ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି: ପାନପୋଷ କ୍ରୀଡ଼ା ଛାତ୍ରାବାସ ସେମିରେ

ରାଉରକେଲା: ତୃତୀୟ ସର୍ବଭାରତୀୟ ମେଜର୍‌ ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ପାନପୋଷ କ୍ରୀଡ଼ା ଛାତ୍ରବାସ ଏବଂ ଉତ୍ତର-କେନ୍ଦ୍ରୀୟ ରେଳବାଇ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଦଳ ଶକ୍ତିଶାଳୀ ଉତ୍ତର-ପୂର୍ବ ରେଳବାଇ ଗୋରଖପୁରକୁ ୪-୨ ଗୋଲ୍‌ରେ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିଥିଲା। ଗୋରଖପୁର ଦଳ ପ୍ରଥମାର୍ଧରେ ୨ ଗୋଲ୍‌ରେ ଅଗ୍ରଣୀ ଥିବା ସତ୍ତ୍ୱେ ପାନପୋଷ ଚମତ୍କାର ପ୍ରତ୍ୟାବର୍ତନ କରି ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଚତୁର୍ଥ ମିନିଟ୍‌ରେ ବାସନ୍ତୀ କଚ୍ଛପ ଓ ୨୦ ମିନିଟ୍‌ରେ କୋମଳ ସାହାନି ପେନାଲ୍ଟି କର୍ଣ୍ଣରରେ ଗୋଲ୍‌ କରି ଗୋରଖପୁର ଦଳକୁ ଆଗୁଆ କରିଥିଲେ। ତେବେ ମଧ୍ୟାନ୍ତର ପରେ ପାନପୋଷ ଦଳ ଲାଗଲାଗ ୪ ଗୋଲ୍‌ ଲଦିଦେଇଥିଲା। ଜାହ୍ନବୀ ପ୍ରଧାନ (୩୬ ଓ ୪୭ ମିନିଟ୍‌) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍‌ କରି ସ୍ଥିତି ସମାନ କରିଦେବା ପରେ ୬୫ ମିନିଟ୍‌ରେ ନୀମାବତୀ ସିଂ ଏବଂ ୬୯ ମିନିଟ୍‌ରେ ରୋଜିତା କୁଜୁର ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ।

ବର୍ଗ-ବିରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସ ୩-୧ ଗୋଲ୍‌ରେ ଚଣ୍ଡିଗଡ଼ ୟୁକୋ ବ୍ୟାଙ୍କ ଦଳକୁ ପରାସ୍ତ କରିଥିଲା। ମଧ୍ୟାନ୍ତର ସୁଦ୍ଧା ଉଭୟ ଦଳ ୧-୧ ଗୋଲ୍‌ କରିଥିଲେ। ଭୁବନେଶ୍ୱର ପକ୍ଷରୁ ଏଲିମା ମିଞ୍ଜ ୨୩ ମିନିଟ୍‌ରେ ପ୍ରଥମ ଗୋଲ କରିଥିବା ବେଳେ ଚଣ୍ଡିଗଡ଼ ପକ୍ଷରୁ ମନୀଷା ଧବଲ ୨୮ ମିନିଟ୍‌ରେ ଗୋଲ୍‌ ଶୁଝି ଦେଇଥିଲେ। ଦ୍ୱିତୀୟାର୍ଧରେ ଦୀପ୍ତି ଲାକ୍ରା ଏବଂ ସଂଗୀତା ରୋଜ କୁଲ୍ଲ ଆଉ ଦୁଇଟି ଗୋଲ୍‌ କରିବାରୁ ଭୁବନେଶ୍ୱର ଦଳ ୩-୧ରେ ବିଜୟୀ ହୋଇଥିଲା।

ବର୍ଗ-ଏର ଏକ ମ୍ୟାଚ୍‌ରେ ଷ୍ଟିଲ୍‌ ପ୍ଲାଣ୍ଟ ବୋର୍ଡ଼ (ଭିଲାଇ) ଦଳ ୭-୨ ଗୋଲ୍‌ରେ ହକି ଏକାଡ଼େମି ନାଗପୁରକୁ ପରାସ୍ତ କରିଛି। ଭିଲାଇ ପକ୍ଷରୁ ଅଞ୍ଜଳୀ ମହିୟୋ, ତରସିଲା ବେକ୍‌ ଏବଂ ଗାୟତ୍ରୀ କିସାନ ପ୍ରତ୍ୟେକ ୨ ଲେଖାଏଁ ଓ ପ୍ରିୟାଂଶୀ ଗୋଟିଏ ଗୋଲ୍‌ କରିଥିଲେ। ନାଗପୁର ପକ୍ଷରୁ ଶଶୀ ଲାକ୍ରା ପେନାଲ୍ଟି କର୍ଣ୍ଣରରେ ୨ଟି ଗୋଲ୍‌ କରିଥିଲେ। ସେହିଭଳି ଗୁରୁବାରର ଶେଷ ମ୍ୟାଚ୍‌ରେ ଉତ୍ତର-କେନ୍ଦ୍ରୀୟ ରେଳବାଇ (ଆଲ୍ଲାହାବାଦ୍‌) ଦଳ ୩-୧ଗୋଲ୍‌ରେ ଧାନବାଦ୍‌ ପୂର୍ବ-କେନ୍ଦ୍ରୀୟ ରେଳବାଇ ଦଳକୁ ପରାସ୍ତ କରିଥିଲା। ଆଲ୍ଲାହାବାଦ୍‌ ପକ୍ଷରୁ ଅନୁବାଲା, ସବିତା ଏବଂ ପୁଜା କିଣ୍ଡୋ ଗୋଟିଏ ଲେଖାଏଁ ଗୋଲ୍‌ କରିଥିବା ବେଳେ ଧାନବାଦ୍‌ ଦଳ ପକ୍ଷରୁ ମରିୟମ୍‌ ଚାମ୍ପିଆ ଏକମାତ୍ର ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର