୍ତି ଜଣେ ଚମତ୍କାର ବ୍ୟକ୍ତି ମଧ୍ୟ। ସେ ଜଣେ ଶ୍ରେଷ୍ଠ ନାୟକ। ତାଙ୍କୁ ଦେଖି ମୁଁ ଅନେକ କିଛି ଶିଖିଛି। ତାଙ୍କ ବିପକ୍ଷରେ ଖେଳିଥିବାର ସୁଯୋଗ ପାଇଥିବା ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଧାଓ୍ଵନ କହିଥିଲେ। ସେହିଭଳି ଆଇପିଏଲ୍‌-୧୧ରେ ତାଙ୍କ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ନେଇ ସେ ସନ୍ତାଷ ଜାହିର କରିଥିଲେ। ଧାଓ୍ଵନ କହିଥିଲେ ଯେ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଆମେ ଆମ ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କୁ ହରାଇବା ଭଲ କଥା ଥିଲା। ତା’ ପରେ କେନ୍‌ ଓ୍ଵିଲିୟମସନ୍‌ ଆସିଥିଲେ ଏବଂ ଜବରଦସ୍ତ କ୍ରିକେଟ୍‌ ଖେଳିଥିଲେ। ସେ ଜଣେ ଭଲ ଅଧିନାୟକ ମଧ୍ୟ। ମୁଁ ମଧ୍ୟ ଚଳିତ ଋତୁରେ ଭଲ ଖେଳିଲି। ଆମେ ଫାଇନାଲ୍‌ ଖେଳିଲୁ। ଏହାର ଫଳାଫଳ ଆମ ସପକ୍ଷରେ ଯାଇ ନଥିଲା। ତେବେ ପୂରା ଋତୁରେ ଆମେ ଭଲ କ୍ରିକେଟ୍‌ ଖେଳିଲୁ ଏବଂ ଏହାକୁ ମନଭରି ଉପଯୋଗ ମଧ୍ୟ କଲୁ।

ସମ୍ବନ୍ଧିତ ଖବର