ଡେଭିସ୍‌ କପ୍‌: ପରାଜୟରୁ ଭାରତର ଅଭିଯାନ

ତିଆନ୍‌ଜିନ୍‌: ଭାରତୀୟ ଡେଭିସ୍‌ କପ୍‌ ଦଳ ଶୁକ୍ରବାର ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଚୀନ୍‌ ବିପକ୍ଷ ଏସୀୟ-ଓସେନିଆ ମୁକାବିଲାର ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ଦୁଇ ଏକକ ଖେଳାଳି ପ୍ରଥମ ଦିନ ହାର୍‌ ମାନିଛନ୍ତି। ପ୍ରଥମ ଏକକ ମୁକାବିଲାରେ ୧୮ ବର୍ଷୀୟ ଚୀନ୍‌ ଯୁବ ତାରକା ୟିବିଙ୍ଗ୍‌ ଉ ୭-୬, ୬-୪ ସେଟ୍‌ରେ ୧୩୨ ମାନ୍ୟତା ରାମକୁମାର ରାମନାଥନଙ୍କୁ ମାତ୍‌ ଦେଇଥିଲେ। ସେହିପରି ଦ୍ୱିତୀୟ ମୁକାବିଲାରେ ୨୧୩ ମାନ୍ୟତାପ୍ରାପ୍ତ ସୁମିତ ନାଗଲ ମଧ୍ୟ ୪-୬, ୧-୬ ସେଟ୍‌ରେ ୨୪୭ ମାନ୍ୟତା ଜି ଝାଙ୍ଗ୍‌ଙ୍କଠୁ ହାରି ଯାଇଥିଲେ। ଫଳରେ ପ୍ରଥମ ଦିନ ଭାରତ ୦-୨ରେ ପଛରେ ରହିଛି। ତେଣୁ ଶନିବାର ଖେଳାଯିବାକୁ ଥିବା ଯୁଗଳ ଏବଂ ପାଲଟା ଏକକ ଉପରେ ଭାରତର ନଜର ରହିଛି। ଏହି ତିନି ମ୍ୟାଚ୍‌ ଜିତିନେଲେ ଭାରତ ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିନେବ। ନଚେତ୍‌ ୫ ବର୍ଷ ପରେ ପ୍ରଥମ ଥର ଲାଗି ଏସୀୟସ୍ତରୀୟ ପ୍ରତିଯୋଗିତାରୁ ବିଦାୟ ନେବ। ଶେଷ ଥର ଲାଗି ଭାରତ ୨୦୧୩ ଫେବ୍ରୁଆରିରେ କୋରିଆ ବିପକ୍ଷରେ ୧-୪ରେ ହାରି ବିଦାୟ ନେଇଥିଲା। ତେବେ ୨୦୧୦ରେ ଭାରତ ପ୍ରଥମ ଦିନ ୨ ଏକକ ହାରି ଯାଇଥିଲେ ମଧ୍ୟ ଦ୍ୱିତୀୟ ଦିନ ଲିଆଣ୍ଡର ପେସ୍‌-ମହେଶ ଭୂପତି ଯୁଗଳ ମ୍ୟାଚ୍‌ ଜିତି ଭାରତକୁ ଆଗକୁ ନେଇଥିଲେ। ପାଲଟା ଏକକରେ ସୋମଦେବ ଦେବବର୍ମନ ଏବଂ ଭୂପତି ମୁକାବିଲା ଜିତି ଭାରତକୁ ବିଜୟ ଭେଟି ଦେଇଥିଲେ। ଏଥର ଭାରତ ଏହି ଇତିହାସ ଦୋହରାଇବା ଲକ୍ଷ୍ୟରେ ରହିଛି। ଶନିବାର ଭାରତର ଯୁଗଳ ଯୋଡ଼ି ପେସ୍‌ ଓ ରୋହନ ବୋପାନ୍ନା ଚୀନ୍‌ର ମାଓ-ସିନ୍‌ ଗଙ୍ଗ୍‌ ଓ ଡି ଉଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଯଦି ଭାରତ ଜିତି ନିଏ ତେବେ ପେସ୍‌ ଡେଭିସ୍‌ କପ୍‌ରେ ଇତିହାସ ରଚିବେ। ସଂପ୍ରତି ପେସ୍‌ ଡେଭିସ୍‌ କପ୍‌ରେ ୪୨ ଯୁଗଳ ବର୍ଗ ମ୍ୟାଚ୍‌ ଜିତି ଇଟାଲି ତାରକା ନିକୋଲା ପିଏଟ୍ରାଙ୍ଗେଲିଙ୍କ ସହ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର