କୋହଲି ଓ ଲାରାଙ୍କୁ କାଟିଲେ ଧାୱନ୍‌

ନାପିଏର,: ଶିଖର ଧାୱନ ତ୍ରୟୋଦଶ ଭାରତୀୟ କ୍ରିକେଟର ଭାବେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦୦ ରନ୍ ପୂରଣ କରିବାର ଗୌରବ ବହନ କରିଛନ୍ତି। ଏହି ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୁଧବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଦିନିକିଆ ଅବସରରେ ଅପରାଜିତ ୭୫ ରନ୍‌ର ପାଳି ଖେଳି କେବଳ ୫୦୦୦ ରନ୍‌ କ୍ଲବ୍‌ରେ ସାମିଲ ହୋଇନାହାନ୍ତି, ବରଂ କମ୍‌ ମ୍ୟାଚ୍‌ରେ ଦ୍ରୁତତମ ୫୦୦୦ ରନ୍‌ ସଂଗ୍ରହ କରିବାରେ ନିଜ ଦଳର ଅଧିନାୟକ ବିରାଟ କୋହଲି ଏବଂ ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ରାଏନ୍‌ ଲାରାଙ୍କୁ କାଟି ଦେଇଛନ୍ତି। ଉଭୟ କୋହଲି ଓ ଲାରା ସମାନ ସଂଖ୍ୟକ ୧୨୦ ମ୍ୟାଚ୍‌ରୁ ନିଜ ନିଜର ୫୦୦୦ ରନ୍‌ ପୂରଣ କରିଥିଲା ବେଳେ ଧାୱନ୍‌ ଏଥିପାଇଁ ୧୧୯ ମ୍ୟାଚ୍‌ ଖେଳିଲେ। ତେବେ ଉଭୟ ଲାରା ଓ ଧାୱନ୍‌ ସମାନ ସଂଖ୍ୟକ ପାଳି ୧୧୮ରୁ ଏହି ସଫଳତା ହାସଲ କରିଥିଲା ବେଳେ କୋହଲି ଅବଶ୍ୟ ସେମାନଙ୍କଠୁ କମ୍‌ (୧୧୪) ପାଳିରେ ୫୦୦୦ ରନ୍‌ ଅତିକ୍ରମ କରିଥିଲେ। ସେହିଦୃଷ୍ଟିରୁ ଉଭୟ ଲାରା ଓ ଧାୱନ୍‌ଙ୍କଠୁ କୋହଲି ଆଗରେ ରହିଛନ୍ତି। ନାପିଅର୍‌ ଦିନିକିଆ ପୂର୍ବରୁ ଏହି ମାଇଲଖୁଣ୍ଟ୍‌ ଛୁଇଁବା ପାଇଁ ମାତ୍ର ୧୦ ରନ୍‌ ଦରକାର କରୁଥିବା ଧାୱନ୍‌ ଅପରାଜିତ ୭୫ ରନ୍‌ କରିବା ପରେ ୧୧୯ ମ୍ୟାଚ୍‌ରେ ତାଙ୍କ ମୋଟ ରନ୍‌ ସଂଖ୍ୟା ୫୦୬୫ରେ ପହଞ୍ଚିଯାଇଛି। ଭାରତୀୟ ଭାବେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ସଫଳତା ୧୨୬ ମ୍ୟାଚ୍‌ରୁ ପାଇଥିଲା ବେଳେ ଏବେ ଧାୱନ୍‌ଙ୍କ ଉପରକୁ ଏକ୍ଷେତ୍ରରେ କେବଳ ଏବର ଅଧିନାୟକ ବିରାଟ କୋହଲି (୧୧୪ ପାଳି) ରହିଛନ୍ତି। ତେବେ ସବୁଠୁ କମ୍‌ ପାଳିରେ ୫୦୦୦ ରନ୍‌ ପୂର୍ଣ୍ଣ କରିଥିବା ତାଲିକାରେ ଦକ୍ଷିଣ ଆଫ୍ରିକାର ହାସିମ୍‌ ଆମ୍‌ଲା (୧୦୪ ମ୍ୟାଚ୍‌, ୧୦୧ ପାଳି) ଶୀର୍ଷରେ ରହିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ତାରକା ଭିଭିଆନ୍‌ ରିଚାର୍ଡସ୍‌ (୧୨୬ ମ୍ୟାଚ୍‌ ୧୧୪ ପାଳି) ଓ କୋହଲି (୧୨୦ ମ୍ୟାଚ୍‌, ୧୧୪ ପାଳି) ଯୁଗ୍ମ ଦ୍ବିତୀୟରେ ରହିଛନ୍ତି। ଫଳରେ ଉଭୟ ଲାରା (୧୨୦ ମ୍ୟାଚ୍‌, ୧୧୮ ପାଳି) ଓ ଧାୱନ୍‌ (୧୧୯ ମ୍ୟାଚ୍‌, ୧୧୮ ପାଳି) ଯୁଗ୍ମ ତୃତୀୟ ସ୍ଥାନରେ ରହିଲେ।

ସମ୍ବନ୍ଧିତ ଖବର