ନିଜ ଦକ୍ଷତାରେ ବିଶ୍ୱାସ ରଖିଛୁ:ଏବି ଡି’ଭିଲିୟର୍ସ

ବୁଧବାର ମ୍ୟାଚ୍‌ ଆମକୁ ଜିତିବାର ଥିଲା। ଏକ ସ୍ଲୋ ପିଚ୍‌ରେ ଆମେ ୨୦୫ ରନ୍‌ କରିବା ପରେ ସିଏସ୍‌କେକୁ ନବମ ଓଭର ବେଳକୁ ୭୪/୪ରେ ପହଞ୍ଚାଇ ଦେଇ ଘରୋଇ ପଡ଼ିଆରେ ଲଗାତାର ବିଜୟ ଆଡକୁ ଯାଉଥିଲୁ। ଦଳ ଠିକଣା ପଥରେ ଥିଲା ଏବଂ ପଏଣ୍ଟ ଟେବୁଲ୍‌ରେ ମଧ୍ୟ ଅଗ୍ରସର ହେଉଥିଲା। କିନ୍ତୁ ସମ୍ଭବ ହେଲା ନାହିଁ। ମାହିଙ୍କ ମାହିର୍‌ ଶ୍ରେଣୀୟ ପାଳି ଆସିଯିବାରୁ ସବୁ ଓଲଟପାଲଟ ହୋଇଗଲା। ଧୋନିଙ୍କୁ ଏଥି ପାଇଁ ଅଧିକ ଶ୍ରେୟ ମିଳିବ। ୩୪ ବଲ୍‌ରୁ ୭ ଛକା ସହାୟତାରେ ୭୦ ରନ୍‌ ଆମ ମୁଣ୍ଡ ଉପରେ ମ୍ୟାଚ୍‌କୁ ନେଇଯାଇଥିଲା। ଏହା ମଧ୍ୟ ତାଙ୍କ ଦଳକୁ ଚମତ୍କାର ବିଜୟ ଦେଇଥିଲା। ଏହା ଚିନ୍ନାସ୍ୱାମୀ ଗର୍ଜନକୁ ସ୍ତମ୍ଭିଭୂତ କରି ଦେଇଥିଲା ଏବଂ ଆମ ଡ୍ରେସିଂ ରୁମ୍‌ ଆବା କାବା ହୋଇଯାଇଥିଲା।
ଆମେ ଏହି ମ୍ୟାଚ୍‌ କେମିତି ହାରିଗଲୁ? ଉଭୟ ପାଳିର ପ୍ରଥମ ୧୫ ଓଭରରେ ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଆମେ ଭଲ ଖେଳିଥିଲୁ। ଆମେ ପାଳିର ଶେଷ ଭାଗରେ ସାମାନ୍ୟ ଦିଗହରା ରହିଥିଲୁ ଏବଂ ତାଙ୍କ ପାଳିର ଶେଷ ସୀମାରେ ହାରିଯାଇଥିଲୁ। ଏହି ପରାଜୟ ପରେ ଦଳର ସମସ୍ତ ପ୍ରାକ୍‌ ଋତୁ ଆତ୍ମବିଶ୍ୱାସ, ବଢ଼ୁଥିବା ବିଶ୍ୱାସ, ଶାରୀରିକ ସକ୍ଷମତା ଆଦି ଅବିଶ୍ୱାସ ଭିତରେ ବିପର୍ଯ୍ୟସ୍ତ ହୋଇଗଲା।
ଆମ ପ୍ରଶିକ୍ଷକ ଡାନ୍‌ ଭିଟୋରି କହିଲେ ଏବଂ ବହୁତ ଭଲ କହିଲେ। ବିରାଟ କୋହଲି ମଧ୍ୟ କ’ଣ ଠିକ୍‌ ହେଲା ଏବଂ କ’ଣ ଭୁଲ ହେଲା ଦର୍ଶାଇଲେ। ଉଭୟଙ୍କ ବାର୍ତା ସ୍ପଷ୍ଟ ଥିଲା। ଆମକୁ କିଛି କ୍ଷେତ୍ରରେ ଉନ୍ନତି କରିବାକୁ ପଡ଼ିବ, ଆଗକୁ ବଢ଼ିବାକୁ ହେବ। ରବିବାର କେକେଆର୍‌ ସହିତ ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏତେ ସବୁ କଥାକୁ ଦେଖିଲେ ଆମେ ବସି ରହିଥିଲୁ ଏବଂ କ’ଣ ସବୁ ଘଟିଗଲା ଚକିତ ଲାଗୁଥିଲା। କ୍ୱିଣ୍ଟନ ଡି’କକ୍‌ ହଠାତ୍‌ କହିଲେ ‘ଆଗେଇ ଆସ। ଆମକୁ ତିକ୍ତ ନୁହଁ ଉନ୍ନତ ହେବାକୁ ପଡ଼ିବ’। ଏହା ପରେ ବରଫ ତରଳିଯିବା ଭଳି ସମସ୍ତେ ହସିଥିଲେ।
ଆଇପିଏଲ୍‌ ଦଳ ଭିତରେ ରହିଛି ଗତିଶୀଳ ପ୍ରକ୍ରିୟା। ଦଳର ସମସ୍ତେ ଚାପରେ ଭଲ ପ୍ରଦର୍ଶନ କରିବାକୁ ଚାହାଁନ୍ତି। ଏହା ବେଳେ ବେଳେ ବୁଝା ପଡ଼େ ନାହିଁ। କିନ୍ତୁ କ୍ୱିନି (ଡି’କକ୍‌)ଙ୍କ ଟିପ୍ପଣୀ ଦଳୀୟ ଶିବିରରେ ଥିବା ଭାବନାକୁ ହଠାତ୍‌ ବଦଳାଇ ଦେଇଥିଲା। ପରାଜୟର ନିରାଶା ଭିତରେ କଠିନ ପରିଶ୍ରମ କରିବାକୁ ସଙ୍କଳ୍ପ ଆସିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦଳର ସମ୍ଭାବନାକୁ ନେଇ ଆମେ ଉଲ୍ଲସିତ। ୬ ମ୍ୟାଚ୍‌ରୁ ମାତ୍ର ୨ ବିଜୟ ପାଇଛୁ, ଦଳର ଭୁଲ୍‌ କମ୍‌ ରହିଛି। ଆମେ ଏବେ ବି ନିଜ ଦକ୍ଷତାରେ ବିଶ୍ୱାସ ରଖିଛୁ ଏବଂ କ’ଣ ଆବଶ୍ୟକ ଜାଣିଛୁ। ଆମ ଭିତରୁ ଜଣେ ଭଲ କରିଗଲେ ଏହାର ଫାଇଦା ଉଠାଇ ଆଉ ୫୦/୬୦ ନୁହେଁ ଏହାକୁ ୮୦/୯୦ ରନ୍‌ରେ ରୂପାନ୍ତର କରିବାର ଅଛି। ଶେଷ ଭାଗ ଓଭରରେ ପ୍ରତିପକ୍ଷଙ୍କୁ ରୋକିବାକୁ ହେବ। ଏହି ବାଟ ବଂଧୁର ରହିଛି, ତଥାପି ଆମେ ପର୍ବତ ଆରୋହଣ କରିବାର ସୁଯୋଗ ଦେଖୁଛୁ। (ଟିସିଏମ୍‌)

ସମ୍ବନ୍ଧିତ ଖବର